୩ ପଞ୍ଚାୟତର ୯ ଗାଁକୁ ସରକାରୀ ରିଲିଫ : ସବୁ କ୍ଷତିଗ୍ରସ୍ତ ଗାଁକୁ ଦେବା ଲାଗି ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାରେ ଚଳିତବର୍ଷ ବନ୍ୟା ଓ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷା ପାଣି ଯୋଗୁଁ ୯ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ୫ଟି ପଞ୍ଚାୟତର ୯ଟି ଗାଁର ୩୭ଶହ ପରିବାରକୁ ରିଲିଫ ମିଳିଥିବାରୁ ବାହି ରହିଥିବା ଗାଁ ଗୁଡିକ ମଧ୍ୟରୁ କେତେକେ ଆଜି ଆନ୍ଦୋଳନ କରିଛନ୍ତି । ପରିସ୍ଥିତି ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ବ୍ଲକ ଉପାଧ୍ୟକ୍ଷ ସୂଚନା ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ବର୍ତ୍ତନା, ଖୁଲୁଡା ପଞ୍ଚାୟତ ଗତ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ ପଞ୍ଚାୟତର ୯ଟି ଗାଁକୁ ରିଲିଫ ଦେବାପାଇଁ ନିର୍ଦ୍ଦେଶ ମିଳିଛି । ବାଇଗଣବାଡିଆ, କାଳିକାପୁର, ଛୋଟଖାନପୁର, କଣ୍ଟାପାଳ, ଆକାନ, ଝାଡପିମ୍ପଳ, ଘଣ୍ଟିଆଡି, ଦେବ କୁମାର ଓ ନମକାନା ଗାଁର ୩୭ଶହ ପରିବାରକୁ ୫୦ କେଜି ଲେଖାଏଁ ଚାଲୁ ଦେବା ଲାଗି ନିର୍ଦ୍ଦେଶ ଆସିଛି । ପ୍ରକାଶଯୋଗ୍ୟ ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ୫୦କେଜି ଚାଲୁ ଓ ୫ଶହ ଟଙ୍କା ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ସେହି ଅନୁଯାୟୀ ଜଳେଶ୍ୱର ବ୍ଲକରେ ଉପରୋକ୍ତ ଘଟଣା ଜଣାଯିବା ପରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ପଶ୍ଚିମବାର୍ଡ ପଞ୍ଚାୟତର ୧୭ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡ ରିଲିଫ ପାଇବାକୁ ଥିବା ବେଳେ ଅନ୍ୟ ୫ଟି ୱାର୍ଡ ଏଥିରୁ ବାଦ୍ ପଡିଛନ୍ତି । ପଶ୍ଚିମବାର୍ଡ, କିସ୍‌ମତ ପଶ୍ଚିମବାର୍ଡ ଓ ରେଳା ଗାଁର ୫ଟି ୱାର୍ଡର ଗ୍ରାମବାସୀ ଓ ୱାର୍ଡମେମ୍ବରମାନେ ଆଜି ମଧ୍ୟାହ୍ନରେ ଏଥିନେଇ ପଞ୍ଚାୟତ ଅଫିସ୍ ନିକଟରେ ଆନ୍ଦୋଳନ କରିଥିଲେ । କିନ୍ତୁ ଏ ସଂପର୍କରେ ବ୍ଲକରୁ ପ୍ରଶାସନୀକ ଅଧିକାରୀମାନେ ସେଠାକୁ ଯାଇନଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଓ ସରପଂଚ ରାଣୀ ପ୍ରମାଣିକ ଘଟଣାସ୍ଥଳରେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏ ସଂପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।