୩୦ହଜାର କର୍ମୀଙ୍କୁ ନେଇ ଟିକେଟର ପୁନଃବିଚାର ନିମନ୍ତେ ଶକ୍ତି ପ୍ରଦର୍ଶନ କଲେ ସମୀର ଦାଶ

ନିମାପଡା(ସମୃଦ୍ଧଓଡିଶା)ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀ ଟିକେଟ ଘୋଷଣାର ପୁନଃବିଚାର ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିବା ଉଦ୍ଦେଶ୍ୟରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ଦାଶ। ହଜାର ହଜାର କର୍ମୀଙ୍କୁ ନେଇ ସ୍ଥାନୀୟ ଦୋଳବେଦୀ ଛକ ଠାରୁ ଏକ ଶୋଭାଯାତ୍ରାରେ ସମୀର ଆସିଥିଲେ ବାରବାଟୀ ପଡିଆକୁ। ସେଠାରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କର ସମାଗମ ହୋଇଥିଲା। ମୁଁ କ୍ଷମତା ଲୋଭୀ ନୁହେଁ, ନିମାପଡ଼ା ଗୋପ ବାସୀଙ୍କର ସେବା କରିବାକୁ ଚାହେଁ। ନବୀନ ବାବୁଙ୍କ ସ୍ଲୋଗାନ ମା’ କୁ ସମ୍ମାନ, ଗାଁ’ କୁ କାମ ଏହାକୁ ପ୍ରତିପାଦିତ କରିବା ପାଇଁ ଆଜିର ଏ ଲଢ଼େଇ। ରାଜ୍ୟ ସଭାପତି ଯାହାକୁ ଟିକେଟ ଦେଇଛନ୍ତି ନିମାପଡ଼ା ଅଞ୍ଚଳ ସମ୍ବନ୍ଧରେ ତାଙ୍କର କିଛି ଧାରଣା ନାହିଁ, ବିଜୁ ଜନତା ଦଳରେ ସେ ଆଠଦିନ ହେଲା ସାମିଲ ହୋଇଛନ୍ତି। ଦଳକୁ, ଦଳୀୟ କର୍ମୀଙ୍କୁ ସେ ଠିକଭାବେ ବୁଝି ନାହାନ୍ତି। ମୋ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ, ଭରଷା ଅଛି। ସେମାନେ ନବୀନଙ୍କୁ ଷଷ୍ଠଥର ପାଇଁ ଏବଂ ସମୀର ଦାଶଙ୍କୁ ଚତୁର୍ଥ ଥର ପାଇଁ ନେତା କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ଏହାର ପ୍ରତିଫଳନ ଆଜି ଦେଖାଯାଉଛି। ହେ ରାଜ୍ୟ ନେତୃତ୍ୱ ଆଜି ନିମାପଡ଼ା ଆସି ଥରେ ଦେଖ ନିମାପଡ଼ା ବାସୀ ନେତା ଭାବରେ ସମୀର ଦାଶଙ୍କୁ ଚାହୁଁଛନ୍ତି ନା ଆପଣ ମାନେ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କୁ ଚାହୁଁଛନ୍ତି। ସଭାପତି ମହୋଦୟ ଆଉଥରେ ବିଚାର କରନ୍ତୁ ଏବଂ ସଠିକ ନିଷ୍ପତ୍ତି ନିଅନ୍ତୁ ବୋଲି ସମୀର ଦାଶ କହିଥିଲେ। ଉକ୍ତ ବୈଠକରେ ନିମାପଡ଼ା ବିଜେଡ଼ି ବ୍ଲକ ସଭାପତି ଅଶୋକ ସାହୁ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଗୋପବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଜିଲ୍ଲା ପରିଷଦ ପ୍ରଦୀପ୍ତ ଖଟୋଇ, ପୂର୍ବତନ ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଅକ୍ଷୟ ବେହେରା ପ୍ରମୁଖ ଯୋଗଦେଇ ଟିକେଟର ପୁନଃବିଚାର କରିବା ନିମନ୍ତେ ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ଅନୁରୋଧ ଜଣାଇଥିଲେ।

ରିପୋର୍ଟ : ରଜତ ମହାପାତ୍ର