୨ ବର୍ଷ ପରେ ହିତାଧିକାରୀଙ୍କୁ ମିଳିଲା ନ୍ୟାୟ-ଚଞ୍ଚକତାପୂର୍ଣ୍ଣ ଆବାସ ଯୋଜନା ଅର୍ଥ ଫେରସ୍ତ : ହେଲା ନୂତନ କାର୍ଯ୍ୟାଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ଜଣେ ହିତାଧିକାରୀଙ୍କ ଅଗୋଚରରେ ଆବସ ଯୋଜନାର କାର୍ଯ୍ୟାଦେଶ କାଗଜପତ୍ରରେ ଦର୍ଶାଇ ୯୦ହଜାର ଟଙ୍କା ଚଞ୍ଚକତାପୂର୍ଣ୍ଣ ଭାବେ ଉଠାଇ ନିଆଯାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେବା ପରେ ହିତାଧିକାରୀଙ୍କ ଅଭିଯୋଗ ଓ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନଶନ ଧର୍ମଘଟ କ୍ରମେ ଆବାସ ଯୋଜନାର ଅର୍ଥ ଫେରସ୍ତ ଓ ନୂତନ କାର୍ଯ୍ୟଦେଶ ମିଳିଥିବା ଜଣାଯାଇଛି । ଜଳେଶ୍ୱର ବ୍ଲକର ଝାଡପିମ୍ପଳ ଗାଁର ଶଙ୍କର ଦଣ୍ଡପାଟ ନାମକ ଜଣେ ଦରିଦ୍ର ବ୍ୟକ୍ତିଙ୍କ ନାମରେ ୨୦୧୯ ମସିହାରେ ଆବାସ ଯୋଜନାରେ ଏକ ପକ୍କା ଗୃହ ମଞ୍ଜୁରୀ ହୋଇଥିଲା । କିନ୍ତୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ଜେନା, ଜିଆର୍‌ଏସ୍ ପ୍ରଦୀପ୍ତ କିଶୋର ପ୍ରଧାନ ଓ ଗାଁ ଜଣେ ସଞ୍ଜୟ ଗିରି ନାମକ ବ୍ୟକ୍ତି ମିଳିତ ଭାବେ ଶଙ୍କର ଦଣ୍ଡପାଟର ଅଗୋଚରରେ ବ୍ୟାଙ୍କରେ ଜାଲ ପାସ୍‌ବୁକ୍ ଖୋଲି ୯୦ହଜାର ଟଙ୍କା ହଡପ କରିଥିଲେ । ଏ ସମ୍ପର୍କରେ ଶଙ୍କର ଦଣ୍ଡପାଟ ଜାଣିବା ପରେ ଜଳେଶ୍ୱର ବ୍ଳକରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ପରେ ଶଙ୍କର ଥାନା ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତ ୯-୧-୨୦୨୦ରେ ବାଲେଶ୍ୱରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶଙ୍କର ଦଣ୍ଡପାଟଙ୍କ ଘରେ ତଦନ୍ତ କରାଯାଇଥିଲା । ଏଥିରେ ତାର ଗୃହ ନିର୍ମାଣ କରାନଯାଇ ଟଙ୍କା ଉଠାଣ ହୋଇଥିବା ଜଣାପଡିଥିଲା । ଶେଷରେ ୧୦-୧-୨୦୨୧ରେ ଜଳେଶ୍ୱର ବିଡିଓ ଓ ୧୨-୧-୨୧ରେ ଜିଲାପାଳଙ୍କୁ ଜଣାଇ ନ୍ୟାୟ ନ ମିଳିଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନଶନ କରିବେ ବୋଲି ସେ ଲିଖିତ ଅଭିଯୋଗ କରିଥିଲେ । ହିତାଧିକାରୀ ଅନଶନରେ ବସିବାପରେ ଉପରୋକ୍ତ ଅଭିଯୁକ୍ତମାନେ ୯୦ହଜାର ଟଙ୍କା ବ୍ଳକ କାର୍ଯ୍ୟାଳୟରେ ୩-୨-୨୧ ରସିଦ୍ ନଂ ୩୪୭୩ରେ ଅର୍ଥ ଫେରସ୍ତ ଦେଇଥିଲେ । କିନ୍ତୁ ଦୀର୍ଘମାସ ଅତିକ୍ରମ ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଗତ ୨୮-୧୦-୨୧ରେ ବ୍ଲକ ପକ୍ଷରୁ କନିଷ୍ଠଯନ୍ତ୍ରୀ ଦିନେଶ କୁମାର ଅଢା ଶଙ୍କର ଦଣ୍ଡପାଟଙ୍କୁ ଘରକୁ ଯାଇ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦେଇଛନ୍ତି । ଜଳେଶ୍ୱର ବ୍ଲକରେ ଚାଲିଥିବା ବ୍ୟାପକ ଦୁର୍ନିତୀ, ଅନିତୀ ଓ ଅନିୟମିତତା ପଦାକୁ ଆସି ହାଟରେ ଗଡୁଛି । ଆଶ୍ଚର୍ଯ୍ୟର ବିଷୟ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଏପରି ବହୁ ଅଭିଯୁକ୍ତ ପ୍ରତ୍ସାହିତ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ : ଭୂପତି ପରିଡା