୨୮ ତାରିଖରେ ଆମରଣ ଅନଶନ କରିବେ ଏମ୍ବିକେ ଓ ସିଆର୍ଡି: ସ୍ଥାୟୀ ନିଯୁକ୍ତ ପାଇଁ ବିଡିଓଙ୍କୁ ଦେଲେ ୬ଦଫା ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ଏମ୍ବିକେ ଓ ସିଆର୍ଡି ମାନଙ୍କୁ ସ୍ଥାୟୀ ନିଯୁକ୍ତ ଓ ବର୍ଦ୍ଧିତ ପାରିଶ୍ରମିକ ଦେବାଲାଗି ଅତୀତରେ ହୋଇଥିବା ସିଦ୍ଧାନ୍ତ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବାରୁ ଆସନ୍ତା ୨୮ ତାରିଖରେ ଆମରଣ ଅନଶନ କରିବେ ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଡିଓଙ୍କ ଜରିଆରେ ଜଣାଇଛନ୍ତି । ଏହି ଅବସରରେ ଜଳେଶ୍ୱରର ସମସ୍ତ ଏମ୍ବିକେ ଓ ସିଆର୍ଡି ମଧ୍ୟ ଜଳେଶ୍ୱର ବିଡିଓଙ୍କୁ ଏ ସଂପର୍କରେ ଅବଗତ କରାଇ ଲିଖିତଭାବେ ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ୨୦୦୯ ମସିହାରୁ ୨୦୧୮ ପର୍ଯ୍ୟନ୍ତ ଓଡିଶା ଜୀବିକା ମିଶନରେ କାମ କରି ଆସୁଥିବା ବେଳେ ଏବେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତ ଦିଆଯାଉନଥିବା ଏବଂ ଅଧିକ ପାରିଶ୍ରମିକ ଦିଆଯିବାର ପ୍ରତିଶୃତି କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି । ୬ଦଫା ଦାବୀ ମଧ୍ୟରେ ପଂଚାୟତରାଜ ବିଭାଗରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ଗ୍ରାମଂଚଳରେ ସିଆର୍ପିଙ୍କୁ ସ୍ଥାୟୀ ନିଯୁକ୍ତି, ଅର୍ଦ୍ଧକୋଶଳୀ ଶ୍ରମିକଙ୍କୁ ଦିନକୁ ୩୨୦ଟଙ୍କା ଥିବାରୁ ସେହି ହାରରେ ପାରିଶ୍ରମିକ ପ୍ରଦାନ, ବ୍ଲକ ସ୍ତରୀୟ ପଦବୀ ଗୁଡିକରେ ଏମ୍ବିକେ ସଭ୍ୟସଭ୍ୟାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ଇପିଏଫରେ ସାମିଲ କରିବା ଇତ୍ୟାଦି ଦାବି ରଖିଛନ୍ତି । ସରକାର ଏବଂ କର୍ତ୍ତୃପକ୍ଷ ଏ ସଂପର୍କରେ ବିଚାର ନ କଲେ ଆସନ୍ତା ୨୮ ତାରିଖରୁ ଆମରଣ ଅନଶନ ହେବ ବୋଲି ବ୍ଲକ ସ୍ତରୀୟ ସଭାପତି ଶାନ୍ତିଲତା ବେହେରା ଓ ସଂପାଦିକା ମମତା ଦାସ ଓ ବରିଷ୍ଠ ସଦସ୍ୟା ଜ୍ୟୋତ୍ସାରାଣୀ ମହାପାତ୍ର ଲିଖିତଭାବେ ବିଡିଓଙ୍କୁ ଦେଇଛନ୍ତି । ଏହାର ନକଲ ସେମାନେ ପଂଚାୟତରାଜ ମନ୍ତ୍ରୀ, ପଂଚାୟତରାଜ ସଚିବ , ଓଏଲଏମ୍ର ଡାଇରେକ୍ଟର, ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବ୍ଲକ ଓ ଜିଲା ସ୍ତରୀୟ କର୍ମକର୍ତ୍ତାଙ୍କ ଗୋଚରାର୍ଥେ ପଠାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା