୨୪ ଘଣ୍ଟା ନ ପୂରୁଣୁ ପାଟପୁର ପୋଲିସକୁ ମିଳିଲା ସଫଳତା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ, ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି କେନାଳରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ସିନ୍ଦୁରପୁର ଗ୍ରାମର ମିଥୁନ ବିଷୋୟୀ l ମିଥୁନ ପ୍ରଥମେ ସଙ୍ଗୀତାକୁ ପ୍ରେମ ଜାଲରେ ଫସାଇ ଦେଇଥିଲେ l ପରବର୍ତ୍ତୀ ମୁହୂର୍ତ ରେ ସଙ୍ଗୀତା ନିଜ ବାପ ଘରୁ ଟଙ୍କା ସୁନା ନେଇ ମିଥୁନ ସହିତ ଫେରାର ହୋଇଯାଇଥିଲେ l ଫେରାର ପରେ ସଙ୍ଗୀତା ମିଥୁନ କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ l ଭଲ ପାଇବାର ମିଛ ନାଟକ କରୁଥିବା ମିଥୁନ ସଙ୍ଗୀତା କଥାରେ ରାଜି ହୋଇନଥିଲା l ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ପାଟିତୁଣ୍ଡ ରେ ମିଥୁନ ରାଗିଯାଇ ହାତରେ ଗୋଟାଏ ପଥର ଧରି ସଙ୍ଗୀତା ର ମୁଣ୍ଡ ପଛ ପଟକୁ ବାଡେଇ ଦେଇଥିଲେ l ଘଟଣା ସ୍ଥଳରେ ହିଁ ସଙ୍ଗୀତା ର ମୃତ୍ୟୁ ହୋଇଯାଇଥିଲା l ପ୍ରମାଣ ନଷ୍ଟ କରିବା ପାଇଁ ମିଥୁନ ସଙ୍ଗୀତାର ମୁଁହ କୁ ଝରଣା ପାଣିରେ ବୁଡାଇ ତା ମୁଣ୍ଡ ଉପରେ ଗୋଟାଏ ପଥର ରଖି ସ୍ଥାନ ଛାଡି ଚାଲିଯାଇଥିଲା l ସଙ୍ଗୀତା ୫ ବର୍ଷ ପୂର୍ବେ ନରସିଂହଗଡ଼ର ଭିକାରି ନାୟକଙ୍କୁ ବିବାହ କରିଥିଲେ, କିନ୍ତୁ ତିନି ବର୍ଷ ହେବ ତାଙ୍କରି ଛାଡ଼ପତ୍ର ହୋଇଯାଇଛି l ୪ ଦିନ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇ ଜଣେ ଯୁବତୀଙ୍କ ମୃତ ଦେହ ପଡ଼ିଥିବା ଦେଖି ସଙ୍ଗେସଙ୍ଗେ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କୁ ଚି଼ହ୍ନଟ କରିବା ସହିତ ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି l ମୃତ ଯୁବତୀ ଜଣଙ୍କ ହେଲେ ପୋଡାମାରି ଗ୍ରାମ, ଚଷା ସାହିର ନାରାୟଣ ପ୍ରଧାନଙ୍କ ବଡ଼ ଝିଅ ସଙ୍ଗୀତା ପ୍ରଧାନ । ସଙ୍ଗୀତା ନେଇଥିବା ସୁନାକୁ ଉଦ୍ଧାର କରିଛି ପାଟପୁର ପୋଲିସ l ତଦନ୍ତ ଜାରି ରହିଛି I
ରିପୋର୍ଟ : ରଜତ ପଟ୍ଟନାୟକ