ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିଲୋମିଟର ଉଚ୍ଚତା ଯାଏ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି। ଗତକାଲି ଠାରୁ ପୂରା ଓଡ଼ିଶାକୁ ମୌସୁମୀ ବାୟୁ ପହଞ୍ଚି ସାରିଛି। ଗତ ୨୪ ଘଣ୍ଟାରେ ନୂଆପଡ଼ାର କୋମନାରେ ସର୍ବାଧିକ ୧୩୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ଲାଠିକଟାରେ ୭୬.୪, କେନ୍ଦୁଝରର ହରିଚନ୍ଦନପୁରରେ ୭୬, ସୁନ୍ଦରଗଡ଼ର ବଣାଇଗଡ଼ରେ ୭୫, ମୟୂରଭଞ୍ଜର ସୁଲିଆପଡ଼ାରେ ୭୨, ଅନୁଗୋଳର ପାଳଲହଡ଼ାରେ ୭୧, ଢେଙ୍କାନାଳର କଙ୍କଡ଼ାହାଡ଼ରେ ୬୭.୬, ମାଲକାନଗିରିର ମାଥିଲିରେ ୬୫, ଦେବଗଡ଼ର ବାରକୋଟରେ ୬୩.୪ ଓ ଅନୁଗୋଳର ରେଙ୍ଗାଳିରେ ୬୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଲଘୁଚାପ ସୃଷ୍ଟି ହେଲେ ଅତ୍ୟଧିକ ବର୍ଷା ହେବାର ସୂଚନା ମିଳୁଛି ।