ୟାସ୍ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଲାଗି ସିପିଏମ୍‌(ଆଇ) ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୟାସର ପ୍ରଭାବରେ ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱର ବ୍ଲକ ଅଂଚଳରେ ଅହେତୁକ କ୍ଷତି ହୋଇଛି । କରୋନାରା ୨ୟ ଲହର ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ୟାସ୍ ବାତ୍ୟା ବୋଝ ଉପରେ ଲଳିତାବିଡା ହୋଇଛି । ପରିବା ଚାଷ ଏକ ପ୍ରକାର ଉଜୁଡି ଯାଇଥିବା ବେଳେ ବହୁ ଘର କ୍ଷତିଗ୍ରସ୍ତ ହୋଇଛି । ଆଗକୁ ବର୍ଷାଦିନ ଆସିବାକୁ ଥିବାରୁ ଅବିଳମ୍ଭେ କ୍ଷୟକ୍ଷତି ଆକଳନ କରି ଘରଭାଙ୍ଗି ଟଙ୍କା ପ୍ରଦାନ, ତୁରନ୍ତ ପଲିଥିନ ଯୋଗାଣ, ଆଶ୍ରୟ ସ୍ଥଳିରେ ଲୋକଙ୍କୁ ରେସନ୍ କିଟ ସହିତ ୭୫୦୦ଟଙ୍କା ପ୍ରଦାନ ଓ ୧୫ ଦିନର ରିଲିଫ ଯୋଗାଣ, ଘରକୁ ଘର ବୁଲି କରୋନା ଟେଷ୍ଟ କରାଯିବା, ଏନ୍‌ଆର୍‌ଜିଏସ୍‌ରେ ୬୦୦ ଟଙ୍କା ମଜୁରୀ ସହ କାମ ଯୋଗାଇ ଦେବା, ସମସ୍ତ ଚାଷୀଙ୍କୁ ଟୋକନ୍ ପ୍ରଦାନ କରି ସରକାରୀ ମୂଲ୍ୟରେ ଧାନ କ୍ରୟ କରିବାକୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ସିପିଏମ୍‌(ଆଇ) ଜଳେଶ୍ୱର ଶାଖାର ଏକ ଟିମ୍ ମ୍ୟୁନିସିପାଲଟି ସମେତ ସୁଗୋ, ନାମ୍ପୋ, ସମ୍ପତ୍ତିଆ, ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ଗୋପୀମୋହନପୁର, ଆରୁହା, ଗୋବରଘଟ୍ଟା ପ୍ରଭୃତି ପଂଚାୟତ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଶିଶିର ହୁଇ, ଦିଲ୍ଲିପ ପରିଡା, ଜିତାଂଶଠୁ ନନ୍ଦି, ପଲ୍ଟୁ ଦାସ, ଜୀବନ ପରିଡା, ସେକ୍ ଅବଦୁଲ ସାଦ୍ଦିକ, ରବିନ୍ଦ୍ର ବାରିକ, ଲକ୍ଷ୍ମୀଧର ପଲାଇ, ସେକ୍ ରହିମ୍ ପ୍ରମୁଖ ଉପସ୍ଥିତ ରହି ବାତ୍ୟାରେ ସହଯୋଗ କରିଥିବା କର୍ମଚାରୀ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।