ହାତୀ-ମଣିଷ ଲଢ଼େଇରେ ଢେଙ୍କାନାଳ ସର୍ବାଧିକ

ଅନୁଗୁଳ (ସମୃଦ୍ଧ ଓଡିଶା) ଜଙ୍ଗଲ ସଂରକ୍ଷଣରେ ସରକାର ସମ୍ପୂର୍ଣ୍ଣ ବିଫଳ  । ମଣିଷ ଜଙ୍ଗଲ  ନଷ୍ଟ କରୁଥିବା ‌ବେଳେ ହାତୀ ଏବେ ଖାଦ୍ୟ ଅନ୍ବେଷଣରେ ଜନବସତି ‌ମୁହାଁ ହେଉଛି । ହାତୀ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀମା‌େନ ବିଭିନ୍ନ ଉପାୟ ଗ୍ରହଣ  କରୁଛନ୍ତି । ଦାନ୍ତପାଇଁ ଶିକାରୀମାନେ ପୁଣି ରାଜ୍ୟ ଦନ୍ତା ଶିକାର କରିବାରେ ଲାଗିଛନ୍ତି । ଦେଶରେ ଅନ୍ୟ କେତେକ ଅଂଚଳର ଭଳି ଓଡ଼ିଶାରେ ମଧ୍ୟ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । ଏହି ହାତୀ ଓ ମଣିଷ ଲଢ଼େଇ କ୍ଷେତ୍ରରେ ଅଘଟଣ ଦୃଷ୍ଟିରୁ ଢେଙ୍କାନାଳର ସ୍ଥାନ ରାଜ୍ୟରେ ପ୍ରଥମ ସ୍ଥାନ ଥିବା ବେଳେ ସୁନ୍ଦରଗଡ଼ ଦ୍ଵିତୀୟ ଓ ଅନୁଗୁଳ ତୃତୀୟ ସ୍ଥାନରେ ରହିଛି । ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ‌ଢେଙ୍କାନାଳ ଜିଲ୍ଲାରେ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୬୭ଟି ହାତୀ ମଲେଣି । ଠିକ୍ ସେହିପରି ହାତୀ ଆକ୍ରମଣରେ ୭୫ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୮୨ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏହି ଅବଧି ମଧ୍ୟରେ ୨୨ଟି ହାତୀ ଓ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ୨୩ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ଲଢ଼େଇର ତୃତୀୟ ସ୍ଥାନରେ ରହିଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଅନୁଗୁଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୨୦୧୪ରୁ ଏପର୍ଯ୍ୟନ୍ତ ହାତୀମାନେ ୩୭ ଜଣଙ୍କ ଜୀବନ ନେଇଛନ୍ତି । ଆଉ ୧୫ ଜଣ ଗୁରୁତର ଆହତ ହୋଇ ମୃତ୍ୟୁ ମୁଖରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏଥିରୁ ୨୦୧୪-୧୫ରେ ୪ଟି ହାତୀ ଓ ୫ ଜଣ ଲୋକ, ୨୦୧୫-୧୬ରେ ୭ଖଟି ହାତୀ ଓ ୧୦ ଜଣ ଲୋକ, ୨୦୧୬-୧୭ରେ ୯ଟି ହାତୀ ଓ ୧୨ ଜଣ ଲୋକ, ୨୦୧୭-୧୮ରେ ୯ଟି ହାତୀ ଓ ୧୫ ଜଣ ଲୋକ ଏବଂ ଚଳିତ ବର୍ଷ ପର୍ଯ୍ୟନ୍ତ ୮ଟି ହାତୀ ଓ ୩ଜଣ ଲୋକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅପରପକ୍ଷରେ ୨୦୧୨ ହାତୀ ଗଣନା ଅନୁସାରେ, ଅନୁଗୁଳ ଜିଲ୍ଲାର ଏହି ୩ ବନଖଣ୍ଡରେ ହାତୀ ସଂଖ୍ୟା ୩୧୩ ଥିବା ବେଳେ ୨୦୧୭ ହାତୀ ଗଣନା ବେଳକୁ ଏହା ୨୫୧କୁ ଖସି ଆସିଛି । ୨୦୧୨ରେ ଅନୁଗୁଳ ବନଖଣ୍ଡରେ ୫୬,  ଆଠମଲ୍ଲିକ ବନଖଣ୍ଡରେ ୨୮ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୨୨୯ଟି ହାତୀ ଥିଲେ । ୨୦୧୭ ଗଣନା ବେଳେ କିନ୍ତୁ ଅନୁଗୁଳ ବନଖଣ୍ଡରେ ୪୫ଟି, ଆଠମଲ୍ଲିକ ବନଖଣ୍ଡରେ ୫୯ଟି ଏବଂ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୪୭ଟି ହାତୀ ରହିଥିବା ଜଣାପଡ଼ିଥିଲା । କାଠମାଫିଆ ସକ୍ରିୟ ରହିବା ଯୋଗୁଁ ଏବେ ଜଂଗଲ ଧ୍ଵଂସ ହେବାରେ ଲାଗିଛି । ଏପଟେ ଖାଦ୍ୟ ଅନ୍ଵେଷଣ ଯୋଗୁଁ ହାତୀମାନେ ଜନବସତି ଆଡ଼କୁ ଆସୁଛନ୍ତି । ଧାନ ଓ ପନପରିବା ଫସଲ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି । ଅନୁଗୁଳର ବନ୍ତଳା ଓ ଅନୁଗୁଳ ବନ ରେଂଜ ଅଂଚଳରେ ଏହି ଘଟଣା ବେଶୀ ଘଟୁଛି । ଅନେକ ସମୟରେ ହାତୀ ଜଂଗଲ ପାଖ ଗାଁକୁ ଆସି ଘରଦ୍ଵାର ଭାଙ୍ଗି ଦେଉଛନ୍ତି । ଘରେ ଶୋଇଥିବା ଲୋକଙ୍କୁ ଦଳି ମାରିବାର ବି ନଜିର ରହିଛି । ଏପରିକି ରାତ୍ରିରେ ଶୌଚ ପାଇଁ ବାହାରିଥିବା, ଜଙ୍ଗଲକୁ ଜାଳେଣି କିମ୍ବା ବନ୍ୟଜାତ ସଂଗ୍ରହ ପାଇଁ ଯାଇଥିବା ଲୋ‌କଙ୍କୁ ବି ହାତୀ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ସାତକୋଶିଆ ଅଂଚଳରେ ବାଘୁଣୀ ‘ସୁନ୍ଦରୀ’ ଭୟରେ ଲୋକେ ଆଉ ରାତିରେ ଫସଲ ଜଗିବା ପାଇଁ ଯାଉ ନାହାନ୍ତି । ଫଳରେ ହାତୀ ଏବେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।