ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ବର୍ଷ ଜେଲ, ୨ଲକ୍ଷ ଟଙ୍କା ଜରିମାନା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଏଣିକି ଦେଶରେ କୌଣସି ସ୍ୱାସ୍ଥ୍ୟକର୍ମୀକୁ ଅଥବା ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ ଭୋଗିବ ଓ ୨ ଲକ୍ଷ ଟଙ୍କା ଜରିମାନା ଦେବ ବୋଲି କେନ୍ଦ୍ରସରକାର ଘୋଷଣା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ କିଛି ଦିନ ହେଲା ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ଡାକ୍ତର ମାନଙ୍କୁ ଆକ୍ରମଣ ହୋଇଥିବା ନେଇ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ଘୋର ଉଦବେଗ ପ୍ରକାଶ କରିଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ ହେଉଥିବା ହିଂସା ପ୍ରତି ସରକାର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାରେ ବିଫଳ ହୁଅନ୍ତି ତେବେ ସାରା ଦେଶରେ ଏପ୍ରିଲ ୨୩କୁ ‘କଳା ଦିବସ’ ଘୋଷଣା କରାଯିବ ବୋଲି ଆଇଏମଏ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆଜି ଏହି ବିଷୟ ଉପରେ ଆଲୋଚନା କରି କେନ୍ଦ୍ର ସରକାର କଡ଼ା ଆଇନ ପ୍ରଣୟନ କରିଛନ୍ତି । ନିକଟରେ ହୋଇଥିବା ଆକ୍ରମଣ ଘଟଣାରେ ମେଡିକାଲ କର୍ମଚାରୀ, ଡାକ୍ତର, ଆଶା କର୍ମୀ ଏବଂ ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏପିଡେମିକ୍ ରୋଗ ଅଧିନିୟମ, ୧୮୯୭ରେ ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି । ଯେଉଁମାନେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବେ କିମ୍ବା ଭେଦଭାବ କରିବେ ସେମାନେ ୩ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହ  ୫୦,୦୦୦ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ । ଯଦି ଘଟଣା ଗୁରୁତର ହୁଏ ତେବେ ଜେଲ ଦଣ୍ଡ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ୧ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି । ଯଦି ଗାଡି, ମେଡିକାଲ କ୍ଲିନିକ କିମ୍ବା ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ଅନ୍ୟ କୌଣସି ସମ୍ପତ୍ତିର କ୍ଷତି ହୁଏ ତେବେ ଅଭିଯୁକ୍ତକୁ କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟରୁ ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ଉଲେଖଯୋଗ୍ୟ ଯେ, ଗତ ସୋମବାର ଦିନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ସାରା ଦେଶରେ ଡାକ୍ତର ଓ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରତି ହେଉଥିବା ହିଂସା ତଥା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲା । ସାରା ଦେଶରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରତି ହେଉଥିବା ହିଂସା ଉପରେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଆଇଏମଏ କେନ୍ଦ୍ରକୁ କହିଥିଲା । ଯଦି ହେଉଥିବା ହିଂସା ଉପରେ ସରକାର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାରେ ବିଫଳ ହୁଅନ୍ତି ତେବେ ସାରା ଦେଶରେ ଡାକ୍ତରମାନେ ଏପ୍ରିଲ ୨୩ରେ କଳା ବ୍ୟାଜ ପିନ୍ଧି କାମ କରିବେ ଏବଂ ଏହାକୁ ‘କଳା ଦିବସ’ ଘୋଷଣା କରାଯିବ ବୋଲି ଆଇଏମଏ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ଆଇଏମଏ ପକ୍ଷରୁ ଏଭଳି ଚେତାବନୀରେ ଭୟଭୀତ ହୋଇ କେନ୍ଦ୍ର ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କଡା ଆଇନ ପ୍ରଣୟନ କରିଛନ୍ତି । ଏଣିକି ଡାକ୍ତରମାନଙ୍କ ଭାଉ ଆହୁରି ବଢ଼ିଯିବ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି ।

ରିପୋର୍ଟ : ସୁଧାଂଶୁ ଶେଖର