‘ସ୍ୱାମୀଙ୍କ ସହିତ ପରକୀୟ ପ୍ରୀତିରେ ଲିପ୍ତ ମହିଳାଙ୍କୁ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ’

ଜବଲପୁର/ଭୋପାଳ: ସ୍ୱାମୀଙ୍କ ପରକୀୟ ପ୍ରୀତି ଯୋଗୁଁ ଯଦି ପତ୍ନୀ ଆତ୍ମହତ୍ୟା କରନ୍ତି, ତେବେ ଏଥି ପାଇଁ ସ୍ୱାମୀଙ୍କ ତଥାକଥିତ ପ୍ରେମିକାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକେର୍ଟେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ଅଞ୍ଜୁଲି ପଲୋଙ୍କୁ ନେଇ ଗଠିତ ସିଙ୍ଗଲଜଜ୍‌ ବେଞ୍ଚ ଏହି ରାୟ ଶୁଣାଇଛନ୍ତି।
ମାମଲାରୁ ପ୍ରକାଶ ଯେ, ୨୦୧୫ ମସିହା ଡିସେମ୍ବର ମାସ ୧୪ ତାରିଖ ଦିନ ଅବିନାଶ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ସରିତା ସିଂହ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିଲେ। ତେବେ ଗୁରୁତର ଅବସ୍ଥାରେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଡାକ୍ତରଖାନାରେ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇ କହିଥିଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ପରକୀୟ ପ୍ରୀତିରେ ଲିପ୍ତ ରହି ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହିତ ବିଭିନ୍ନ ଭାବେ ମାନସିକ ଓ ଶରୀରିକ ନିର୍ଯାତନା ଦେଉଥିଲେ। ଏହି ବୟାନ ଦେବାର କିଛି ସମୟ ପରେ ମହିଳାଜଣକ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାରେ ପୁଲିସ ସ୍ୱାମୀ ଅବନାଶ ସିଂହ ଓ ତାଙ୍କ ସହିତ ପରକୀୟ ପ୍ରୀତିରେ ଲିପ୍ତ ଥିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନମ୍ନ ଅଦାଲତ ମଧ୍ୟ ଉଭୟଙ୍କୁ ଦଫା ୩୦୪ ଓ ୪୯୮(କ) ଅନୁଯାୟୀ ଦାଷୀ ସାବ୍ୟସ୍ତ କରିଥିଲା। ନିମ୍ନ ଅଦାଲତଙ୍କ ଏହି ରାୟ ବିରୋଧରେ ମହିଳା ଜଣକ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ବିଚାର କରି ଜଷ୍ଟିସ ପଲୋ ମହିଳା ଜଣଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି।