ସ୍କୁଲ ମିଶ୍ରଣକୁ ବିରୋଧ କରି ଧାରଣାରେ ଗ୍ରାମବାସୀ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ଅଧିକ ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ଏକ ସ୍କୁଲରେ ମିଶ୍ରଣକୁ ବିରୋଧ କରି ଗ୍ରାମବାସୀମାନେ ଧାରଣା ଦେବା ସହ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ୩୬ଜଣ ଛାତ୍ର ଛାତ୍ରୀ ପଡୁଛନ୍ତି । ସେମାନେ ଅନ୍ୟ ଏକ ପଂଚାୟତକୁ ଯାଇ ସେଠାରେ ଥିବା ସ୍କୁଲରେ ପଢିବାକୁ ସୁରକ୍ଷିତ ନୁହେଁ ବୋଲି ସ୍କୁଲ କମିଟି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ କହିଛନ୍ତି । ଏପରିକି ସ୍କୁଲ ପରିଦର୍ଶନରେ ଆସିଥିବା ସିଆରସିସି କମଲ କୁମାର ବେହେରାଙ୍କୁ ତାଲା ପକାଇବା ସହିତ ଲିଖିତ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ସରପଞ୍ଚ କହିଥିଲେ । ଘଟଣା ସମ୍ପର୍କରେ ଛତ୍ରପୁର ଶିକ୍ଷାବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସିଆରସିସି କହିବା ପରେ ଗ୍ରାମବାସୀମାନେ ତାଙ୍କୁ ଛାଡିଛନ୍ତି । ସେପଟେ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷା ବିଭାଗ ସ୍କୁଲର ମିଶ୍ରଣକୁ ବନ୍ଦ କରିବେ ନାହିଁ । ସେତେଦିନ ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ଏବଂ ଗ୍ରାମର କୌଣସି ପିଲା ଅନ୍ୟଗ୍ରାମକୁ ପାଠ ପଢିବାକୁ ଯିବେ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ବିଇଓଙ୍କ ନିକଟକୁ  ପଠାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା