ସ୍କୁଲ ବନ୍ଦ ଓ ମିଶ୍ରଣ ନୀତି ବିରୋଧରେ ଡିଏସଓର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ୨୦୧୮ ମସିହାରେ ଶିକ୍ଷା ବିଭାଗ ୧୪୩୭୯ ବିଦ୍ୟାଳୟରେ ସ୍ୱଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ଆଣିଥିବା ନିୟମ ୨୦୨୦-୨୧ ମସିହାରେ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏହା ସମ୍ବିଧାନର ଧାରା ୨୧(ଏ) ଓ ଆଇନ୍ ୨୦୦୯ ଓ ଅଧିନିୟମ ୨୦୧୦ର ବିରୋଧାଚରଣ କରୁଛି ବୋଲି ଡିଏସ୍‌ଓ ପକ୍ଷରୁ ଦର୍ଶାଯାଇଛି । ଗଣଶିକ୍ଷା ବିଭାଗର ଏପରି ଆଇନ୍‌କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏହାକୁ ଅବୈଧ ବୋଲି ନିର୍ଦ୍ଦେଶ ଦେବା ସହିତ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ୨୦ଜଣରୁ କମ୍‌ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ଲାଗି ସରକାର ଆଇନ୍ କରିଥିଲେ । ଏହା ବିରୋଧରେ ଡିଏସ୍‌ଓ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ସହିତ ପ୍ରତ୍ୟେକ ଜିଲାରେ ଅଭିଭାବକମାନଙ୍କ ଦ୍ୱାରା ବିଦ୍ୟାଳୟ ସୁରକ୍ଷା କମିଟି ଗଠନ କରି ଆନ୍ଦୋଳନ ଚଳାଇଥିଲା । ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିନରେ ୧୦ଟି ବିଦ୍ୟାଳୟ ମିଶ୍ରଣ କରାଯାଇଛି । ଏବେ କରୋନା କଟକଣା ପରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ ଏହି ସବୁ ବିଦ୍ୟାଳୟ ଖୋଲିବା ଲାଗି ସରକାର ଅନୁମତି ଦେବାକୁ ଡିଏସ୍‌ଓ ପକ୍ଷରୁ କ୍ରିଷ୍ଣାରାଣୀ ସାହୁ, ଶଂକର ଚାନ୍ଦ, ମନୋରଂଜନ ଦାସ, ତପନ ଦାସ ପ୍ରମୁଖ ଜଳେଶ୍ୱର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା