ସୌରଷ୍ଟ୍ରେ ସୋମନାଥଞ୍ଚ…ଦ୍ଵାରକେ ଦ୍ଵାରୀକାଧୀଶ(୩ୟ ଭାଗ)…

ଅଧୁନା ସୋମନାଥକୁ ରେଳ ସଂଯୋଗ ନାହଁ,କାରଣ ସୋମନାଥ ଷ୍ଟେସନର ସମ୍ପୂର୍ଣ୍ଣ ଆଧୁନିକୀକରଣ ବା ପୁନଃନିର୍ମାଣ କାର୍ଯ୍ୟ ଚାଲିଛି ଦ୍ରୁତଗତିରେ ୧୩୪କୋଟି ବିନିମୟରେ । ଏଠାରେ ପର୍ଯ୍ୟଟକମାନଙ୍କୁ ସର୍ବଶ୍ରେଷ୍ଠ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ସହିତ ସୋମନାଥ ମନ୍ଦିର ଶୈଳୀରେ ଯାତ୍ରୀମାନଙ୍କୁ ପରିଚିତ କରାଇବା ଦିଗରେ ପଶ୍ଚିମ ରେଳବାଇ ଭରପୁର ଚେଷ୍ଟା ଜାରି ରଖିଛି ଯାହା ମାର୍ଚ୍ଚ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ ରଖାଯାଇଛି । ସେଥିପାଇଁ ସାମୟିକଭାବେ ସମୁଦ୍ର ତଟୀୟ ଭେରାଭଲ ଜଙ୍କସନ ବର୍ତ୍ତ ମାନ ସୋମନାଥର ନିକଟତମ ଷ୍ଟେସନଭାବେ କାର୍ଯ୍ୟକରୁଛି । ଆମ ଟ୍ରେନ, ଭେରାଭଲ-ଅହ ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସର ସମୟ ରାତି ୯.୫୦ରେ ଭେରାଭଲ ଛାଡ଼ିବ ଅହମଦା-ବାଦ ଉଦ୍ଦେଶ୍ୟରେ । ତେଣୁ ଆମେ ସୋମନାଥ ବିଚରେ କିଛି ସମୟ ବସିବା ପରେ ସୋମ ନାଥ ମନ୍ଦିର ନିକଟ ନଗରପାଳିକା ବଜାରରୁ କିଛି ଜିନିଷ କିଣି ହୋଟେଲ ଫେରିଲୁ, ନିତ୍ୟ କର୍ମ ସମାପନାନ୍ତେ ଭେରାଭଲ ଦିଗେ ବାହାରିଲୁ ଟାକ୍ସିରେ ରାତି ୮.୦୦ରେ । ୮.୪୦ରେ ଭେରାଭଲ ପହଞ୍ଚି ଷ୍ଟେସନ ସନ୍ନିକଟ ସାଇ ହୋଟେଲରେ ରାତ୍ରୀଭୋଜନ ସମାପ୍ତ କଲୁ, ଷ୍ଟେସନରେ ଗାଡ଼ି ଲାଗି ସାରିଥିଲା, ତଥାପି ଛାଡ଼ିବାକୁ ୨୫ମି.ଥାଏ, ଜିନିଷପତ୍ର ରଖସାରିବା ପରେ ମଧ୍ୟ ଏ.ସି.ଚାଲି ନଥାଏ, ଡିସେମ୍ବର ଅଧାରେ ମଧ୍ୟ ଗରମରେ ଝାଳ ବୋହୁଥାଏ । ଠିକ୍ ସମୟରେ ଟ୍ରେନ୍ ଛାଡିଲା, ରାତି ୧୧.୦୦ପର୍ଯ୍ୟନ୍ତ କିଛି ଗହଳ ଚହଳି ଥିଲା, ତା’ପରେ ସମସ୍ତେ ଶୋଇଗଲେ । ଏଇଠି ଟିକେ ଆପଣମାନଙ୍କୁ ଫେରାଇ ନେଉଛି ପୂର୍ବ ଘଟଣାକୁ, ମାନେ ଫ୍ଲାସବ୍ୟାକ୍, ସୋମନାଥରେ ରାତି ୯.୩୦ରେ ପହଞ୍ଚି ବସଷ୍ଟାଣ୍ଡରେ ବସିଥିଲୁ, ପୁଅ ହୋଟେଲ ଦେଖିବାକୁ ଯାଇଥିଲା, ବସଷ୍ଟାଣ୍ଡ ଡିସପ୍ଲେ ବୋର୍ଡରେ ଗୋଟିଏ ରୁଟରେ ବସ ଆସିବା କଥା ଘୋଷଣା କରୁଥାଏ, ପାଖରେ ବସିଥାଉ, ବାରମ୍ବାର ଦେଖାଉଥିବାରୁ ମନେ ରହିଯାଇଛି, ଘୋଷଣା କରୁଥାଏ ୪୯୩୭ ନମ୍ବର ବସ ଅମକ ସମୟରେ ଆସିବ, ଡିସପ୍ଲେ ବୋର୍ଡରେ ଦେଖୁଥାଏ, ଶୁଣୁଥାଏ, ବାରମ୍ବାର, କହୁଥାଏ, ହିନ୍ଦି, ଇଂଲିଶ, ଗୁଜୁରାଟୀରେ ମଧ୍ୟ, ଚାର, ନଅ, ତ୍ରାଣ, ସାତ ଓ ଇଂଲିଶରେ ଫୋର୍, ନାଇନ, ତ୍ରାଣ, ସେଭେନ ନମ୍ବର ବସ ଆସିବ, ମୁଁ ତେଣୁ ଭାଵି ନେଲି ଗୁଜୁରାଟୀରେ ତିନିକୁ’ତ୍ରାଣ’କହନ୍ତି । ଏକାଭଳି ଘଟଣା ପୂର୍ବରୁ ମୁଁ ସାମ୍ନା କରି ସାରିଛି, ଧରନ୍ତୁ ମୋର ଗ୍ୟାସ ଗ୍ରାହକ ସଂଖ୍ୟା ୫୨୭୩୬୯, ଗ୍ୟାସକୁ ଫୋନ କଲା ମାତ୍ରେ ସେଇଠୁ ଉତ୍ତର ଆସୁଛି, ଆପଣଙ୍କର ଗ୍ରାହକ ସଂଖ୍ୟା ପାଞ୍ଚ, ଦୁଇଟି, ସାତ, ତିନି, ଛଅ, ନଅ, ମୁଁ  ପ୍ରଥମେ କିଛି ଵୁଝି ପାରିଲିନି, ୧/୨ଥର ପରେ ଜାଣିଲି ଦୁଇ ସଂଖ୍ୟାକୁ ସିଏ ‘ଦୁଇଟି’ କହୁଛି, କିନ୍ତୁ କାରଣ କିଛି ବୁଝିହେଲାନି ଅଦ୍ୟାବଧି, କାରଣ ସବୁ ଅଙ୍କକୁ ଯଦି ସାଧାରଣ ଭାଵେ କହୁଛି, ଦୁଇକୁ କାହିଁକି ଦୁଇଟି କହୁଛି । ପୂର୍ବରୁ ଏପ୍ରକାର ଅଭିଜ୍ଞତା ଥିବାରୁ’ତ୍ରାଣ’ କଥାଟା ମୋ ମୁଣ୍ଡକୁ ଛୁଇଁଲା । ଗହଳିରେ ନିଦଭାଙ୍ଗିଗଲା, ଅହମଦାବାଦ ଆସିଗଲା, ଠିକ ୫.୪୦ରେ ଟ୍ରେନ ଲାଗିଲା ଷ୍ଟେସନରେ । ଆମେ ଜିନିଷପତ୍ର ରଖି ବସିଲୁ, ପୁଅଗଲା ହୋଟେଲ ବୁଝିବାକୁ ଷ୍ଟେସନ ପାଖରେ ହୋଟେଲ ସ୍ବାଗତମରେ ଅଗ୍ରୀମ କରିଆସିଲା, ଆମେ ସମସ୍ତେ ଜିନିଷ ଧରି ହୋଟେଲରେ ପହଞ୍ଚିଲୁ, ଅଳ୍ପ ସମୟ ବିଶ୍ରାମ କରି ନିତ୍ୟକର୍ମ ଶେଷକରି ପ୍ରାତଃରାସ ଉଦ୍ଦେଶ୍ୟରେ ବାହାରିଲୁ,ସେଠୁ ଅଟୋକରି ଗଲୁ ସାବରମତୀଆଶ୍ରମ । ମହାତ୍ମାଗାନ୍ଧୀଙ୍କର ସର୍ବାଧିକ ପ୍ରିୟ ସ୍ଥାନ, ସାବରମତୀ ନଦୀ କୂଳରେ ଗାନ୍ଧୀଜୀ ଏହି ଆଶ୍ରମ ସ୍ଥାପନ କରିଥିଲେ୧୯୧୭ ମସିହାରେ, ବର୍ତ୍ତମାନ ଏହା ଗାନ୍ଧୀ ସ୍ମାରକ ସଂଗ୍ରହାଳୟ ଭାଵେ କାର୍ଯ୍ୟ କରୁଛି । ବାପୁଜୀଙ୍କ ସମ୍ପର୍କୀତ ଅନେକ କିଛି, ଫଟୋ, ପେଣ୍ଟିଂ, ଚିତ୍ର, ବାପୁ ଓ ବା’ଙ୍କ ବ୍ୟବହୃତ ଜିନିଷ, ବହି, ବାପୁଙ୍କ ଦ୍ଵାରା ଏବଂ ଅନ୍ୟମାନଙ୍କଦ୍ଵାରା ବାପୁଙ୍କ ସମ୍ଵନ୍ଧରେ ଲିଖିତ ବିଭିନ୍ନ ପୁସ୍ତକ, ଅନ୍ୟମାନଙ୍କଦ୍ଵାରା ବାପୁଙ୍କୁ ପ୍ରଦତ୍ତ ଜିନିଷପତ୍ର, ବାପୁଜୀ ଆରମ୍ଭ  କରିଥିବା ଆନ୍ଦୋଳନ ତଥା ସମ୍ବୋଧନ କରିଥିବା ସଭାସମିତିର ବିବରଣୀ ଓ ଫଟୋଚିତ୍ର ଇତ୍ୟାଦି । ଗାନ୍ଧୀଜୀ ଏଠାରେ କସ୍ତୁରବାଙ୍କ ସହିତ ୧୨ଵର୍ଷ ରହିଥିଲେ, ଏହିଠାରୁ ଆରମ୍ଭ କରିଥିଲେ ଲବଣ ସତ୍ୟାଗ୍ରହ ନିମନ୍ତେ ଦାଣ୍ଡିଯାତ୍ରାର । ଗାନ୍ଧୀଙ୍କର ଆବକ୍ଷ ପ୍ରତିମୂର୍ତ୍ତିଏଠାରେ ଶୋଭା ପାଉଛି, ଆଶ୍ରମରେ ପ୍ରତିପାଳିତ କିଛି ଅନାଥ ପିଲାମାନଙ୍କ ଦ୍ଵାରା ନିର୍ମିତ କୁଟୀର ଶିଳ୍ପ ଜାତୀୟ ଜିନିଷ ପ୍ରସ୍ତୁତି ଓ ପ୍ରଦର୍ଶନ ଏବଂ ବିକ୍ରୀସକାଶେ ଏକ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଛି ଏକକୋଣରେ ନଦୀପଟକୁ । ଆଶ୍ରମରେ କୋଉଠି ଗୀତାପାଠ ହେଉଥାଏ ତ କୋଉଠି ରାମଧୁନ ଚାଲିଥାଏ, ଗାନ୍ଧୀ ବ୍ୟବହାର କରିଥିବା କେତେ ପ୍ରକାର ଚରଖା, ସୂତା ନଟି ପ୍ରଭୃତି ମଧ୍ୟ ପ୍ରଦର୍ଶିତ ହେଉଛି । ସିମେଣ୍ଟ ବେଞ୍ଚ ଥିବା ସାବରମତୀ ପଟକୁ ଆଶ୍ରମର ସ୍ଥାନଟି ବେଶ ଭଲଲାଗିଲା, ଆଶ୍ରମ ପାଚେରୀପାର୍ଶ୍ୱରୁ ମଧ୍ୟନଦୀକୁ ଅବଲୋକନ କରାଯାଇ ପାରେ, ବିଭିନ୍ନ ବୃକ୍ଷସହ ସେପାର୍ଶ୍ୱଟି ଅତି ସୁନ୍ଦର । ସେଠାରେ ସମସ୍ତେ ପ୍ରାୟ ଫଟୋ ଉଠାନ୍ତି ଆମେ ମଧ୍ୟ କିଛି ଫଟୋ ଉଠାଇ ଆଶ୍ରମ ଛାଡିଲୁ । ନଦୀ ତୀରେ ତୀରେ ଗାଡି ଚାଲିଲା ପରବର୍ତ୍ତୀ ସ୍ଥାନ ଜୈନ ମନ୍ଦିର ଉଦ୍ଦେଶ୍ୟରେ, ନଦୀ ଦୁଇ କୂଳରେ ରାସ୍ତା କଡ଼େ କଡେ ସିମେଣ୍ଟର ଚଉଡା ରାସ୍ତା ଓ ରାସ୍ତା ଉପରେ ମଝିରେ ମଝିରେ ସିମେଣ୍ଟ ବେଞ୍ଚ, ସନ୍ଧ୍ୟାରେ/ଛାଇରେ ବସି ହାୱାଖାଇବା ବା ବିଶ୍ରାମସକାଶେ ଗୂଜୁରାଟରେ ଏମିତି ଅନେକ ସହରରେ ଦେଖିଲି ରାସ୍ତାଧାରରେ ସିମେଣ୍ଟ ବେଞ୍ଚ, ସାଧାରଣ ଜନତାଙ୍କ ନିମନ୍ତେ, ଆମର ଏମିତି କୋଉଠି ଅଛି ? ବିରାଟ ଜୈନ ମନ୍ଦିରଟିର କାରୁକାର୍ଯ୍ୟ ଅତି ସୁନ୍ଦର ଏବଂ ସୂକ୍ଷ୍ମ,ମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ମାର୍ବଲରେ, ମୁଖ୍ୟ ଓ ପାର୍ଶ୍ୱ ବିଗ୍ରହଗୁଡିକ ଆକର୍ଷଣୀୟ । ଗଞ୍ଜାମର ଭୈରବୀ ମନ୍ଦିରର ୧୦୮ମନ୍ଦିର ସଦୃଶ ଏହି ଜୈନ ମନ୍ଦିରର ଭିତରପଟେ ପାଚେରୀକୁ ଲାଗି ଅନେକଗୁଡିଏ କ୍ଷୁଦ୍ରମନ୍ଦିର, ଏଗୁଡ଼ିକରେ ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ କାରୁକଳାରେ ଜୈନ ତୀର୍ଥଙ୍କରମାନଙ୍କର ବିଗ୍ରହସବୁ ପୂଜାପାଉଛି  ।ମୁଖ୍ୟ ମନ୍ଦିର ବାହାରେ ମଧ୍ୟ ଏକ ସୁନ୍ଦର ମନ୍ଦିର ରହିଛି, ପରିବେଶ, ମନ୍ଦିର ଅଭ୍ୟନ୍ତର ଅତି ପରିଷ୍କାର ପରିଚ୍ଛନ୍ନ । ସେଠାରୁ ଗଲୁ ପ୍ରାୟ ଏକ ମାଇଲ ଦୂର ଏକ ପାଞ୍ଚମହଲା ବିଶିଷ୍ଟ କୂଅ, ଯାହା ଅଭ୍ୟନ୍ତରକୁ  ପଥରର ଘୁରାଶିଡି(spiral stair)ଦେଇ ଯିବାକୁ ହୁଏ, ଆମେ ଗୋଟିଏ ମହଲା ଭିତରକୁ ଯାଇ ଫଟୋ ଉଠାଇ ଚାଲିଆସିଲୁ । ଏହି କୂପର ନାମ,”ଦାଈ ହରିର(ପ୍ରକୃତ ନାମ ବାଲ ହରିର ସୁଲତାନୀ)ଭାବ(ପାବଚ୍ଛ କୂପ)”,ଯାହା ୧୪୮୫ ମସିହାରେ ମାମୁଦ ବେଗଡ (ସୋମନାଥ ମନ୍ଦିର ଆକ୍ରମଣକାରୀ)ଙ୍କର ହାରେମର ଅଧ୍ୟକ୍ଷା, ଧାଈ ହରିରଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଧାଈ ହରୀର ନିକଟରେ ଏକ ମସଜିଦ ଓ ସମାଧି ନିର୍ମାଣ କରାଇଥିଲେ ଯୋଉଠି ତାଙ୍କୁ ସମାଧି ଦିଆଯାଇଛି । ଏତେସୁନ୍ଦର ଐତିହ୍ୟସ୍ଥଳୀ ହୋଇଥିଲେ ମଧ୍ୟ, ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଠାରେ ଜଗୁଆଳୀ ନିଯୁକ୍ତି କରିଥିଲେ ମଧ୍ୟ ଦୁଃଖର   କଥା ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ ।ପରିସରରେ ଯିଏ ଯୋଉଠି ଯାହା କରିପାରିଲା, ଵାହାରପାର୍ଶ୍ୱରେ ଓ ଭିତରେ କିଛି ଅଂଶରେ ଜବରଦଖଲ ହୋଇଛି ସ୍ଥାନୀୟ ବାସିନ୍ଦାଙ୍କଦ୍ଵାରା । ଏହି କୂଅ ପାଞ୍ଚମହଲା ତଳେ ତତ୍କାଳୀନ ସମୟରେ ଖୋଳା ଯାଇଥିଲା ବର୍ଷା ନହେବା ପରିସ୍ଥିତିର ମୁକାବିଲା ନିମନ୍ତେ । ଆଜି ବି ଏଥିରେ ପାଣି ଅଛି, ପାନୀୟ ଯୋଗ୍ୟ ନୁହେଁ, ପାଞ୍ଚମହଲା ଏପରି ତିଆରି ହୋଇଛି ସବୁ ମହଲାରେ ଅନେକ ଲୋକ ଆବଶ୍ୟକ ସମୟରେ ଏକତ୍ର ହୋଇପାରିବେ, ସବୁମହଲାରେ ଉପଯୁକ୍ତ ଆଲୋକ/ବାୟୁ ସକାଶେ ବଡ଼ ବଡ଼ ଖୋଲା ସ୍ଥାନ ଅଛି । ଏହି ନିର୍ମାଣର ଏକ ପ୍ରାନ୍ତରେ ସମ୍ଭବତଃ ପୂର୍ବପଟେ ପୂରା କୂଅ ପର୍ଯ୍ୟନ୍ତ ପାବଚ୍ଛଶ୍ରେଣୀ ଅଛି, ଦୁଇପଟେ ଘୁରାଶିଡି ଅଛି । ସବୁ ମହଲା ରେ କାନ୍ଥରେ ଏତେ ସୁନ୍ଦର/ସୂକ୍ଷ୍ମ କାରୁକାର୍ଯ୍ୟରେ ଡାଳିଲତା, ପଶୁପକ୍ଷୀ, ହିନ୍ଦୁ, ଜୈନ, ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତୀ ଖୋଦିତ ଯେ, ଏତେସୁନ୍ଦର କାରୁକଳାକୁ କେମିତି ଏମିତି ଅବହେଳିତ ଅବସ୍ଥାରେ ଛାଡ଼ି ଦିଆଯାଇଛି, ଆଶ୍ଚର୍ଯ୍ୟ ଲାଗେ ! ସେତେବେଳେ ମୁସଲିମ ଶାସକମାନଙ୍କର କର୍ମଚାରୀ, ଓଟ, ଘୋଡ଼ା, ଗଧ ଇତ୍ୟାଦି ପଶୁପକ୍ଷୀଙ୍କ ନିମନ୍ତେ ଏହି ଜଳ ବ୍ୟବହାର କରାଯାଉଥିଲା, ଏହି କୂଅରୁ ପାଣିକାଢି ସିମେଣ୍ଟ ନଳାରେ ନିଆଯାଇ ମନୁଷ୍ୟ ଓ ପଶୁପକ୍ଷୀଙ୍କ ସକାଶେ ଅଲଗା ଅଲଗା ସ୍ଥାନରେ ରଖାଯାଉଥିଲା । ଏହାପରେ ଆମେ ବସରେ ଗୁଜୁରାଟର ନୁଆ ରାଜଧାନୀ, ଗାନ୍ଧୀନଗର ଚାଲିଲୁ ବସରେ, ଗାନ୍ଧୀନଗରରେ ସିଧାଗଲୁ ଅକ୍ଷରଧାମ ମନ୍ଦିର(ସୋମବାର ବନ୍ଦ) ବୁଲିବାକୁ । ମୋବାଇଲ, ଘଣ୍ଟା, ବ୍ୟାଗ, ପର୍ସ ସବୁ ନିର୍ଦ୍ଦିଷ୍ଟ କାଉଣ୍ଟରରେ ଜମାକରି ଭିତରକୁ ଗଲୁ, ଭିତରେ ଥିବା ରେଷ୍ଟୁ ରାଣ୍ଟରେ ମଧ୍ୟାହ୍ନଭୋଜନ ଅନ୍ତେ, ମନ୍ଦିର ବୁଲିଲୁ । ଗୁଜରାଟର ନୂତନ ରାଜଧାନୀ ଗାନ୍ଧୀ- ନଗରରେ ସମ୍ପୂର୍ଣ୍ଣ ୨୩ଏକର ସ୍ଥାନର କେନ୍ଦ୍ରରେ ରଥାକୃତିର ମନ୍ଦିରଟି ରାଜସ୍ଥାନରୁ ଆନୀତ ୬୦୦୦ ଟନ ପିଙ୍କ ରଙ୍ଗର ବାଲିପଥରରେ ନିର୍ମିତ । ୧୦୮ଫୁଟ ଉଚ୍ଚ, ୧୩୧ଫୁଟ ପ୍ରସ୍ଥ ଓ ୨୪୦ ଫୁଟ ଲମ୍ବର ଏହିମନ୍ଦିର ୯୭ଟି ଖୋଦେଇ ସ୍ତମ୍ଭ ଉପରେ ୫ଟନ ଓଜନର ୨୦ଫୁଟ ଲମ୍ବା ୨୨୦ଟି ପଥରବିମ୍ଉପରେ ନିର୍ମିତ । ଏଥିରେ କୋୖଣସି ପ୍ରକାର ଇସ୍ପାତ କିମ୍ବା ଲୁହା ବ୍ୟବହାର କରାଯାଇନାହିଁ । ମନ୍ଦିରର ୧୭ଟି ଗମ୍ବୁଜ ଓ ୮ଟି ବାଲକୋନି ଏବଂ ଅନେକ କାରୁକାର୍ଯ୍ୟ ଭରା ତୋରଣ ଅଛି, ମୁଖ୍ୟବିଗ୍ରହ ସ୍ବର୍ଣ୍ଣ ଆଛାଦିତ । ସୁକ୍ଷ୍ମ କାରୁକାର୍ଯ୍ୟଭରା ବିରାଟ ମନ୍ଦିର, ବେଢା ମଧ୍ୟ ତଦ୍ରୁପ, ବେଢା ଭିତରେ ମଧ୍ୟ ଅନେକ ପୁରାଣର ଦୃଶ୍ୟ ମୂର୍ତ୍ତାୟନ ହୋଇଛି । ମୁଖ୍ୟ ମନ୍ଦିରରେ ସ୍ବାମୀ ନାରାୟଣଙ୍କ ସୁଦୃଶ୍ୟ ମୂର୍ତ୍ତୀ ସହିତ ଉପର ମହଲାରେ ସ୍ବାମୀ ନାରାୟଣଙ୍କର ସଂଘର୍ଷମୟ ଜୀବନ କାହାଣୀ ସହିତ ସାଫଲ୍ୟର ଇତିହାସ ପେଣ୍ଟିଂ ମାଧ୍ୟମରେ ସୁନ୍ଦର ଭାବରେ ବର୍ଣ୍ଣିତ । ଭିତରେ ଏକ ଘଣ୍ଟିକିଆ ପ୍ରଦର୍ଶନୀ ହେଉଥିଲା, ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମ ପାଇଁ ତାହା ବର୍ଜନୀୟ ଥିଲା, ସ୍ବାମୀନାରାୟଣଙ୍କ ସମ୍ବନ୍ଧୀୟ ସବୁ ଜିନିଷ ମିଳୁଥିବା ବଜାର ମଧ୍ୟ ଦେଇ ଆମେ ଫେରିଆସିଲୁ । ଗୂଜୁରାଟରେ ସରକାରୀ ବସ ସେଵା ଭାରି ବଢିଆ,ମାତ୍ର ୪.୦୦ ବେଳକୁ ଫେରିବାକୁ ବସ ମିଳିଲାନି, ଅତଏବ ଆମେ ଟାକ୍ସିରେ ଅହମଦାବାଦ ଫେରିଲୁ ।ହୋଟେଲରେ ଟିକେ ବିଶ୍ରାମକରି ନିତ୍ୟକର୍ମ ସାରି ବଜାର ବୁଲିବାକୁ ବାହାରିଲୁ,ଅଟୋ ଛାଡିଦେଲା ଗୋଟେ ଜାଗାରେ ମାର୍କେଟ ଏରିଆ ବୋଲି ।ସେଠାରେ ବିଭିନ୍ନ ଜିନିଷ ପାଇଁ ଅଲଗା ଅଲଗା ମାର୍କେଟ ଅଛି, କୋଉଠି ଚୁଡ଼ି, ଶଙ୍ଖା ତ କୋଉଠି ଲେଡିଜ୍ ବ୍ୟାଗ ଏମିତି କେତେ କ’ଣ !ଅଧ କି.ମି. ଦୂରରେ ତିନ ଦରୱାଜା ମାର୍କେଟ,ଏଇଠି କହିରଖେ ଜୈନମନ୍ଦିର ଗଲାବେଳେ ବାଟରେ ଲାଲ ଦରୱାଜା ପଡ଼ିଥିଲା।ଅହମଦାବାଦରେ କେତୋଟି ଗେଟ୍ ବା ଦରୱାଜା ଅଛି ସେ ସମ୍ଵନ୍ଧରେ ଐତିହାସିକମାନେ ମଧ୍ୟ ଏକମତ ନୁହଁନ୍ତି,କାହା ମତରେ ୧୨ କାହା ମତରେ ୧୬ ତ ଆଉ କିଏ କହୁଛି ୨୧ଟି ଗେଟ୍।ସେ ସମ୍ପର୍କରେ ବିଭ୍ରାନ୍ତ ହେବା ଅନାବଶ୍ୟକ, ୧୪୧୫ରେ ଅହମଦାବାଦ ନଗର ସ୍ଥାପନାପରେ ଅହମଦ ଶାହ,ଭଦ୍ରା ଦୁର୍ଗ ନିକଟରେ ତିନ୍ ଦରୱାଜା ନିର୍ମାଣ କରାଇଥିଲେ, ତିନୋଟି ଗମ୍ବୁଜଥିବା କାରୁକାର୍ଯ୍ୟପୂର୍ଣ୍ଣ ଏକ ଗେଟ୍,ମଝି ଗେଟ୍ ମଧ୍ୟଦେଇ ଯାଇଥିବାରାସ୍ତାର ଚଉଡା ୧୭ ଫୁଟ ଓ ଅନ୍ୟ ଦୁଇଟି ଗମ୍ବୁଜର ଚଉଡା ୧୩ଫୁଟ।ଏବେ ଏଠାରେ ଏକ ଜନ ଗହଳିପୂର୍ଣ୍ଣ ବଜାର କାର୍ଯ୍ୟକରୁଛି । ଏହି ବଜାରରେ କ’ଣ ନମିଳିବ ଏମନ୍ତ ନୁହେଁ, ଚଟପଟା ଖାଦ୍ୟଠୁ ଆରମ୍ଭକରି ସବୁପ୍ରକାର ଘରକରଣା ଜିନିଷ ଏଠାରେ ମିଳେ, ପୁଣି ଭଲ ଦରରେ, ମୂଲଚାଲର କୋୖଣସି ପ୍ରଶ୍ନ ନାହିଁ, ଅବଶ୍ୟ ତା’ର ଆବଶ୍ୟକତା ପଡେନାହିଁ, ହାଇଦ୍ରାବାଦର କୋଟି ଓ ଦିଲ୍ଲୀର ଚାନ୍ଦିନୀଚୌକ‌ ମାର୍କେଟ ଭଳି । ସେଠାରୁ କିଛି କିଣାକିଣି କରି ରାତ୍ରୀ- ଭୋଜନ ଶେଷକରି ହୋଟେଲକୁ ଫେରିଲୁ ୧୦.୩୦ସମୟରେ । ସକାଳୁ ଉଠି ନିତ୍ୟକର୍ମ ସାରି ବାହାରିଲୁ ଏୟାରପୋର୍ଟ, ୭.୨୫ରେ ଆମ ଫ୍ଲାଇଟ ଭାୟା ହାଇଦ୍ରାବାଦ । ଏଇଠି ମନେ ପଡିଲା, କଥାଟିଏ କହିଦେଉଛି, ଗୁଜୁରାଟରେ ସବୁଠି ଦେଖିଲି, ହୋଟେଲ ଟଏଲେଟ କମୋଡରେ ଏଭଳି ପାଣି ପାଇପ୍ ଲଗାଯାଇଛି ଯେ ଶୌଚ କ୍ରୀୟାଟି ଆପଣାଛାଏଁ ହୋଇଯାଉଛି । ଦିବ୍ୟାଙ୍ଗ ବା ବୟସ୍କ ବ୍ୟକ୍ତିମାନଙ୍କ ଲାଗି ବରଦାୟକ ନିଶ୍ଚିତ, ଆବଶ୍ୟକତାନୁଯାୟୀ ଏସବୁ ଘରେଲଗାଇବା ଉଚିତ୍, ଏହା ସମସ୍ତେ ଜାଣିବା ମଧ୍ୟ ଅତ୍ୟାବଶ୍ୟକ।ଆଉ ଗୋଟିଏ କଥା, ଗୃଜୁରାଟର ଅନେକ ସ୍ଥାନରେ ବିଶେଷ କରି, ପୁରୁଣା ରାଜଧାନୀ ଅହମଦାବାଦରେ ଟ୍ରାଫିକ୍ କଟକଣା କିଛି ନାହିଁ, କେହି ହେଲମେଟ ବ୍ୟବହାର କରୁ ନାହାଁନ୍ତି, ଟୁହୁଇଲରରେ ୩ଜଣ ବସିବାରେ ବାଧାନାହିଁ, କିଏ କୁଆଡେ ଯାଉଛି ରାସ୍ତାରେ, ତା’ର କିଛି ଠିକଣା ନାହିଁ । ଅଜବ ଲାଗିଲା ଏସବୁ ଦେଖି, ଗୃହ ମନ୍ତ୍ରଣାଳୟ, ଯୋଉଠୁ ସବୁ ନିୟମ କାନୁନ୍ ଉଦ୍ଭବ, ସେଇ ମନ୍ତ୍ରୀଙ୍କର ରାଜ୍ୟରେ ଏମିତି କିପରି,ନିୟମ କାହା ପାଇଁ ? ହାଇଦ୍ରାବାଦ ଭାୟା ହୋଇ ଆମେ ଆସି ଭୁବନେଶ୍ୱର ପହଞ୍ଚିଲା ବେଳକୁ ଦ୍ବିପ୍ରହର ୨.୦୦ । ପଶ୍ଚିମରେ ଏବଂ ଦକ୍ଷିଣରେ ମନ୍ଦିର ଏବଂ ବିଗ୍ରହଙ୍କୁ ସ୍ବର୍ଣ୍ଣାଛାଦିତ କରିବାର ଏ ଯେଉଁ ମାନସିକତା ବା ପ୍ରତିଯୋଗୀତା ମତେ ଭଲ ଲାଗିଲା ନାହିଁ।ଏହାଦ୍ଵାରା ପଥର ମୁନରେ ସୁକ୍ଷ୍ମ କାରୁକାର୍ଯ୍ୟ ଫୁଟାଇଥିବା କୁଶଳୀ କାରିଗର ପ୍ରତି ଅନ୍ୟାୟ ହେଉନି, ପୁଣି ସୁକ୍ଷ୍ମ କାରୁକଳା ଗୁଡିକ ସୁନା ଆଭରଣ ତଳେ ଲୁଚିଯାଉନି ! ଆମ ରାଜ୍ୟରେ ସେ ପ୍ରକାର ମାନସିକତା ନାହିଁ, ନଚେତ୍ କଳା ଠାକୁରଙ୍କ ପାଇଁ ସୁନା ଦେବାକୁ କ’ଣ ଲୋକ ଅନାଗ୍ରହୀ ହେବେ ?   ସମାପ୍ତ

ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯