ସେବା ସମବାୟ ସମିତିର ଆନ୍ଦୋଳନ ଅବ୍ୟାହତ : ଜଳେଶ୍ୱର ଆର୍‌ଏମ୍‌ସିର ଧାନ କିଣା ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସେବା ସମବାୟ ସମିତିର କର୍ମଚାରୀମାନଙ୍କ ୫ ଦଫା ଦାବିନେଇ ଆନ୍ଦୋଳନ ଫଳରେ ଖରିଫ ଋତୁରେ ଉତ୍ପନ୍ନ ଧାନ ଚାଷୀଙ୍କ ଠାରୁ ସରକାର କିଣିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଚାଷୀ ଅଭାବି ବିକ୍ରର ଶୀକାର ହୋଇଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶିତ ହେବା ପରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲାର ଜଳେଶ୍ୱର ଆର୍‌ଏମ୍‌ସି ପକ୍ଷରୁ ଆଜି ମଂଗଳବାର ଧାନକିଣା ଆରମ୍ଭ ହୋଇଛି । ନନ୍ଦିକାଠାରେ ଥିବା ଆର୍‌ଏମ୍‌ସି ମାର୍କେଟିଂ ୱାର୍ଡରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିଥିବା ଜଣାଯାଇଛି । ଆର.ଏମ୍‌.ସି ସମ୍ପାଦକ ବଳରାମ ଜେନାଙ୍କ ଉପସ୍ଥିତିରେ ରାମନଗରପାଟଣା ସେବା ସମବାୟ ସମିତିର ଟୋକନ୍ ପାଇଥିବା ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିଛନ୍ତି । ବାଲେଶ୍ୱରର ଏସ୍‌.ଏସ୍‌.ଏଗ୍ରୋ ଏଠାକୁ ଆସି ୨୦୦ କ୍ୟୁଣ୍ଟାଲ ଧାନ କ୍ରୟ କରିଥିବା ବେଳେ ଆସନ୍ତା ଶୁକ୍ରବାର ଅଲାଲପୁର ସେବା ସମବାୟ ସମିତି ଓ ରାମନଗରପାଟଣାର ସେବା ସମବାୟ ସମିତିର ଟୋକନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ସଂପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି । ପଞ୍ଜିକୃତ ଚାଷୀମାନେ ଏହି କେନ୍ଦ୍ରରେ ଧାନ ବିକ୍ରୟ କରିବା ସୁଯୋଗ ନେବାକୁ ଚାଷୀ କମିଟିର ନେତା ସୁବ୍ରତ ବେରା, ମନ୍ମଥ ଦତ୍ତ, ଆଦିତ୍ୟ ପାତ୍ର, ରାଧାଶ୍ୟାମ ସାହୁ, ବିଜୟ କାମିଳା, ହରିଶ୍ ଭୂୟାଁ, ଗଣେଶ ପାତ୍ର, ଘନଶ୍ୟାମ ପାତ୍ର, ସୀତାରାମ ପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି । ତେବେ ବ୍ଲକରେ ଏହି ୨ଟି ସେବା ସମବାୟ ସମିତି ଛଡା ଅନ୍ୟ ୧୭ଟି ସେବା ସମବାୟ ସମିତିରେ କେବେ ଧାନ କିଣାଯିବ ସେଥି ନେଇ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି ପରିଡା