ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ଚୋରାବାଲି ଚାଲାଣ : ଲୋକାୟୁକ୍ତଙ୍କ ୨ ଦିନିଆ ତଦନ୍ତ ଶେଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅଧିନରେ ଥିବା ସୁବର୍ଣ୍ଣରେଖା ନଦୀର ୨୩ଟି ସୈରାତରୁ ୨୨ଟି ଚଳିତବର୍ଷ ନିଲାମ ଦିଆଯାଇନଥିବାରୁ ଏବଂ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବ୍ୟାପକ ବାଲି ଚୋରାରେ ଚାଲାଣ ହୋଇ ଆସୁଛି । ଏଥିନେଇ ରାଜ୍ୟ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବାରୁ ଏକ ତିନିଜଣିଆ ଟିମ୍ ଆଜି ତଦନ୍ତ ସାରି ଫେରିଥିବା ଜଣାଯାଇଛି । ଜଳେଶ୍ୱର ତହସିଲ ଅନ୍ତର୍ଗତ ବାଲିକବାର୍ଡ ବାଲି ସୈରାତକୁ ବାଦ ଦେଲେ ଅନ୍ୟ ସମସ୍ତ ୨୨ଟି ବାଲି ସୈରାତ ଚଳିତବର୍ଷ ବନ୍ଦ ରହିଛି । ପ୍ରଶାସନର ଅଦୂରଦର୍ଶୀତା ଯୋଗୁଁ ନିଲାମ ଦିଆଯାଇନଥିବା ବେଳେ ଜନସାଧାରଣଙ୍କ ଆବଶ୍ୟକତାକୁ ଲକ୍ଷ୍ୟକରି କେତେକ ବାଲି ମାଫିଆ ବାଲି ଉତ୍ତୋଳନ କରୁଛନ୍ତି । ଏଥିରୁ ବହୁ ଅଂଶ ବାଲି ପଶ୍ଚିମବଂଗକୁ ସିଧାସଳଖ ଯାଉଥିବା ବେଳେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱହାନି ଘଟୁଛି । ଗତ ଫେବୃଆରୀ ମାସରେ କଂଗ୍ରେସ ଯୁବନେତା ଅଶୋକ କୁମାର ପରିଡା ଓ ପଂଚାୟତ ସମିତି ସଦସ୍ୟା ପ୍ରତିଭାନାଥଙ୍କ ନେତୃତ୍ୱରେ ରାୟାଁରାମଚନ୍ଦ୍ରପୁର ଗାଁ ନିକଟରୁ ବ୍ୟାପକ ବାଲି ଚୋରି ହେଉଥିବା ସଂପର୍କରେ ଅଭିଯୋଗ ହେବାରୁ ୧୨୦୪/୨୦୨୦ ମୂଳେ ଅଭିଯୋଗ ହୋଇଥିଲା । କିନ୍ତୁ ଜିଲାପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଥିଲେ । ଫଳରେ ଫେବୃଆରୀ ୪ ତାରିଖରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱରର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ ଓ ଓଲମରା ଆର୍‌ଆଇ ଦିଲ୍ଲିପ କୁମାର ଚନ୍ଦ ପୁଲିସ୍ ସହିତ ଅତର୍କିତଭାବେ ରାତିରେ ଚଢାଉ କରିଥିଲେ । ବାଲି ଚୋରାକାରବାରରେ ସଂଶ୍ଳିଷ୍ଟ ଥିବା ସ୍ଥାନୀୟ ଜନୈକ ଯୁବକ ଧମକ ଦେବା ସହିତ ସେମାନଙ୍କୁ ଅଶ୍ଳୀଳଭାଷା ପ୍ରୟୋଗ କରିଥିଲେ । ତାକୁ ଥାନାକୁ ଅଣାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୋଲିସ୍ ଛାଡିଦେଇଥିଲା । ଲୋକାୟୁକ୍ତଙ୍କୁ ବାରମ୍ବାର ଏ ସମ୍ପର୍କରେ ଜଣାଇ ଦିଆଯିବାରୁ ଏକ ତିନିଜଣିଆ ଟିମ୍ ଗତ ମଂଗଳବାର ଜଳେଶ୍ୱର ତହସିଲଊରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଘଟଣାସ୍ଥଳକୁ ଯିବା ସହିତ ସ୍ଥାନୀୟ ବ୍ୟକ୍ତି ମାନଙ୍କର ମତାମତ ସଂଗ୍ରହ କରିଥିଲେ । ଏହି ତଦନ୍ତ ବେଳେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ, ତହସିଲ କର୍ମଚାରୀ ଓ କେତେକ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଆଜି ଏହି ଟିମ୍ ତଦନ୍ତ ସାରି ଲୋକାୟୁକ୍ତଙ୍କୁ ରିପୋର୍ଟ ପ୍ରଦାନ ଲାଗି ଭୁବନେଶ୍ୱର ଫେରି ଯାଇଛନ୍ତି ।