ସିମାଞ୍ଚଳକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସିମାଞ୍ଚଳକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସ୍ତ୍ରୀ ଓ ପୁଅ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସ୍ୱାମୀକୁ କିପରି ସେଠାରୁ ଆଣି ଏଠାରେ ଉତମ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ସ୍ତ୍ରୀ ସୁପ୍ରଭା ରାଉତ କୋହଭରା କଣ୍ଠରେ ନିବେଦନ କରିଛନ୍ତି । ଖଲ୍ଲିକୋଟ ତୋଟାଗାଁର ସିମାଞ୍ଚଳ ରାଉତ ନିଜ ପରିବାର ଚଳାଇବା ସହ ଦୁଇ ପୁଅକୁ ଭଲ ପାଠ ପଢାଇବା ଆଶାରେ ୨୦୧୭ ମସିହାରେ ବିଦେଶ ଯାଇଥିଲେ । ସେ ଆରବ ଦେଶର ବାହାରିନର ଏନଏସଏଚ ନାମକ ଏକ କମ୍ପାନୀରେ କାମ କରି ଦି’ପଇସା ରୋଜଗାର କରୁଥିଲେ । କିନ୍ତୁ ଗତ ଜୁଲାଇ ୧୮ରେ ସିମାଞ୍ଚଳଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହେଲା । ଏମିତିକି ସେ ପକ୍ଷଘାତ ହୋଇଗଲେ । ଏହି ସମୟରେ ତାଙ୍କ ନିକଟରେ ଦେବଦୂତ ଭାବେ ସେଠାକାର ଓଡିଆ ସମାଜର ପ୍ରତିଷ୍ଠାତା ଆଗକୁ ଆସି ମେଡିକାଲରେ ରଖି ଚିକିତ୍ସା କରାଉଛନ୍ତି । ଅନ୍ୟପଟେ ଏହି ଖବର ପରିବାର ଲୋକମାନେ ଜାଣିବା ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଘରର ମୁରବି ବିଦେଶରେ ମରଣ ସହ ଲଢୁଥିବା ବେଳେ କିପରି ସେ ସୁସ୍ଥ ହୋଇ ଘରକୁ ଫେରିବେ ସେ ଚିନ୍ତାରେ ପଡି ଯାଇଛନ୍ତି ପରିବାର ଲୋକେ । ବର୍ତ୍ତମାନ ସିମାଞ୍ଚଳ ସେଲମାନିଆ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଜଣେ ଓଡିଆ ଭାଇକୁ ସାହାଯ୍ୟ କରିବା ପାଇଁ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ସିମାଞ୍ଚଳଙ୍କ ନିକଟରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଉଛନ୍ତି । ବର୍ତ୍ତମାନ ସିମାଞ୍ଚଳ କୋମାରେ ରହୁଥିବା ବେଳେ କିପରି ସେଠାରୁ ନିଜ ଭିଟାମାଟିକୁ ଫେରିବେ ସେ ନେଇ ଆଜି ତାଙ୍କ ପରିବାର ଛତ୍ରପୁର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା