ସିଦ୍ଧୁଙ୍କ ସିଦ୍ଧି ପ୍ରାପ୍ତି…

ଜୋକର ଦେଖିଛନ୍ତି,କେବେ ନା କେବେ ଦେଖିଥିବେ,କିଛି ନହେଲେ, ତାସମୁଠାର ଜୋକରକୁ ନିଶ୍ଚୟ ଦେଖିଥିବେ ।ବିଚିତ୍ର ବେଶଭୂଷାରେ ଦେଖାଯାନ୍ତି ଏମାନେ । ବିଚିତ୍ର ନହେଲେ ମଧ୍ୟ ସାଧାରଣ ବେଶଭୂଷାରେ ଯିଏ ସେଭଳି କାର୍ଯ୍ୟକଳାପ କରିପାରେ ତାଙ୍କୁ ଜୋକର ବା ଵିଦୂଷକ କହନ୍ତି।ପୂର୍ବେ ରାଜାମାନଙ୍କ ଦରବାରରେ ଵିଦୂଷକ ରହୁଥିଲେ,ଯିଏ ରାଜାମାନଙ୍କୁ ଥଟାମଜା କଥାକହି ଖୁସି/ଆନନ୍ଦ ରଖିପାରୁଥିଲେ,ଏମିତି ଜଣେ ମହାନ୍ ବ୍ୟକ୍ତି ଥିଲେ ବୀରବଲ,ସମ୍ରାଟ ଆକବରଙ୍କ ଦରବାରର ବିଦୂଷକ ।ଆମ ରାଜ୍ୟର ଜଣେ ପ୍ରଖ୍ୟାତ ବିଦୂଷକ ଥିଲେ ଉତ୍କଳଘଣ୍ଟ  ଯଦୁମଣି ମହାପାତ୍ର, ଦଶପଲ୍ଲା, ନୟାଗଡ଼,ଖଣ୍ଡପଡ଼ା, ରଣପୁର ଏମିତି ଅନେକ ରାଜାଙ୍କର ଦରବାରରେ ଥିଲେ ବିଦୂଷକ।ଚଳନ୍ତି ସମୟରେ ଆମ ଦେଶର ଜଣେ ବିଖ୍ୟାତ ଵିଦୂଷକ ହେଲେ କ୍ରିକେଟରୁ ରାଜନେତା ଵନିଥିଵା ପଞ୍ଜାବର ନଭଯୋତ ସିଂ ସିଦ୍ଧୁ । ପ୍ରକୃତପକ୍ଷେ ସିଏ ଵିଦୂଷକ ନହେଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ସବୁ ଵିଦୂଷକ ସୁଲଭ, ପୁଣି ସିଏ ଏକ କମେଡି ସୋ’ର ବିଚାରକଥିଲେ ଦୀର୍ଘଦିନ,ମଝିରେ ମଝିରେ କମେଡି କରନ୍ତି ମଧ୍ୟ । ମାତ୍ର ତାଙ୍କ କାର୍ଯ୍ୟକଳାପ,ଆଚରଣ,ଉଚ୍ଚାରଣ ସଵୁରେ ବିଦୂଷକ ଭାବ, ଵାରିହୋଇପଡେ, ସେଥିପାଇଁ ତ ଅନେକେ ତାଙ୍କୁ ଵିଦୂଷକ କୁହନ୍ତି । ତୁରନ୍ତ ଯେ କୋୖଣସି ବ୍ୟକ୍ତି ବା ଘଟଣା ଉପରେ ମନ୍ତବ୍ୟ ଦେବା,ତା ପୁଣି ଚଟୁଳ,ଏଥିରୁ ତାଙ୍କର ପ୍ରତିପନ୍ନମତିତାର ପରିଚୟ ମିଳେ, ଅର୍ଥାତ୍ ପ୍ରଚଣ୍ଡ ବୁଦ୍ଧିମାନ, ମାତ୍ର ପ୍ରାୟ ସେସବୁ ଭଲ ଅର୍ଥରେ ବ୍ୟବହାର ହୁଏ ନାହିଁ,ଯାହାର ଫଳ ସ୍ୱରୂପ ସିଦ୍ଧୁଙ୍କୁ ଦୀର୍ଘ ୩୪ ବର୍ଷପରେ ଏକଵର୍ଷ ସଶ୍ରମ କାରାଦଣ୍ଡାଦେଶ ମିଳିଛି।ଅର୍ଥାତ୍ ବୁଝିବିଚାରୀ କାର୍ଯ୍ୟକରିବା ତାଙ୍କଦ୍ଵାରା ହେଲାନାହିଁ, ତରବରିଆ(ଚଙ୍ଗଚଙ୍ଗିଆ ପ୍ରକୃତି) ଭାବେ ଯାହା କିଛି କରିଦେବାର ପରିଣାମ ଏତେ ଵର୍ଷ ପରେ ମିଳିଲା। ଘଟଣାହେଲା,୩୪ଵର୍ଷତଳେ,୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ, ତତ୍କାଳୀନ କ୍ରିକେଟର,୨୨ଵର୍ଷ ବୟସରେ,ନିଜର ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହିତ ପାତିଆଲାର ଏକ ବଜାର ନିକଟରେ ରାସ୍ତା ଉପରେ ନିଜର ଜିପ୍ସି ଗାଡ଼ି ରଖିଥିଲେ,ଏହି ସମୟରେ ଗୁରୁନାମ ନାମକ ଜଣେ ୬୫ବର୍ଷିୟ ବ୍ୟକ୍ତି ନିଜର ମାରୁତି ଗାଡ଼ିରେ ପଛରେ ଯାଉଥିଲେ,ରସ୍ତାଉପରେ ସିଦ୍ଧୁଙ୍କ ଗାଡିଥିବାରୁ ଗୁରୁନାମ ସାଇଡ ଦେବାକୁ କହିଥିଲେ,ନିଜର ଆନ୍ତର୍ଜାତୀୟ ଖ୍ୟାତି ଏବଂ ବୟସ ମଦ୍ଦମତ୍ତ ସିଦ୍ଧୁଙ୍କ ବୃଦ୍ଧଙ୍କ ସହିତ ବଚସା ହେଲା।ଏଥିରେ ଉତକ୍ଷିପ୍ତ ସିଦ୍ଧୁ ନିଜ ବୟସର ତିନିଗୁଣା ବ୍ୟକ୍ତି ଗୁରୁନାମଙ୍କୁ ଏକ ଶକ୍କ୍ତ ଚପେଟାଘାତ କରିଥିଲେ ଏବଂ ତାଙ୍କ ଗାଡିଚାବି ନେଇଯାଇଥିଲେ !ଫଳରେ ସେ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ମିଳିପାରିଲା ନାହିଁ ଏବଂ ସେ ୧/୨ପରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଥିଲେ ।ଏ ଘଟଣାରେ ଗୁରୁନାମଙ୍କ ପକ୍ଷରୁ ଏକ ମକଦ୍ଦମା ଦାୟର ହୋଇଥିଲା ପାତିଆଲା ସେସନ୍ସ କୋର୍ଟରେ,ଯାହାର ଶୁଣାଣୀକରି, ସେପ୍ଟେମ୍ବର ୧୯୯୯ରେ ସିଦ୍ଧୁଙ୍କ ଆଘାତ ଯୋଗୁଁ ଗୁରୁନାମଙ୍କ ମୃତ୍ୟୁ ହେଵାର କୋୖଣସି ଠୋସ ପ୍ରମାଣ ଅଭାବରୁ ଅଦାଲତ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଥିଲେ, ଯାହା ବିରୁଦ୍ଧରେ ପୀଡ଼ିତ ପକ୍ଷ ପଞ୍ଜାବ ହରିଆଣା ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ଡିସେମ୍ବର ୨୦୦୬ରେ ସିଦ୍ଧୁଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ,ଯାହା ବିରୁଦ୍ଧରେ ସିଦ୍ଧୁ ସୁପ୍ରିମକୋର୍ଟ ଯାଇଥିଲେ ।ସୁପ୍ରୀମକୋର୍ଟ ସେପ୍ଟେମ୍ବର ୨୦୧୮ରେ ଦୀର୍ଘ ୩୦ଵର୍ଷ ବିତି ସାରିଥିବାରୁ ହାଇକୋର୍ଟଙ୍କ ଆଦେଶ ରଦ୍ଦପୂର୍ଵକ ସିଦ୍ଧୁଙ୍କୁ ମାତ୍ର ଟ୧୦୦୦/- ଜୋରିମାନା କରିଥିଲେ ।ଅସନ୍ତୁଷ୍ଟ ପୀଡ଼ିତ ପକ୍ଷ ଏହା ଉପରେ ଏକ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଶେଷରେ,୧୯ ମେ ୨୦୨୨ରେ ଶୁଣାଣୀରେ କିଛି ଭୁଲ ରହିଯାଇଥିଵାର ଲକ୍ଷ୍ୟକରି ସର୍ବୋଚ୍ଚ ଅଦାଲତ(ଜଷ୍ଟିସ ଏ.କେ.ଖାନ୍ଵିଲକର ଓ ଜଷ୍ଟିସ ଏମ.କେ.କୌଲଙ୍କ ବେଞ୍ଚ) ସିଦ୍ଧୁଙ୍କ ବିରୁଦ୍ଧରେ ୧ ବର୍ଷର ସଶ୍ରମ କାରାଦଣ୍ଡ ସହିତ ଟ୧,୦୦୦/- ଜୋରିମାନା ଶୁଣାଇଛନ୍ତି ।ସେହି ସମୟରେ ସିଦ୍ଧୁ ପାତିଆଲାରେ ହାତୀଉପରେ ଵସି ପେଟ୍ରୋଲିୟମ୍ ଓ ଅନ୍ୟାନ୍ୟର ଦରବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିଵାଦ ପ୍ରଦର୍ଶନ କରୁଥିଲେ । ତଥାପି ସ୍ବୀୟ ଅସୁସ୍ଥତାର ଵାହାନାଆଳରେ ସିଦ୍ଧୁ ଏକ ସପ୍ତାହର ସମୟ ମାଗିଥିଲେ ଗିରଫଦାରୀ ଏଡ଼ାଇବା ପାଇଁ, ଯାହା ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ଅତଏବ ସିଦ୍ଧୁ ଅଦାଲତ ରାୟକୁ ସମ୍ମାନ ଜଣାଇ ଆତ୍ମସମର୍ପଣ କଲେ ଓ ତାଙ୍କୁ ପାତିଆଲା ଜେଲକୁ ପଠାଇ ଦିଆଗଲା।ମାତ୍ର ୨ଦିନ ପରେ ଜେଲ ଖାଦ୍ୟ ଦେହରେ ନଯିବାରୁ ଅସୁସ୍ଥ ସିଦ୍ଧୁଙ୍କୁ ହସ୍ପିଟାଲରେ ରଖାଯାଇଛି।ସିଦ୍ଧୁ ଏତେ ବଡ଼ ରାଜନେତା,ଯିଏ ଦିନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ମନଵଳାଇଥିଲେ, ଜେଲ ଖାଦ୍ୟ ସତରେ କ’ଣ ତାଙ୍କ ଦେହରେ ଯାଆନ୍ତା ! ମନେ ରଖିବାକୁ ହେବ ମନୁଷ୍ୟ ଚାହିଁଲେ ସବୁ ହୋଇପାରେନା,ଈଶ୍ବରଙ୍କର ମଧ୍ୟ କିଛି ଅବଦାନ ଅଛି ନିଶ୍ଚିତଭାବେ,ସେଥି ନିମନ୍ତେ ଅନୁକୂଳ କର୍ମ ମଧ୍ୟ ଥିବା ଜରୁରୀ । ସିଦ୍ଧୁଙ୍କ ପ୍ରକୃତି ସବୁବେଳେ ଚଳଚଞ୍ଚଳ, ସିଏ ଯୋଉ କଥା କହିଥାନ୍ତି ପରମୂହୂର୍ତ୍ତରେ ତାହା ବଦଳେଇ ଦେଇଥାନ୍ତି,ଏହାର ରାଶି ରାଶି ପ୍ରମାଣ ରହିଛି।ସିଏ ମୋଦୀଙ୍କର ପ୍ରଶଂସା କରନ୍ତି ଯେମିତି ଉଚ୍ଛସ୍ୱିତଭାଵେ,ସୋନିଆଙ୍କର ଜୟଗାନ କରନ୍ତି ସେମିତି ଅନର୍ଗଳଭାବେ, ଅବଶ୍ୟ ତାହାହିଁ ଆଜିକାର ରାଜନୀତିର ବୈଶିଷ୍ଟ୍ୟ।ମାତ୍ର ଏଥିପାଇଁ କେହି ତାଙ୍କୁ ଭରସିନଥାନ୍ତି।ଏଇ ସିଦ୍ଧୁ କ୍ରିକେଟରେ ଦଳୀୟ ଅନୁଶାସନକୁ ଅବଜ୍ଞା କରି ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଚାଲିଥିଲା ବେଳେ(୧୯୯୬) ଅଧିନାୟକଙ୍କୁ ନଜଣାଇ ଲଣ୍ଡନ ଛାଡିଥିଲେ ଭାରତ ଉଦ୍ଦେଶ୍ୟରେ ।ଗତ ପଞ୍ଜାବ ନିର୍ବାଚନ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାନଯିବାରୁ ନିଜ ସ୍ବାର୍ଥ ନିମନ୍ତେ ସମ୍ପୂର୍ଣ୍ଣ କଂଗ୍ରେସ ଦଳକୁ ଵଳିପକାଇଦେଲେ, କଂଗ୍ରେସର ଶୋଚନୀୟ ପରାଜୟ ସକାଶେ ସିଦ୍ଧୁ ସର୍ଵୋତଭାଵେ ଦାୟୀ ବୋଲି ପ୍ରାୟ ଅଧିକାଂଶଙ୍କର ମତ।ପୁର୍ବତନ ପଞ୍ଜାବମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ବିଭାଗ ବଦଳେଇବା ପରେ ସିଦ୍ଧୁ ଇସ୍ତଫା ତ ଦେଇଥିଲେ, ମାତ୍ର ଅମରିନ୍ଦରଙ୍କ ବିପକ୍ଷରେ ସବୁଆଡ଼େ କହିବୁଲିଲେ,ତାଙ୍କ ବିରୁଦ୍ଧରେ,”ଠୋକୋତାଲି”ଶୀର୍ଷକ ପ୍ରଚାର ଚଳାଇଲେ,ଯାହା ଏବେ ଵୁମେରାଙ୍ଗ ହୋଇଛି ଅମରିନ୍ଦରଙ୍କଦ୍ଵାରା ସିଦ୍ଧୁଙ୍କ ଜେଲ ଦଣ୍ଡାଦେଶ ପରିପ୍ରେକ୍ଷୀରେ ।ଏଇ ମାମଲାରୁ ଗୋଟିଏ କଥା ସ୍ପଷ୍ଟ ଜଣାଗଲା ଯେ ଆଇନର ହାତ ଯେତେ ଲମ୍ବା ହୋଇଥିଲେ ମଧ୍ୟ ବଡ଼ବଡ଼ିଆ ଙ୍କ ପାଖରେ ସହଜରେ ପହଞ୍ଚିପାରେ ନାହିଁ ଏବଂ ସାଧାରଣ ଜନତା ନିମନ୍ତେ  ନ୍ୟାୟ ସଦା ଅପହଞ୍ଚ । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟ ତାରକା ତଥା ରାଜନେତା ସିଦ୍ଧୁଙ୍କ ନିକଟରେ ପହଞ୍ଚିବାକୁ ଆଇନକୁ ଲାଗିଲା ମାତ୍ର ୩୪ ଵର୍ଷ,ପୀଡ଼ିତ ଗୁରୁନାମ ସିଂଙ୍କ ପରିବାରର ଏକନିଷ୍ଠ ପ୍ରଚେଷ୍ଟା ଏବଂ ଧୈର୍ଯ୍ୟ ନିମନ୍ତେ ସେମାନେ ସର୍ବାଦୌ ଧନ୍ୟବାଦର ପାତ୍ର।ଗୃରୁନାମଙ୍କ ପରିବାର କହିଛନ୍ତି ଇଶ୍ଵର ଅଛନ୍ତି, ଅଵଶେଷରେ ଆଇନର,ନ୍ୟାୟର ଜୟ ହୋଇଛି।ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ,ଏକଥାର ମଧ୍ୟ ସତ୍ୟତା ପ୍ରତିପାଦିତ ହେଲା,କାରଣ ୩୪ ବର୍ଷ କିଛି କମ ନୁହେଁ,୩୪ ବର୍ଷରେ ରାବି ନଦୀରେ କେତେ ପାଣି ବହିଯାଇ ନଥିବ!ଅଦାଲତ ମଧ୍ୟ ଏ ପରିପ୍ରେକ୍ଷୀରେ କହିଛନ୍ତି ଜଣେ ନିଜର କ୍ରୋଧକୁ ସମ୍ବରଣ କରି ନପାରିଲେ ତା ଫଳାଫଳ ଭୋଗିବାକୁ ପଡ଼ିବ, ବିଳମ୍ବରେ ହେଲେ ସୁଦ୍ଧା,ପୁଣି ଅପରାଧ ଦିନେ ନାଁ ଦିନେ ତା’ର ପରିଣାମ ଦେଖାଇବ । ପଞ୍ଜାବରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି, କାରଣ ଦୀର୍ଘ ୫୦ ବର୍ଷଧରି ଦଳରେ ଥିବା,ପୁର୍ବତନ ଲୋକସଭା ବାଚସ୍ପତି ବଳରାମ ଝାଖରଙ୍କ ସୁପୁତ୍ର ସୁନିଲ ଜାଖର ଦଳରେ ଅଣଦେଖା ହେବା ଅଭିଯୋଗ କରି ବିଜେପିରେ ସାମିଲ ହୋଇଛନ୍ତି, ଏଣେ ପୂର୍ବତନ ପିସିସି ସଭାପତି ନଭଜୋତ ସିଂ ସିଦ୍ଧୁ ୧୯୮୮ର ମାମଲାରେ ଜେଲ ଯାଇଛନ୍ତି । ଏହା ଏକ ସଂଯୋଗ ହୋଇପାରେ, ସିଦ୍ଧୁଙ୍କ ଘନିଷ୍ଠ ମିତ୍ର,ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟର ବିଶ୍ବକପ୍ ବିଜୟୀ କ୍ୟାପଟେନ ଇମରାନ ଖାଁ, ଅବିଶ୍ବାସ ପ୍ରସ୍ତାଵ ବଳରେ ଵିଦାହେବା(୧୦ ଏପ୍ରିଲ ୨୦୨୨)ରେ ପ୍ରଥମ ପ୍ରଧାନମନ୍ତ୍ରୀର ଆଖ୍ୟା ପାଇଥିବା ଵେଳେ ସିଦ୍ଧୁ ୧୯ ମେ ୨୦୨୨ରେ ୩୪ ଵର୍ଷତଳର ଅବିମୃଶ୍ୟକାରୀ ଅହଂକାରମତ୍ତ ମୁଥ ପ୍ରଭାବରେ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ ହେଲେ, ପ୍ରାୟ ମାସାଧିକ କାଳର ବ୍ୟବଧାନ,ଦୁଇ ଘନିଷ୍ଠ କ୍ରିକେଟୀୟର ବନ୍ଧୁଙ୍କର ବିଫଳତାର କାହାଣୀ ମଧ୍ୟରେ । ସିଦ୍ଧୁ ଏବଂ ବିବାଦ ପରସ୍ପରର ପରିପୂରକ,ମୁଦ୍ରାର ଦୁଇଟି ପାର୍ଶ୍ବପରି ।ସିଦ୍ଧୁ ଯେମିତି ବିବାଦର ମୂର୍ତ୍ତିମନ୍ତ ପ୍ରତୀକ । ଅନେକ ସମୟରେ, ଅନେକ ଘଟଣାରେ ସିଦ୍ଧୁଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥାଏ।ଏବେ ଆସନ୍ତୁ ଜାଣିବା କିଛି ସିଦ୍ଧୁ-ସୃଷ୍ଟ ବିବାଦ ସମ୍ବନ୍ଧରେ। ୧. ୧୯୯୩ ମସିହା,ସିଦ୍ଧୁ ସେତେବେଳେ ଆନ୍ତର୍ଜାତୀୟ (ଭାରତୀୟ) କ୍ରିକେଟର, ଏକଦା ସିଦ୍ଧୁ ପୂରା କ୍ରିକେଟ ଟିମ୍ ପାଇଁ ରସଗୋଲା ନେଇ ଯାଇଥିଲେ, ସେଠାରେ ଅନ୍ୟ ଜଣେ କ୍ରିକେଟର,ମନୋଜ ପ୍ରଭାକର କହିଦେଲେ,ଏହା ସିଦ୍ଧୁ ଆଣିନାହାନ୍ତି,ତେଣୁ ସିଏ ରସଗୋଲା ଖାଇ ପାରିବେ ନାହିଁ, ବାସ୍ ସିଦ୍ଧୁ ଲଗାଇ ଦେଲେ ଏକ ଚାପୁଡ଼ା ମନୋଜଙ୍କୁ । ୨. ୧୯୯୬ରେ ଲଣ୍ଡନରେ ଭାରତ, ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥାଏ, କୋୖଣସି କଥାରେ କ୍ୟାପଟେନ ଆଝାରୁଦ୍ଦିନଙ୍କ ସହ ମତାନ୍ତର ହେବାରୁ ସିଦ୍ଧୁ କାହାକୁ କିଛି ନକହି ସିଧା ଉଡିଆସିଲେ ଭାରତକୁ । ୩. ଅଗଷ୍ଟ ୨୦୧୮ରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ(ଯାହାଙ୍କୁ ସାଦ୍ଧୁ ନିଜର ଆଦର୍ଶଭାବେ ମାନନ୍ତି)ଙ୍କ ଶେଷକ୍ରୀୟାରେ ଯୋଗ ନଦେଇ ସିଦ୍ଧୁ ପାକିସ୍ତାନ ଚାଲିଗଲେ,ବନ୍ଧୁ ଇମରାନ ଖାଁଙ୍କର ପ୍ରଧାନମନ୍ତ୍ରୀଭାଵେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନିମନ୍ତେ । ୪. ପାକିସ୍ତାନ ଗସ୍ତ ସମୟରେ ସିଦ୍ଧୁ ଅନେକ ବିବାଦ ଛିଡ଼ା କରାଇଦେଲେ,ଇମରାନଙ୍କ ଶପଥ ସମୟରେ ସିଦ୍ଧୁ,ପାକ ଅଧିକୃତ କାଶ୍ମୀର (ପିଓକେ)ର ରାଷ୍ଟ୍ରପତିଙ୍କ ନିକଟରେ ବସିଥିଲେ,ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା(ଯିଏ ପ୍ରତ୍ୟହ ଭାରତକୁ ଆତଙ୍କବାଦୀ ପଠାଇବା ଉପରେ ଗୁରୁତ୍ବ ଦିଅନ୍ତି)ଙ୍କୁ ଆଲିଙ୍ଗନ କରିଥିଲେ ଖୁସିରେ,ଖଲିସ୍ଥାନୀ ଆନ୍ଦୋଳନର ପ୍ରବକ୍ତା ଗୋପାଳ ସିଂ ଚାୱଲାଙ୍କ ସହ ଫଟୋ ଉଠାଇଥିଲେ,ଏସବୁକୁ ଦୃଢ଼ ସମର୍ଥନ ମଧ୍ୟ କରିଥିଲେ ସିଦ୍ଧୁ ସ୍ବୀୟ ଅନ୍ଦାଜରେ।ମାତ୍ର ଜନତାର ମୁହଁ ବନ୍ଦ କରିପାରିବ କିଏ!ଭାରତରେ ଏନେଇ ଅନେକ ଝଡ଼ ଉଠିଲା।ନିଜର କ୍ୟାବିନେଟ୍ ସହକର୍ମୀ ପରଗତ ସିଂ ସିଦ୍ଧୁଙ୍କୁ ସମାଲୋଚନା କରି କହିଥିଲେ ମୋଦୀ ଜଣେ ଦେଶପ୍ରେମୀ ମାତ୍ର ସିଦ୍ଧୁ ଜଣେ ଦେଶଦ୍ରୋହୀ, ପାକିସ୍ତାନ ପ୍ରେମରେ ସିଦ୍ଧୁ ଯେମିତି ଗଦଗଦ ହୋଇ ଯାଉଛନ୍ତି, ସେମିତି ଦିନେ ତ ଭାରତ ସପକ୍ଷରେ ହୋଇନାହାନ୍ତି । ୫. ୨୦୧୮ରେ ସିଦ୍ଧୁ କସୌଲିରେ କହିଥିଲେ,ଦକ୍ଷିଣ ଭାରତୀୟ ଖାଦ୍ୟ ସିନା ଚଳିଯାଏ କିନ୍ତୁ ଲୋକଙ୍କ ଭାଷା ମୁଁ ଵୁଝିପାରେନି ମାତ୍ର ପାକିସ୍ତାନରେ ତାଙ୍କ ଖାଦ୍ୟ,ଭାଷା ସବୁ ମୁଁ ଭଲ ଭାବେ ବୁଝିପାରେ ଏବଂ ମତେ ଭଲଲାଗେ,ଏକଥାରେ ବିଜେପି ଓ ଏଆଇଏଡିଏମକେ ସିଦ୍ଧୁଙ୍କୁ ସମାଲୋଚନା କରିଥିଲେ । ୬. ୨୦୧୯ ଫେବୃଆରୀ ୧୪ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ପ୍ରାଣ ହରାଇଲେ କାଶ୍ମୀର ପୁଲୱାମାରେ,ସମଗ୍ର ଦେଶବାସୀ ଏ ଘଟଣାର ଘୋର ନିନ୍ଦା କଲାବେଳେ ସିଦ୍ଧୁଙ୍କ ମନ୍ତବ୍ୟ ଥିଲା, “କିଛି ଲୋକଙ୍କ ନିମନ୍ତେ ସମଗ୍ର ଦେଶକୁ ଦୋଷ ଦେବା ଠିକ ନୁହେଁ ।”, ଯାହା ସିଦ୍ଧୁଙ୍କୁ ଏକଘରିକିଆ କରିଦେଲା, କଂଗ୍ରେସ ଦଳର ଲୋକ ମଧ୍ୟ ତାଙ୍କୁ ନିନ୍ଦା କଲେ।ଫଳ ହେଲା ସୋନି ଟିଭିର ଲୋକପ୍ରିୟ ସୋ,”କପିଲ୍ ଶର୍ମା ସୋ”ରୁ ସିଦ୍ଧୁ ବିଦାହେଲେ ଜନତାର ପ୍ରଵଳ ଦାବିରେ । ୭. ୨୦୨୧୍ରରେ କର୍ତ୍ତାରପୁର କରିଡରକୃ ପୁଣି ଥରେ ଯାଇଥିଲେ ସିଦ୍ଧୁ,ସେଠାରେ ଇମରାନଙ୍କ ପ୍ରଶସ୍ତି ଢେର ଗାଇବାପରେ ସିଦ୍ଧୁ କହିଥିଲେ,ଦୁଇ ଦେଶର ପଞ୍ଜାବ (ପାକିସ୍ତାନରେ ମଧ୍ୟ ଏକ ପଞ୍ଜାବ ପ୍ରଦେଶ ଅଛି)ର ଲୋକମାନେ ପଞ୍ଜାବୀ ହୋଇଥିବାରୁ (ପ୍ରକୃତରେ ପାକିସ୍ତାନ ପଞ୍ଜାବରେ ମୁସଲିମଙ୍କ ସଂଖ୍ୟା ବେଶୀ)ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଆରମ୍ଭ ହେବା ଅତ୍ୟାବଶ୍ୟକ, ତା’ପରେ ମୁନ୍ଦ୍ରା ବନ୍ଦର ଦେଇ ପାକିସ୍ତାନ ଗଲେ ୨୩୦ କି.ମି.ଦୂର ହେଉଥିବାବେଳେ ଗୁରୁଦାସପୁର ସୀମା ଦେଇଗଲେ ମାତ୍ର ୨୧ କି.ମି., ତେଣୁ ବାଣିଜ୍ୟ କାରବାର ନିମନ୍ତେ ସୀମା ଖୋଲିଦିଆଯାଉ ।ମାତ୍ର ସଦା ଅଵିଶ୍ବାସୀ ପାକିସ୍ତାନକୁ କି ବିଶ୍ବାସ,ବରଂ ୟାଫଳରେ ଆତଙ୍କବାଦୀ ଚାଲାଣ ସୁବିଧା ହୋଇଯିବ,ନିଜ ୟାର(ଇମରାନ)ପାଇଁ ସିଦ୍ଧୁ କ’ଣ ଏତିକି କରିପାରିବେନି,ମିଛଟାରେ ରାଜନେତା ହୋଇଛନ୍ତି !ଏକଥାକୁ ଆମ ଦେଶରେ କେହି ପସନ୍ଦ କଲେନି,ଏଥିରେ ତାଙ୍କ ଦୋଷ କ’ଣ? ୮. ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର କେବେ ପଡିଲା ନାହିଁ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ ମଧ୍ୟ, ଝ ମଧ୍ୟ, ତେଣୁ ୨୦୨୨ ନିର୍ବାଚନ ପୂର୍ବରୁ ସିଦ୍ଧୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଦେଲେ,ଚରଣଜିତ ସିଂ ଚନ୍ନିଞ ମୁଖ୍ୟମନ୍ତ୍ରୀ ଘୋଷିତ ହେବାପରେ ନିଜେ ମୁଖ୍ୟମନ୍ତ୍ରୀ ହେବାର ଆଶା ପୋଷଣ କରିଥିବା ସିଦ୍ଧୁ କଂଗ୍ରେସ ଦଳକୁ ସମ୍ପୂର୍ଣ୍ଣ ଡୁବାଇ ଦେଲେ ରାଜ୍ୟରେ,ସମସ୍ତେ ପଞ୍ଜାବରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ନିମନ୍ତେ ସିଦ୍ଧୂଙ୍କୁ ସର୍ଵୋତୋଭାବେ ଦାୟୀ କରୁଛନ୍ତି । ୯. ୨୦୨୨ ନିର୍ବାଚନରେ ମଧ୍ୟପ୍ରଦେଶରେ ପ୍ରଚାରଵେଳେ ସ୍ଥାନୀୟ ମହିଳା ମେୟରଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ସିଦ୍ଧୁ ସମାଲୋଚିତ ହୋଇଥିଲେ।୧୦. ୧୯୮୮ରେ ସିଦ୍ଧୁଙ୍କ ଅପରିଣାମଦର୍ଶି ମୁଥ ହେତୁରୁ ୬୫ଵର୍ଷିୟ ଗୁରୁନାମ ସିଂଙ୍କର ଦୁଇଦିନ ପରେ ଦେହାନ୍ତ ଓ ଦୀର୍ଘ ୩୪ଵର୍ଷପରେ ସର୍ବୋଚ୍ଚ ଅଦାଲତଙ୍କଦ୍ଵାରା ସିଦ୍ଧୁଙ୍କୂ ଏକ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଟ୧୦୦୦/- ଜୋରିମାନା କଥା ଉପରେ ବର୍ଣ୍ଣିତ । ସିଦ୍ଧୁଙ୍କ ବୟାନ ସଦାସର୍ବଦା ବିବାଦକୁ ଡାକିଆଣେ,୨୦୨୨ ପ୍ରାରମ୍ଭରେ ଜଣେ ମହିଳା ସିଦ୍ଧୁଙ୍କ ଭଉଣୀ ବୋଲି ଦାବିକରି,ସିଦ୍ଧୁ ଅତ୍ୟନ୍ତ ନିର୍ଦ୍ଦୟ,୧୯୮୬ରେ ତାଙ୍କ ପିତାଙ୍କ ଦେହାନ୍ତପରେ ତାଙ୍କୁ ଏବଂ ମା’ଙ୍କୁ ଘରୁ ତଡ଼ି ଦେଲେ,୧୯୮୯ରେ ଅତି ଦୟନୀୟ ଭାବେ ଦିଲ୍ଲୀ ଷ୍ଟେସନରେ ମା’ଙ୍କର ମୃତ୍ୟୁ ହେଲା ଇତ୍ୟାଦି ଅଭିଯୋଗ ଆଣିଛନ୍ତି, ଅବଶ୍ୟ ଏକଥାର କିଛି ସତ୍ୟାସତ୍ୟ ଉନ୍ମୋଚନ ହୋଇନାହିଁ । ସିଏ ଯାହାହେଉ ଏଥରକ ଦୀର୍ଘ ଏକଵର୍ଷ ଜେଲର ଚାରିକାନ୍ଥ ମଧ୍ୟରେ ଏକାଗ୍ରଭାଵେ ଧ୍ୟାନକରି ସିଦ୍ଧୁଙ୍କର ଯେ ସିଦ୍ଧି ପ୍ରାପ୍ତି ହେବ ଏ ଆଶା କରାଯାଏ । ଭଗବାନ ଗୌତମ ବୁଦ୍ଧ ଧ୍ୟାନସ୍ଥ ହେବାର ୬ ବର୍ଷପରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ, ତେଣୁ ସିଦ୍ଧୁଙ୍କ ଭଳି ମହାନ ନେତା ଏକଵର୍ଷରେ କାହିଁକି ବୁଦ୍ଧତ୍ଵ ବା ସିଦ୍ଧି ପ୍ରାପ୍ତ ନ ହେବେ ?

ଜୟନ୍ତ ପଟ୍ଟନାୟକ