ସାରା ଦେଶରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ଛତ୍ରପୁର ଚିକିତ୍ସାଳୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ବର୍ତ୍ତମାନ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଛତ୍ରପୁର ଚିକିତ୍ସାଳୟ ମଧ୍ୟରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି । ଡାକ୍ତରଖାନାରେ ଦୈନିନ୍ଦିନ ବାହାରୁଥିବା ବ୍ୟାଣ୍ଡେଜ, ରକ୍ତ, ପୂଜ ଭିଜା ତୁଳା, ଧାତୁ, ନିର୍ମିତ ବର୍ଜ୍ୟବସ୍ତୁ, ଇଞ୍ଜେକ୍ସନ, ସାଲାଇନ ବୋତଲ, ସିରିଞ୍ଜ, ଟ୍ୟୁବିଙ୍ଗ, ଗ୍ଳୋବସ ଇତ୍ୟାଦି ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱାରା ନଷ୍ଟ କରାଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ମେଡିକାଲ କୋଠରେ ଏହି ସବୁ ବର୍ଜ୍ୟବସ୍ତୁ ବହୁ ମାତ୍ରାରେ ପଡି ରହିଥିବା ଦେଖିବାକୁ ମିଳିଛି । ଏହାସହ ବର୍ଜ୍ୟବସ୍ତୁ ପରିଚାଳନା କୋଠରୀରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଗୁଡିକ ସଂକ୍ରମିତ ହେଲେ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା ବହୁ ମାତ୍ରାରେ ରହିଛି । ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ବଡମେଡିକାଲର ଏକ ଟିମ ଛତ୍ରପୁର ମେଡିକାଲକୁ ଯାଇ ପରିଦର୍ଶନ କରି ଏହି ଅପରିଷ୍କାର ପଦାର୍ଥକୁ ହଟାଇବାକୁ କହିଥିଲେ ଏବଂ ସ୍ୱଚ୍ଛତା ରଖିବାକୁ କହିଥିଲେ । କିନ୍ତୁ ମେଡିକାଲ କର୍ମଚାରୀଙ୍କ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉ ନ ଥିବା ଦେଖିବାକୁ ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା