ସାରା ଓଡିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାନୁଆରୀ ୨୩ ତାରିଖ ଭାରତ ବର୍ଷର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ସାରା ଓଡିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି, ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଠାରେ ନେତାଜୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିବା ସହିତ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ସାମ୍ନାରେ ନେତାଜୀଙ୍କ ବିରଳ ଫୋଟୋ ଓ ଉଦ୍ଧୃତି ପ୍ରଦର୍ଶନୀ କରାଯାଇଛି l କମିଟିର ସଭାନେତ୍ରୀ ସାହିତ୍ୟିକା ଡ଼ଃ. ବିଧୁପ୍ରଭା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥ ପ୍ରାନ୍ତ ସଭାରେ କମିଟିର ଉପଦେଷ୍ଟା ପୂର୍ବତନ ସଂସ୍କୃତି ବିଭାଗ ଅଫିସର କୃଷ୍ଣ ଚନ୍ଦ୍ର ନିଶଙ୍କ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ ସୁଧୀର କୁମାର ରାଉତ, ସମାଜସେବୀ ଅବନୀ ଗୟା ପ୍ରମୁଖ ବକ୍ତବ୍ୟ ରଖି କହିଲେ ଯେ ନେତାଜୀ ଆମ ଦେଶକୁ କେବଳ ରାଷ୍ଟ୍ରୀୟ ବନ୍ଧନରୁ ମୁକ୍ତ କରିବାକୁ ଚାହୁଁ ନ ଥିଲେ l ସେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ଅର୍ଥାତ ଏକ ଶ୍ରେଣୀ ବିହୀନ ସମାଜର ପ୍ରତିଷ୍ଠା କରିବାକୁ ଚାହୁଁଥିଲେ l ଜାତି, ଧର୍ମ, ବର୍ଣ୍ଣ ବିଦ୍ବେଷ ବିରୁଦ୍ଧରେ ସେ ଧର୍ମ ନିରପେକ୍ଷ, ବୈଜ୍ଞାନିକ ଚିନ୍ତାର ବାର୍ତ୍ତାବହ ଥିଲେ l ନେତାଜୀଙ୍କ ସେ ଇପ୍ସିତ ସମସ୍ତ ପ୍ରକାର ଶାସନ ଶୋଷଣ, ଅତ୍ୟାଚାରରୁ ମୁକ୍ତ ଭାରତ ବର୍ଷର ସ୍ୱପ୍ନ ଆଜିବି ଅପୂରିତ l ଆଜି ଜନଗଣଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି ତେଣୁ ଆଜି ଏହି ଅନ୍ୟାୟ, ଅବିଚାର ବିରୁଦ୍ଧରେ ସୁବାଷ ବୋଷଙ୍କ ଭଳି ଆପୋଷ ହୀନ ସଂଗ୍ରାମ ପରିଚାଳନା କରିବାକୁ ପଡିବ l ସଭା ଶେଷରେ କମିଟିର ସମ୍ପାଦକ ସୋମନାଥ ବେହେରା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ କମିଟିର ସଭ୍ୟ ଶିଳ୍ପୀ ମନୋଜ କୁମାର ସାହୁ, ନାଟ୍ୟ ନିର୍ଦ୍ଦେଶକ ନଳିନୀ କାନ୍ତ ଗୌଡ଼, ପି. ଶିବ ପ୍ରସାଦ ରେଡ୍ଡୀ, ଅଧ୍ୟାପକ ଶାଶ୍ୱତ ମିଶ୍ର, ଶିବାନୀ ଶଙ୍କର ମିଶ୍ର, ନାଟ୍ୟକାର ତ୍ରିପତି, ମଧୁସୂଦନ ଦାସ, ନାରାୟଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା