ସାରା ଜିଲ୍ଲାରେ ବେଆଇନ ମଦ କାରବାର ବୃଦ୍ଧି : ପୋଲିସର ଚଢ଼ାଉ ୧୦ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଯୋଗୁଁ ସାରା ରାଜ୍ୟରେ ଲକଡାଉନ ଥିବାବେଳେ ଗଞ୍ଜାମ ଜିଲ୍ଲା ଶୂନଶାନ ହୋଇଯାଇଛି l ଏହାର ସୁଯୋଗ ନେଇ ମଦୁଆ ଓ ମଦ ବେପାରୀ ତୁନି ହୋଇ ରହି ପାରୁନାହାନ୍ତି l କାଳେ ପୋଲିସ ହାବୁଡେ ଧରାପଡ଼ିଯିବେ ସେଥିପାଇଁ କୋଣ ଅନୁକୋଣରେ ଲୁଚିଛପି ମଧ୍ୟ ମଦ ବେପାର ଆରାମରେ ଚଳାଇଥିବା ଖବର ମିଳୁଛି l ଗଞ୍ଜାମ ଜିଲ୍ଲାର ଏହି ଲକଡାଉନ ସମୟରେ ଅନେକ ସ୍ଥାନରେ ପୋଲିସ ଚଢ଼ାଉ କରି ବେଆଇନ ମଦ କାରବାର କୁ ଧରାପକେଇଛି ଏବଂ ସମ୍ପୃକ୍ତ ଅନେକ ଅପରାଧୀଙ୍କୁ  ଗିରଫ କରିଛି l ଗତକାଲି ବୈଦ୍ୟନାଥପୁର ପୋଲିସ ଥାନା ଲାଂଜିପାଲ୍ଲୀ ଅଞ୍ଚଳର ଦୁଇଟି ମଦଭାଟି ଜବତ କରି ୧୪ଜଣଙ୍କୁ ଗିରଫ କରିଥିଲା l ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାରେ ଯଦି ଅପରାଧ ଡ଼ାଇରୀ ଦେଖାଯାଏ ଦୈନନ୍ଦିନ ବିଦେଶୀ ମଦ ବେପାର ଖୁଲମଖୁଲା ଧରାପଡୁଥିବା ଓ ସମ୍ପୃକ୍ତ କିଛି ବେପାରୀ ଗିରଫ ହେଉଥିବା ଦେଖିବାକୁ ମିଳୁଛି l ତେବେ ଏହି ଦେଶୀ ମଦ ବେପାରକୁ ବହୁତ ଦିନରୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନ ସଫଳ ହୋଇପାରିନଥିବା ଜଣାପଡ଼ିଛି l ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଗୋପାଳପୁର, ଦିଗପହଣ୍ଡି ଆଦି ଅଞ୍ଚଳରେ ପ୍ରଶାସନର ନଜରରେ ରହି ଖୁଲମଖୁଲା ଦେଶୀ ମଦ କାରବାର ହେଉଥିବା ଅଭିଯୋଗ ଆସି ପହଞ୍ଚୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆଖିଦୃଷ୍ଟିଆ ନ ହେବାରୁ ଏହା ବନ୍ଦ ହୋଇପାରୁ ନାହିଁ l ଆଜି ପୋଲିସ ଓ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି l ଖଲ୍ଲିକୋଟ ଅଞ୍ଚଳରେ ମାଣିକପୁର ଓ ତାର ଆଖପାଖ ଅଞ୍ଚଳରେ ଚଢ଼ାଉ କରି ଖଲ୍ଲିକୋଟ ଥାନା ଓ ଅବକାରୀ ବିଭାଗ ମିଳିତ ଭାବେ ମାଣିକପୁରରୁ ୩୫ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି l ସେହିପରି ଅବକାରୀ ସ୍କ୍ୱାର୍ଡ ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟ ନଗର ଓ ଛତ୍ରପୁର ଅଞ୍ଚଳରେ ବିଭିନ୍ନ ସ୍ଥାନ ଚଢ଼ାଉ କରି ୫୪୫ ଲିଟର ବେଆଇନ ଦେଶୀ ମଦ, ପାଖାପାଖି ୨୬ ଲିଟର ବିଦେଶୀ ମଦ, ୫ ଲିଟର ବିଅର ଓ ୨୫ ଲିଟର ପୋଚ ମଦ ଆଦି ଜବତ କରିବା ସହ ଏଥିରେ ସମ୍ପୃକ୍ତ ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଅବକାରୀ ଉପାଦକ୍ଷଙ୍କ ନେତୃତ୍ୱରେ ଏସବୁ ଅଞ୍ଚଳ ଆଜି ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି l ତେବେ ଲକଡାଉନ ବେଳେ ମଦ ବେପାରକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ ରହିଛି ବୋଲି ବୁଦ୍ଧିଜୀବୀ ମହଲ ଦାବୀ କରିଛନ୍ତି l


ରିପୋର୍ଟ :   ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା