ସାମାନ୍ୟ ବଚସାରୁ ମାଡ ମାରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅଭିଯୁକ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ବୁଧବାର ଦିନ ଜେ. ଲକ୍ଷ୍ମଣ ପାତ୍ର ଓ କେ. ସନ୍ତୋଷ ରାଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗେଦଲପଲ୍ଲୀଗ୍ରାମ, ଛତ୍ରପୁର ଥାନାର ପି. ଜଗନ୍ନାଥ ପାତ୍ର ଓ ବି. ପୁରୁଷୋତ୍ତମ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରକାଶ ଯେ, ଗତ ତା ୧୪-୦୪-୨୦୧୬ରିଖ ଦିନ ୪ଟା ସମୟରେ ଏତଲାକାରିଣୀ ଜେ. ଲକ୍ଷ୍ମୀ ପାତ୍ର, ତାଙ୍କ ସ୍ୱାମୀ ଜେ. ଲକ୍ଷ୍ମଣ ପାତ୍ର ଓ ଏତଲାକାରିଣୀଙ୍କ ଭାଇ କେ. ସନ୍ତୋଷ ପାତ୍ର ଛତ୍ରପୁର ବଜାରରୁ ସଉଦା କିଣି ଘରକୁ ଫେରିବା ବାଟରେ ଚିକଲଖଣ୍ଡି ଗ୍ରାମର ସରକାରୀ ମଦ ଦୋକାନରୁ ବିୟର କିଣିବା ପାଇଁ ଜେ. ଲକ୍ଷ୍ମଣ ପାତ୍ର ଗଲେ । ସେତିକିବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅଭିଯୁକ୍ତଦ୍ବୟ ତାଙ୍କୁ ବିୟର ମାଗିବାରୁ ଜେ. ଲକ୍ଷ୍ମଣ ପାତ୍ର ତାହା ୧୩୦ଟଙ୍କା ପଡିବ ବୋଲି କହିଲେ । ଅଭିଯୁକ୍ତଦ୍ବୟ ଏହା ୧୨୦ ଟଙ୍କା ପଡିବ କହି କଥା କଟାକଟି କରିଥିଲେ । ପାଟିତୁଣ୍ଡ ଜୋର ଧରିବାରୁ ଜେ. ଲକ୍ଷ୍ମଣ ପାତ୍ର ଓ ତାଙ୍କ ପରିବାର ଗାଡ଼ିରେ ସେ ଜାଗାରୁ ପଳେଇଲେ କିନ୍ତୁ ଅଭିଯୁକ୍ତମାନେ ସେମାନଙ୍କୁ ପିଛା କରି ଗେଦଲପଲ୍ଲୀ ଛକରେ ସେମାନଙ୍କୁ ଅଟକାଇ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ ଓ ଜେ. ଲକ୍ଷ୍ମଣ ପାତ୍ରଙ୍କ ମୁଣ୍ଡକୁ ବାଡ଼ିରେ ବାଡେଇଲେ । ମୁଣ୍ଡରୁ ରକ୍ତ ବାହାରିବା ଦେଖି କେ. ସନ୍ତୋଷ ରାଓ ବିରୋଧ କରିବାକୁ ଆସି ନିଜେ ମଧ୍ୟ ତାଙ୍କ ରୋଷରୁ ବର୍ତ୍ତିପାରିନଥିଲେ ଓ ଆହତ ହୋଇ ଛତ୍ରପୁର ମେଡିକାଲରେ ଚିକିତ୍ସିତ ହେଇଥିଲେ । ତେଣୁ ଏହି ସଙ୍କ୍ରାନ୍ତରେ ଏତାଲାକାରିଣୀ ଜେ. ଲକ୍ଷ୍ମୀ ପାତ୍ର ଥାନାରେ ପହଞ୍ଚି ଗତ ୧୫-୦୪-୨୦୧୬ ରିଖ ଦିନ ଏତଲା ଦେଇଥିଲେ । କେସ୍ ନମ୍ବର୍ ୬୩/୨୦୧୬ରେ ମାମଲା ରୁଜୁ କରି ଛତ୍ରପୁର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ । ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ବିଚାରପତି ଆଜି ତା ୧୫-୦୫-୨୦୧୯ ଦିନ, ଅଭିଯୁକ୍ତଦ୍ବୟଙ୍କୁ ସେକ୍ସନ ୩ ପ୍ରୋବେସନ ଅଫ ଅଫେଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନି ଦେଇ ଘଟଣାର ପୁନରାବୃତ୍ତି ନ କରିବାକୁ କହିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ଏପିପି ସୌରୀ ପ୍ରସାଦ ବେହେରା ଏହି ମାମଲା ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଳା ସ୍ଵତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା