ସାମାଜିକ ଦୂରତ୍ୱ ବୃଦ୍ଧି ଲାଗି ଜଳେଶ୍ୱର ଦୈନିକ ବଜାରର ସଂପ୍ରସାରଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ସୀମା ତଥା ସୁବର୍ଣ୍ଣରେଖା ନଦୀ କୂଳରେ ଜଳେଶ୍ୱରର ଦୈନିକ ବଜାର ଅନୁଷ୍ଠିତ ହେଉଥିବାରୁ ସେଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ଉତ୍ତର ବାଲେଶ୍ୱରର ଏହି ଏକମାତ୍ର ଦୈନିକ ବଜାର ଊପରେ ଜଳେଶ୍ୱରର ୩୫ଟି ପଞ୍ଚାୟତ, ବସ୍ତାର ୧୧ଟି ପଞ୍ଚାୟତ, ଭୋଗରାଇର ୫୦ଟି ପଞ୍ଚାୟତ, ପଶ୍ଚିମବଙ୍ଗର ୧୫ଟି ପଞ୍ଚାୟତ ଓ ମୟୂରଭଞ୍ଜର ପ୍ରାୟ ୧୨ଟି ପଞ୍ଚାୟତ ନିର୍ଭର କରି ଆସୁଛନ୍ତି । କିନ୍ତୁ କରୋନା ଯୋଗୁଁ ସୁରକ୍ଷା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ଏହି ଭିଡ ଯୋଗୁଁ ବହୁ ବ୍ୟକ୍ତି ବିଶେଷ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ସମାଜ କଲ୍ୟାଣ ବିକାଶ ପରିଷଦ ସହିତ ବହୁ ସଂଗଠନ, ଯୁବକ ସଂଘ, ବଣିକ ସଂଘ ଏବଂ ବହୁ ବ୍ୟକ୍ତି ବିଶେଷ ଗତ ଶୁକ୍ରବାର ସ୍ଥାନୀୟ ତହସିଲଦାର, ବିଡିଓ, ଆଇଆଇସି, ଏସ୍‌ଡିପିଓ ଓ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୃଥକ ପୃଥକ ଭାବେ ବିଭିନ୍ନ ପରାମର୍ଶ ଲାଗି ସାକ୍ଷାତ ଆଲୋଚନା କରିଥିଲେ । ଆଜି ସକାଳେ ପ୍ରଶାସନ ପକ୍ଷରୁ ମାଛହାଟ ନିକଟରେ ବସୁଥିବା ପରିବା ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ବିଡିଓ ଦିପ୍ତିରଞ୍ଜନ ସେଠୀ, ଆର୍‌ଏମ୍‌ସିର ସମରେଶ ଦିନ୍ଦା, ପୋଲିସ୍ ଏଏସ୍‌ଆଇ ରମାକାନ୍ତ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦୈନିକ ବଜାରର ସଂପ୍ରାସାରଣ କରାଯାଇଛି । ଫଳରେ ମାର୍କେଟ ମଧ୍ୟରେ ସରକାରଙ୍କ ନିୟମ ମୁତାବକ ସାମାଜିକ ଦୂରତ୍ୱ ସୃଷ୍ଟି ହୋଇପାରିଛି । ଏହାକୁ ଅମୂଲ୍ୟ ଚନ୍ଦ୍ର ସହଯୋଗ କରିଥିବାରୁ ସ୍ଥାନୀୟ ଅଂଚଳର ବହୁ ଲୋକ ସ୍ୱାଗତ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା