ସାବଧାନ ! ଭାତ ବି ହୋଇପାରେ କର୍କଟ ରୋଗର କାରଣ

ଭାରତୀୟଙ୍କ ଖାଦ୍ୟରେ ଭାତ ପ୍ରମୁଖ ସ୍ଥାନରେ ରହିଛି। ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ସୁଆଦର ଭାତ ରନ୍ଧା ଯାଇଥାଏ। ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରାୟ ୮୧% ଭାରତୀୟ ପରିବାରରେ ଦୈନିକ ୨ ଓଳି ଭାତ ଖିଆଯାଏ। ଏବେ ଭାରତ ନୁହେଁ, ବିଶ୍ବର ଅନ୍ୟ ପ୍ରାନ୍ତରେ ମଧ୍ୟ ଭାତର ବିଭିନ୍ନ ବ୍ୟଞ୍ଜନ, ଯେପରି ‘କଢ଼ି ଚାୱଲ’, ‘ବିରିୟାନୀ’, ‘ଭେଜ୍ ପୁଲାଓ’, ‘ଫ୍ରାଏଡ୍ ରାଇସ୍’ ଇତ୍ୟାଦିର ଆଦର ବଢ଼ୁଛି। ଇଂଲଣ୍ଡର କ୍ବିନ୍ସ ବିଶ୍ବବିଦ୍ୟାଳୟର ଗବେଷକଦଳର ଚାଉଳ ଉପରେ ଗବେଷଣା କରି କହିଛନ୍ତି ଯେ ଭାତ ରାନ୍ଧିବା ପୂର୍ବରୁ ଚାଉଳକୁ ୨୦-୨୫ ମିନିଟ୍ ବତୁରାଇ ରଖନ୍ତୁ। ଏପରି କଲେ ସେଥିରେ ଥିବା ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବମାନ ବାହାରିଆସେ। ଗବେଷକଙ୍କ ମତରେ ଚାଷ ସମୟରେ ଉତ୍ତମ ଫସଲ ନିମନ୍ତେ କୃଷକ ବିଭିନ୍ନ ପ୍ରକାରର କୀଟନାଶକ ପ୍ରୟୋଗ କରେ। ତନ୍ମଧ୍ୟରୁ ଆର୍ସେନିକ ଅନ୍ୟତମ। ସଂଖ୍ୟାଧିକ ପ୍ରଜାତିର ଚାଉଳରେ ଏହା ମହଜୁଦ୍ ଥାଏ। ଏହି ଆର୍ସେନିକ କାରଣରୁ କର୍କଟ ହେବାର ଆଶଙ୍କା ସର୍ବାଧିକ। ଏଥିରୁ ବର୍ତ୍ତିବାକୁ ହେଲେ ନିଜେ ସଚେତନ ହେବା ଜରୁରୀ। ଏଣୁ ଚାଉଳକୁ ବତୁରାଇବାର କିଛି ସମୟ ପରେ ତାକୁ ରାନ୍ଧନ୍ତୁ। ଗାଁଗହଳିରେ ସାଧାରଣତଃ ଏଇ ଚାଉଳ, ଡାଲି ବତୁରାଇବାର ପରମ୍ପରା କେବେଠାରୁ ରହିଆସିଥିଲା। ତେବେ ଆମ ସହରୀ ସଭ୍ୟତାରେ ସବୁକିଛି ତତ୍ପରତା ସହ କରିବାବେଳେ ଆମେ ଏସବୁ ପୁରାତନ ପ୍ରକ୍ରିୟାକୁ ଅଣଦେଖା କରିଥାଉ।