ସାନଖେମୁଣ୍ଡି ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ମନରେଗା ଜନଶୁଣାଣୀ ଶିବିର ଅନୁଷ୍ଠିତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସରକାରଙ୍କ ଦ୍ୱାରା ବ୍ଳଜ ସ୍ତରରେ କାର୍ଯ୍ୟ କରାଯାଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ଗତ ମାସିକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି କ୍ରମେ ପଞ୍ଚାୟତ ସମିତି ଅଧିନ ସମସ୍ତ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ରୋଜଗାର ସେବକ, ଉନ୍ନୟନ ବିଭାଗ ଯନ୍ତ୍ରୀ ସମୂହଙ୍କ ମିଳିତ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ଅଧକ୍ଷତା କରିବା ସହିତ ଚଳିତ ଆର୍ଥିକ ବର୍ଷରେ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟଧାରର ଗତିଶୀଳତାକୁ ନେଇ ବ୍ଲକ ପ୍ରଶାସନକୁ ସାଧୁବାଦ ପ୍ରଦାନ କରିଥିଲେ । ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କବିଳ କୁମାର ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏମଜିଏନଆରଜିଏସ(MGNREGAS) ଅଧିନ ସୃଷ୍ଟି ହୋଇଥିବା ଶ୍ରମ ଦିବସକୁ ନେଇ ଗୁରୁତ୍ୱରୋପ କରିଥିଲେ । କାମ ପାଇନଥିବା ଶ୍ରମିକଙ୍କୁ ୧୦୦ଦିନର କାର୍ଯ୍ୟଦିବସ ସୃଷ୍ଟି ସହ ମଷ୍ଟର ରୋଲ ସମ୍ପାଦନରେ ସ୍ୱଚ୍ଛତା ରକ୍ଷା ପାଇଁ ତାଗିତ ଦେଇଥିଲେ । ଅଂଚଳ ଜନାହିତକର ତଥା ସମାଜ ମଙ୍ଗଳକାରୀ ନିର୍ମାଣ ଜନିତ କାର୍ଯ୍ୟକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅଞ୍ଚଳରେ ଚାଲୁ ରହିଥିବା ମାଟିରାସ୍ତା, ଆବାସ ଯୋଜନା, ମୋ କୁଡ଼ିଆ, ପରିତ୍ୟେକ୍ତ ପୋଖରୀ ମରାମତି କରଣ ଓ ସୌନ୍ଦର୍ଯ୍ୟ କରଣ, ସ୍ମଶାନ ଗୃହ, ନଳକୂପ ନିର୍ମାଣ, ଆଦର୍ଶ ଗୁହାଳ, ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଅନୁସଙ୍ଗିକ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଜିଲା ସାମାଜିକ ସମୀକ୍ଷକ ରବୀନ୍ଦ୍ରନାଥ ମଳାଣ, ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ