ସରକାରୀ ଡାଏରୀରେ ଭୁଲ୍ ତଥ୍ୟ ଅଭିଯୋଗ , ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ – ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ଡାଏରୀରେ ବିଭ୍ରାନ୍ତିମୂଳକ ଥିବା ତଥ୍ୟ ରହିଥିବାରୁ ତାହାକୁ ପ୍ରତ୍ୟାହାର କରିନେବା ଦାବି କରି ମଙ୍ଗଳବାର ଭୁବନେଶ୍ୱର ସୂଚନା ଭବନ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଡାଏରୀ ଭିତରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଏକ କବିତା ପ୍ରକାଶ ପାଇଥିବାବେଳେ କବିତାର ତଳେ କବିବର ରାଧାନାଥ ରାୟ ସେହି କବିତାଟିକୁ ଲେଖିଥିବା ଦର୍ଶାଯାଇଛି । ରାଜ୍ୟସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ଡାଏରୀ ଓ କ୍ୟାଲେଣ୍ଡର କିଣିବାପାଇଁ ବହୁ ବ୍ୟକ୍ତି ସୂଚନା ଭବନରେ ଧାଡି ବାନ୍ଧିଥିଲେ । ଏହି ମହା ତୃଟି ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଡାଏରୀକୁ ପ୍ରତ୍ୟାହାର କରି ରାଜ୍ୟବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରମାରଂଜନ ବଳିଆରସିଂହ ଦାବି କରିଛନ୍ତି । ମଙ୍ଗଳବାର ବିଜେପିର ଏକ ପ୍ରତିନିଧୀ ଦଳ ଆଇଜି ପାର୍କରୁ ଜୟଦେବ ଭବନ ପର୍ଯ୍ୟନ୍ତ ପଦଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଓଡିଆ ଭାଷା ବିରୋଧୀ ମନୋଭାବକୁ ଦୃଢ ନିନ୍ଦା କରିଥିଲା । ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ରାଜ୍ୟସରକାର ସବୁସମୟରେ ଅପମାନିତ କରିଚାଲିଛନ୍ତି । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ସଭାରେ ବକ୍ସି ଗୋପବନ୍ଧୁ କହି ଉକ୍ରଳମଣିଙ୍କୁ ଅସମ୍ମାନ କରିଥିଲେ । ମୁଖ୍ୟମନ୍ତ୍ରୀ ଓଡିଶା ଜାତି, ଭାଷା ଏବଂ ସଂସ୍କୃତିକୁ ବଳି ପକାଇଦେଇଛନ୍ତି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସତ୍ୟବାଦୀ ବାସିନ୍ଦାଙ୍କ ସମେତ ରାଜ୍ୟର ସମସ୍ତ ବୁଦ୍ଧିଜୀବୀ ଏଭଳି ଘଟଣାକୁ ନିନ୍ଦା କରିବା ସହ ରାଜ୍ୟସରକାରଙ୍କ ଖାମଖିଆଲି ନୀତିକୁ ବିରୋଧ କରିଛି ଶ୍ରୀ ବଳିଆରସିଂହ କହିଛନ୍ତି । ଓଡିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ମମତା ନାହିଁ । କେବଳ ଲୋକଦେଖାଣିଆ କ୍ୟାବିନେଟ ବସାଇ ଓଡିଆ ବିଶ୍ୱାବିଦ୍ୟାଳୟ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବାସ୍ତବରେ ଓଡିଆ କବି, ସାହିତ୍ୟ, ଭାଷା, ସଂସ୍କୃତି, ଏ୍ୟତିହ୍ୟ ଏବଂ ପଂରପରାକୁ ରାଜ୍ୟସରକାର ସମ୍ମାନ ଦେବାକୁ ଚାହୁଁନାହାଁନ୍ତି ବୋଲି ଶ୍ରୀ ବଳିଆରସିଂହ କହିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରିଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର