ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୧୦୦ ଦିନରେ : ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ଦାବି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋଭିଡ୍ ଯୋଦ୍ଧା ମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବ ପ୍ରାର୍ଥନା ଶପଥ ପାଠ କରିବା ସହ ବହୁ ବାର ପ୍ରସଂଶା କଲେ ହେଲେ,ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେଇପାରିଲେ ନାହିଁ । ଦୀର୍ଘ ୭ ମାସ ଧରି ହଜାର ହଜାର ଚୁକ୍ତିଭିତ୍ତିକ କରୋନା ଯୋଦ୍ଧାମାନେ ଦିନରାତି ଅହରହ ପରିଶ୍ରମ କରି ନିଜ ଜୀବନକୁ ଓଡିଶାବାସୀଙ୍କ ନିକଟରେ ଉତ୍ସର୍ଗ କରି ଦେଇଛନ୍ତି । ଓଡ଼ିଶାକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟରେ ସର୍ବନିମ୍ନ ଦରମା ୨୫୦୦୦ ଥିଲେବି ଓଡ଼ିଶାରେ ୮୮୮୦ ଟଙ୍କା, ଓଡିଶା ସରକାର ନା ସର୍ବନିମ୍ନ ମଜୁରୀ ଦେଉଛନ୍ତି ନା ସପ୍ତମ ବେତନ ଲାଗୁ କରୁଛନ୍ତି, ନିଜର ହକ୍ ପାଇବା ପାଇଁ ବହୁବାର ଆନ୍ଦୋଳନ କରାଇଥିଲେବି ସରକାର କେବଳ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି, ଏପରିକି ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ସଚିବଙ୍କ ଲିଖିତ ପ୍ରତିଶୃତି ପାଣିର ଗାର ହୋଇଯାଇଛି, ଯୁବ କର୍ମଚାରୀମାନଙ୍କ ସହିବାର ସବୁ ସୀମା ଶେଷ ହୋଇସାରିଛି ଯଦି କରୋନାର ତାଣ୍ଡବ ସମୟରେ ଅନେକ ବାଧା, ପ୍ରତିବନ୍ଧକ ସତ୍ତ୍ୱେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟରତ ହୋଇପାରୁଛନ୍ତି, ତେବେ ଏହି ସମୟରେ ମାନଙ୍କୁ ନିଜ ପ୍ରାପ୍ୟରୁ ବଞ୍ଚିତ ହେବା ନିହାତି ଦୁଃଖର ବିଷୟ । ଉଚିତ୍ ନିୟମ ପ୍ରକ୍ରିୟାରେ ଷ୍ଟାଫ ସିଲେକ୍ସନ କମିଶନ ତଥା ଅନ୍ୟାନ୍ୟ ସିଲେକ୍ସନ ବୋର୍ଡ ଭଳି ଆନୁଷ୍ଠାନିକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଇଥାନ୍ତି । ରାଜ୍ୟ ସରକାରଙ୍କ ଯୁବକର୍ମଚାରୀଙ୍କ ପ୍ରତି ଏଭଳି ପାତରଅନ୍ତର ଭାବନା ପ୍ରକୃତରେ ଚିନ୍ତାର ବିଷୟ । ଏଭଳି କଳୁଷିତ ପ୍ରଥାର ଅନ୍ତ ନକରି ସପ୍ତମ ବେତନ ଲାଗୁ କରିବା ପାଇଁ ଅଦାଲତରେ ସଙ୍ଘ ପକ୍ଷରୁ ମୋକଦମା କରାଯାଇଛି । ଯଦି ସରକାର ସେମାନଙ୍କ ପେଟ କଥା ବୁଝିବେ ନାହିଁ ତେବେ ଆଉ ବୁଝିବ କିଏ ? ଏହି ଚୁକ୍ତିଭିତ୍ତିକ ଉଛେଦ ଦାବିରେ ଯୁବ କର୍ମଚାରୀ ମାନେ ଦୀର୍ଘ ୧୦୦ ଦିନ ଧରି ଡିଜିଟାଲ ଆନ୍ଦୋଳନ ତଥା ଇ ଅଭିଯୋଗ ଜରିଆରେ ନିଜ ହକ୍ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଖାଲି ପ୍ରସଂଶା ନ କରି ଯଥାଶୀଘ୍ର ଏ କୁତ୍ସିତ ପ୍ରଥାର ଉଚ୍ଛେଦ ନ କରିଲେ ଆଗାମୀ ଗୋଟିଏ ମାସ ପରେ କାମ ବନ୍ଦ କରି ପରିବାର ସହ ସମୂହ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ନିରୋଜ ରଥ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ,ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ବୋଲି ସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।

One thought on “ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୧୦୦ ଦିନରେ : ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ଦାବି…

Comments are closed.