ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫେରେନ୍ସି ଜରିଆରେ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ବ୍ଲକ ସ୍ତରୀୟ ଓ ଏନଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତି ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୧୦୪ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ କରି ରଖିବା ସହ ସମୁଦ୍ର କୁଳିଆ ଅଞ୍ଚଳ ଗୁଡିକରେ ବିଶେଷ ଧ୍ୟାନ ଦିଆଯିବା ପାଇଁ କୁହାଯାଇଛି । ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ନମନ୍ତେ କୁହାଯାଇଛି । ଆବଶ୍ୟକ ହେଲେ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମହିଳା ମାନଙ୍କ ଠାରୁ ଆରମ୍ଭ କରି ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଜିଲ୍ଲାପାଳ ସମସ୍ତ ଅଧିକାରୀ ଗଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଓଡ୍ରାଫ୍‌, ଅଗ୍ନିଶ୍ରମ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ଆଗୁଆ ସଜାଗ ରହିବା ସହ ପ୍ରସ୍ତୁତ ହୋଇ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ କୋଭିଡ୍ ମୁକାବିଲା ସହ ଆସନ୍ତା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବୈଠକରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଗଞ୍ଜାମ ଆରଟିଓ ବିକାଶ ଚୈଧୁରୀଙ୍କ ସମେତ ବହୁ ବ୍ଲକ ଓ ଏନଏସି ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।