ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟପାଳ ହେବା ସମ୍ଭାବନା !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ସମ୍ବାଦ ସମ୍ପାଦକୀୟରେ ଅପ୍ରିୟ ସତ କଥା ଲେଖି ସରକାରଙ୍କ ଆକ୍ରୋଶର ଶିକାର ତଥା ଶରବ୍ୟ ହୋଇଥିବା ସମ୍ବାଦ ମୁଖ୍ୟ, ପ୍ରବୀଣ ରାଜନୀତିଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅତି ନିକଟରେ ରାଜ୍ୟପାଳ ନିଯୁକ୍ତ ହେଉଥିବା ଦିଲ୍ଲୀ ରାଜଧାନୀରେ ଚର୍ଚ୍ଚା ହେଉଛି I ଓଡିଶା ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିବା ପରେ ସେ ଦିଲ୍ଲୀ ଆସି ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଦେଖା ହୋଇଥିଲେ I ସେ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଓଡିଶା ରାଜ୍ୟ ଉପସଭାପତି ରୂପେ କାର୍ଯ୍ୟ କରିଥିଲେ ପରେ କଂଗ୍ରେସରେ ଯୋଗ ଦେଇ କଂଗ୍ରେସର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ I ପୁଣି ବିଜେଡିରେ ଯୋଗଦେଇ ରାଜ୍ୟସଭା ସାଂସଦ ହୋଇଥିଲେ I ବର୍ତ୍ତମାନ ବିଜେଡିର ବିଧାୟକ ଅଛନ୍ତି I ତେବେ ବିଜେଡି ମୁଖିଆ ତାଙ୍କୁ ଦଳରୁ ବହିଷ୍କାର କରିବା ଓ ତାଙ୍କ ସମ୍ବାଦ ଅନୁଷ୍ଠାନ ଉପରେ ସରକାରଙ୍କ ଆକ୍ରୋଶର ଶିକାର ଷଢ଼ଯନ୍ତ୍ର ଯୋଗୁଁ ସେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି I ତେଣୁ ସେ ସମ୍ବାଦ ସମ୍ପାଦକ ପଦବୀ ଛାଡିଛନ୍ତି I ତାଙ୍କ ଝିଅକୁ ଏହି ପଦବୀରେ ଅବସ୍ଥାପିତ କରିଥିବା ଘୋଷଣା କରିଛନ୍ତି I ଉଲ୍ଳେଖ ଯୋଗ୍ୟ ଯେ ତାଙ୍କର ଦୈନିକ ଖବରକାଗଜ ‘ସମ୍ବାଦ’ର ବାର୍ଷିକ ଉତ୍ସବକୁ ମଧ୍ୟ ସେ ଆସିପାରି ନାହାନ୍ତି । ଦଳୀୟ ଓ ସରକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାପରେ ଥିବା ସୌମ୍ୟରଞ୍ଜନ ନିଜ ହାତଗଢ଼ା ‘ସମ୍ବାଦ’ର ଦୀର୍ଘ ୪୦ବର୍ଷ ଇତିହାସରେ ପ୍ରଥମଥର ପାଇଁ ବାର୍ଷିକ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଇସାରା ଇସାରାରେ ସରକାରୀ ଆକ୍ରୋଶର ମୁକାବିଲା ପାଇଁ ସନ୍ଦେଶ ଦେଇଥିବା ଚର୍ଚ୍ଚା ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବାଦର ନବନିଯୁକ୍ତ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଯୋଜିତ ‘ନୀଳଶୈଳ’ ନାଟକର ଉଦାହରଣ ଦେଇ କହିଥିଲେ ଯେ, ମଙ୍ଗରାଜ କେତେବେଳେ ଲଢ଼ୁଥିଲା ତ, ମଙ୍ଗରାଜ କେତେବେଳେ ଷଡ଼ଯନ୍ତ୍ର କରୁଥିଲା । କେବଳ ଏତିକି କଥା ହିଁ କହିବି। ଅଧିକ କହି ଅସୁବିଧାରେ ପକାଇବାକୁ ଆସନାହିଁ ବୋଲି କହି ଥିଲେ । ତେବେ ଗଣତନ୍ତ୍ରରେ ବିଚାର ଓ ମତରେ ପାର୍ଥକ୍ୟ ରହିବ । ଆଲୋଚନା ଓ ସମାଲୋଚନା ବି ହେବ, ଅବଶ୍ୟ ମର୍ଯ୍ୟାଦା ଭିତରେ ରହିବା କଥା । ଲକ୍ଷ୍ମଣରେଖାକୁ କେହି ଉଲ୍ଲଘଂନ କରିବାର ପ୍ରଚେଷ୍ଟା ନ କରିବା ଦରକାର । ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର । ଏହା ଗଣତନ୍ତ୍ରର ବଡ଼ ମନ୍ତ୍ର । ଖବର କେବେ ଲୁଚି ରହେନି । ସତ ଖବର ନିଶ୍ଚିତ ଦିନେନା ଦିନେ ପଦାକୁ ଆସିବ। ଖବର ପ୍ରକାଶ କରିବା ସାମ୍ବାଦିକର କାର୍ଯ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଭାରତ ସରକାର ‘ପ୍ରଧାନମନ୍ତ୍ରୀ ରୁସା’ ଯୋଜନାରେ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ପରିଚାଳିତ କଲେଜଗୁଡ଼ିକୁ ଏହି ଅର୍ଥ ଦେବା ପାଇଁ ପ୍ରଧାନମନ୍ତ୍ରୀ ବଜେଟ ବରାଦ କରିଛନ୍ତି । କିନ୍ତୁ ଓଡ଼ିଶା ଏଥିରେ ସାମିଲ ହୋଇ ନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି।  ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଠିକ୍ ସମୟରେ ଠିକ୍ ଖବର ଲୋକଙ୍କ ପାଖକୁ ଯିବା ଦରକାର । ଜରୁରୀକାଳୀନ ପରିସ୍ଥିତିବେଳେ ଇନ୍ଦିରା ଗାନ୍ଧି ବି ଖବରକୁ ଚପାଇ ପାରି ନ ଥିଲେ । ଆଉ ଏବେ କିଏ କ’ଣ କରିପାରିବ? ସେହିପରି ସମ୍ବାଦର ଫିଚର ସମ୍ପାଦକ ଗୌରହରି ଦାସ ସ୍ୱାଗତ ଭାଷଣ ଦେଇ ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଏଠାରେ ଅନୁପସ୍ଥିତ ଥିବା ସୂଚନା ଦେଇଥିଲେ । ନୂଆ ସମ୍ପାଦକ ଭାବେ ତନୟାଙ୍କ ଏହା ପ୍ରଥମ ସଭା ବୋଲି କହିଥିଲେ । ଏହି ଅବସରରେ ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଓ ସମ୍ପାଦକ ତନୟା ପଟ୍ଟନାୟକ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ । ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବାପରେ ଓ ସମ୍ବାଦର ଲୋନ୍ ସ୍କାମ ଅଭିଯୋଗରେ ଅର୍ଥନୀତିକ ଅପରାଧ ଶାଖା ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ମାମଲା ରୁଜୁ ହେବାପରଠୁ ସୌମ୍ୟ ନିଜକୁ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି । ନିଜ ସମ୍ପାଦକୀୟ ମାଧ୍ୟମରେ ଫାଇଭ-ଟି ସଚିବଙ୍କୁ ସମାଲୋଚନା କରି ସୌମ୍ୟ ଉଭୟ ଦଳୀୟ ଓ ସରକାରୀ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ : ରଜତ କୁମାର ମହାପାତ୍ର