ସମାଜ ଗଠନରେ ମାତୃଭାଷାର ପ୍ରଭାବ…

ପୃଥିବୀର ସମସ୍ତ ଦେଶ, ତାହାର ଭାଷା, ସାହିତ୍ୟକୁ ନେଇ ଗର୍ବିତ । ଯେଉଁ ଦେଶର ଭାଷାଓସାହିତ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ଉନ୍ନତିଶୀଳ ଓ ପ୍ରଗତିଶୀଳ । ସମସ୍ତ ବିକାଶଶୀଳ ରାଷ୍ଟ୍ର, ତାହାର ଭାଷା, ସାହିତ୍ୟ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଚରମସୀମାରେ ଉପନୀତ । ଉଦାହରଣ ସ୍ୱରୂପ, ଇଂଲଣ୍ଡବାସୀ ସେମାନଙ୍କ ମାତୃଭାଷା ମାଧ୍ୟମରେ ସମଗ୍ର ପୃଥିବୀରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇ ପ୍ରତ୍ୟେକ ଦେଶରେ ଇଂରାଜୀ ଭାଷାକୁ ପ୍ରଚଳନ କରାଇ ଉପନିବେଶ ପ୍ରତିଷ୍ଠା କରି ବାଣିଜ୍ୟିକ ମନୋବୃତ୍ତି ଦ୍ୱାରା ନିଜ ଦେଶକୁ ଅର୍ଥନୀତି କ୍ଷେତ୍ରରେ ସମୃଦ୍ଧଶୀଳ ହୋଇପାରିଥିଲା । ବର୍ତ୍ତମାନ ସମୟରେ ସମଗ୍ର ପୃଥିବୀରେ ଇଂରାଜୀ ଭାଷା ପ୍ରଚଳନ ହୋଇ ଆନ୍ତର୍ଜାତିକ ସ୍ତରରେ ମୁଖ୍ୟ ଭୂମିକା ନିର୍ବାହକରୁଛି । ଫଳରେ ଇଂରାଜୀ ଜାଣିଥିବା ବ୍ୟକ୍ତି ପୃଥିବୀର ଯେକୌଣସି ସ୍ଥାନରେ ତାହାର ଭାବ ବିନିମୟ ସ୍ୱରୂପ ସହିତ ବୃତ୍ତିଗତ କାର୍ଯ୍ୟପନ୍ଥା ବାଛିନେଇ ଜୀବିକା ନିର୍ବାହ କରିପାରୁଛି ଓ ନିର୍ବିଘ୍ନରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମର୍ଥ ହୋଇପାରିଛି । ଇଂରାଜୀ ଲେଖକ ଓ କବିମାନଙ୍କର ସାହିତ୍ୟ କୃତି ସର୍ବଜନ ବିଦୀତ ଓ ସମଗ୍ର ପୃଥିବୀର ବୃହତ୍ତ ଶିକ୍ଷାଅନୁଷ୍ଠାନ ଗୁଡିକରେ ପଠନଯୋଗ୍ୟ । ସେଥିପାଇଁ ଇଂଲଣ୍ଡର ସାଧାରଣ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯେକୌଣସି ବିଶ୍ୱବିଦ୍ୟାଳୟରେ ନିଜର ଆଶ୍ୱସ୍ତି ଅନୁଭବ କରିପାରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଚାରଯୋଗ୍ୟ କଥା ହେଲା, ନିଜର ମାତୃଭାଷାର ଯଦି ବିକାଶିତହେବ ତେବେ ସେ ଦେଶର ବିକାଶ ଓ ସମାଜ ଗଠନରେ ସହାୟକ ହୋଇ ପାରିବ । ଯେକୌଣସି ଦେଶର ନାଗରିକ ପ୍ରଥମେ ତା’ର ମାତୃଭାଷାକୁ ଜାଣିଥାଏ ଓ ତାହାରି ମାଧ୍ୟମରେ ଅନ୍ୟ ଭାଷାରେ ପ୍ରବେଶ କରି ନିଜର ଜ୍ଞାନ, ବିଜ୍ଞାନର ପରିପ୍ରକାଶ କରିଥାଏ । ଯେ କୌଣସି ଦେଶର ନାଗରିକମାନେ ନିଜର ମାତୃଭାଷାକୁ ଜାଣିଥାନ୍ତି ସେଥିପାଇଁ ମାତୃଭାଷାରେ ଲିଖିତ ସମସ୍ତ ଗଦ୍ୟ, ପଦ୍ୟ, ପ୍ରବନ୍ଧ, ଗଳ୍ପ ଆଦି ପଢି ଲେଖାର ଉଦ୍ଦେଶ୍ୟକୁ ବୁଝି ସଂସ୍କାର, ସଂସ୍କୃତିକୁ ଉତ୍ତମ ଭାବରେ ବୁଝି ପାରନ୍ତି । ସାଂପ୍ରତିକ ସମାଜରେ ଘଟୁଥିବା ଘଟଣା, ସମସ୍ୟା, ଅନ୍ୟାୟ, ଅନୀତି, ବିକାଶ, ଶିକ୍ଷା, ପାଣିପାଗ, ବନ୍ୟା, ବାତ୍ୟା, କୃଷି, ବୃତ୍ତି, ବାଣିଜ୍ୟ, ରାଜନୀତି ଉପରେ ଅବଗତ ହୋଇ ନିଜର ଅଧିକାର ଓ କର୍ତ୍ତବ୍ୟକୁ ବୁଝି ନିଜର କାର୍ଯ୍ୟ ସମ୍ପାଦନ କରନ୍ତି । ପ୍ରଥମେ ଛୋଟ ଶିଶୁଟି ମାତୃ ଗର୍ଭରୁ ଭୂମିଷ୍ଠ ହେବା ମାତ୍ରେ ତାହାର ମାଆ ସଂସ୍ପର୍ଶରେ ଆସିଥାଏ । ମାଆ, ଆତ୍ମୀୟ ସ୍ଵଜନ, ପଡୋଶୀମାନଙ୍କଠାରୁ ସେ ମାତୃଭାଷା ଶୁଣି ତାହାର ଅର୍ଥକୁ ହୃଦୟଙ୍ଗମ କରି ଧିରେ ଧିରେ ମାତୃଭାଷାକୁ ଭଲ ଭାବରେ ଶିଖିଯାଇଥାଏ ।ପରବର୍ତ୍ତୀ ସମୟରେ ସେ ସେହି ଭାଷା ମାଧ୍ୟମରେ ଅନ୍ୟ ଭାଷାକୁ କରାୟତ କରି ଉଚ୍ଚ ଶିକ୍ଷା ଲାଭକରେ ଓ ଜ୍ଞାନର ବିକାଶ କରେ । ପ୍ରଥମେ ଶିଶୁର ମନ ଏକ “ଶୂନ୍ୟ ସିଲଟ”ପରିଥାଏ । ତା’ମନ ସିଲଟରେ ପ୍ରଥମେ ମାତୃଭାଷାର ଶବ୍ଦକୋଷ ଲେଖା ଯାଇଥାଏ ।ତା’ପରେ ସେ ସେହି ଭାଷାରେ ପାରଦର୍ଶିତା ହାସଲ କରି ବିଦ୍ୟାଳୟକୁ ଯାଇ ତା’ମାଧ୍ୟମରେ ଅନ୍ୟ ଭାଷାକୁ କରାୟତ କରେ । ମାତୃଭାଷାରେ ପ୍ରତ୍ୟେକ ବ୍ୟକ୍ତି ପାରଙ୍ଗମ । ତାହାର ପ୍ରତ୍ୟେକ ଭାବ, ଅର୍ଥ, ଉଦ୍ଦେଶ୍ୟକୁ ସେ ସହଜ ଭାବରେ ହୃଦୟଙ୍ଗମ କରିପାରେ । ମାତୃଭାଷାର ବିଭିନ୍ନ ଦିଗକୁ ସେ ଅନୁଧ୍ୟାନ କରି ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରେ କିମ୍ବା ନିଜର ଭାବନାକୁ ଲେଖନୀ ମୁନରେ ପ୍ରତିଫଳିତ କରେ । କାବ୍ୟ, କବିତା, ପ୍ରବନ୍ଧ, ଗଳ୍ପ ଆକାରରେ ସଜାଇ ସେଥିରେ ଶବ୍ଦ, ଉପମା, ଅଳଙ୍କାର, ଛନ୍ଦ, ଛାନ୍ଦ, ପଦ, ପାଦ ଯୋଡି ତାହାକୁ ଆକର୍ଷଣୀୟ କରି ସମସ୍ତଙ୍କୁ ଆକୃଷ୍ଟ କରାଇ ମାତୃଭାଷାରେ ସମସ୍ତଙ୍କୁ ଉଦ୍ ବୋଧ କରାଏ । ଫଳରେ ସମସ୍ତେ ମାତୃଭାଷାକୁ ଭଲ ଭାବରେ ଜାଣିଥିବାରୁ ଲେଖାର ଉଦ୍ଦେଶ୍ୟ ଓ ଭାବରସକୁ ଭଲ ଭାବରେ ଉପଲବ୍ଧି କରିପାରନ୍ତି । ମାତୃଭାଷାରେ ଲିଖିତ ସାହିତ୍ୟ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚିପାରିଥାଏ । ଫଳରେ ସମାଜରେ ଘଟୁଥିବା ଅନ୍ୟାୟ, ଅନୀତି, ଶୋଷଣ, କଳାବଜାର, ଦୁର୍ନୀତି ପ୍ରତି ସଜାଗ ରହି ନିଜର ଜିବୀକା,ବୃତ୍ତି ନିର୍ବାହ ପୂର୍ବକ ସୁସ୍ଥ ଜୀବନଯାପନ କରିଥାଏ । ମାତୃଭାଷା ବ୍ୟତିରେକ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତି ଜ୍ଞାନୀଗଣରେ ଗଣା ହେବା ପାଇଁ ଯୋଗ୍ୟ ନୁହଁ । କାରଣ ସେ ନିଜ ଦେଶର, ଜାତିର, ସମ୍ପ୍ରଦାୟର ସୁଖଦୁଃଖ, ଅଭାବ ଅସୁବିଧାକୁ ଭଲ ଭାବରେ ଅନୁଭବ କରିପାରେ ନାହିଁ କି ବୁଝି ପାରେ ନାହିଁ । ତେଣୁ କବିବର ଗଙ୍ଗାଧର ମେହେର ଲେଖିଛନ୍ତି-”
ମାତୃଭୂମି ମାତୃଭାଷାର ମମତା
ଯା’ହୃଦେ ଜନମି ନାହିଁ
ତା’କୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ ।।
ପରିଶେଷରେ ଏତିକି କୁହାଯାଇପାରେ, ମାତୃଭାଷା ମାଧ୍ୟମରେ ଲୋକମାନେ ନିଜର ସଂସ୍କାର, ସଂସ୍କୃତି, ଧର୍ମ, କର୍ମ, କର୍ତ୍ତବ୍ୟ ବିଷୟରେ ଅନେକ କଥା ଜାଣି ଅନ୍ଧବିଶ୍ୱାସ, କୁସଂସ୍କାର ବିରୁଦ୍ଧରେ ଯାଇ ସଚେତନଧର୍ମୀ କାର୍ଯ୍ୟ ହାତକୁ ନେଇ ଗୋଟିଏ ସୁସ୍ଥ ସମାଜ ଗଠନ କରିବା ପାଇଁ ସମର୍ଥ ହୋଇପାରିଥାଏ ।

ବନଲତା ଜାଲି,
କୃଷ୍ଣ ପ୍ରସାଦ, ପୁରୀ