ସମସ୍ତ ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ପ୍ରମୁଖ ସଚିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦୃତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖି କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ୧୩୦ଜଣ ଡାକ୍ତରଙ୍କୁ ନିୟୋଜିତ କରିଥିବା ସୂଚନା ମିଳିଛି । ୧୩୦ଜଣ ଡାକ୍ତରଙ୍କ ମଧ୍ୟରୁ ୧୦୦ ଜଣ ଆୟୁଷ ଡାକ୍ତର ଓ ୩୦ଜଣ ଏମବିବିଏସ୍ ଡାକ୍ତର ବୋଲି ଜଣାପଡିଛି । ଏହାସହ ଜିଲ୍ଲାକୁ ୩୩ଜଣ ଲ୍ୟାବେରେଟାରୀ ଟେକନିସିଆନ୍ ମାନଙ୍କୁ ମଧ୍ୟ ପଠାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ସ୍ଥିତିକୁ ପରିଚାଳନା ପାଇଁ ରାଜ୍ୟ ସରକାର ୫ଜଣ ଓଏଏସ ଅଧିକାରୀ ଓ ୩୨ଜଣ ଓଆରଏସ (ଗ୍ରୁପ୍‌-ବି) କର୍ମଚାରୀଙ୍କୁ ପଠାଯାଇ ଜିଲ୍ଲା ପ୍ରଶାସନ ଅଧିନରେ କାର୍ଯ୍ୟ କରିବାକୁ କୁହାଯାଇଛି । ତେଣୁ ଆଜି ବହୁ ଅଧିକାରୀ ଓ ଡାକ୍ତରୀ ଟିମ୍ ଆସିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ସ୍ଥିତି ପରଖିବା ନିମନ୍ତେ ଗୁରୁବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ତଥା ଗଞ୍ଜାମ ଜିଲ୍ଲାର ନୋଡାଲ୍ ଅଧିକାରୀ ଜି. ମାତି ଭାଥାନାମ୍ ଗୁରୁବାର ଜିଲ୍ଲାକୁ ଆସି ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତା ଅବଲମ୍ବନ କରି ଜିଲ୍ଲାର ମୁଖ୍ୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣ ବଢି ଚାଲିଥିବା ବେଳେ ଏହାର କାରଣ କଣ ମଧ୍ୟ ଖୋଜା ଯାଉଥିବା ଜଣାଯାଇଛି । ଏହାସହ ଜିଲ୍ଲାରେ ଅଧିକରୁ ଅଧିକ ରକ୍ତ ନମୁନା ସଂଗ୍ରହ କିପରି କରାଯାଇ ପାରିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୂରତା ଓ କନଟାକ୍ସ ଟ୍ରେସିଂ ଉପରେ ମଧ୍ୟ ଫୋକସ୍ କରାଯାଇଛି । ଗ୍ରାମାଞ୍ଚଳରେ ଆଜିଠୁ ସ୍ୱାସ୍ଥ୍ୟ ଯାଞ୍ଚର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିପରି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ସେଥିପ୍ରତି ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି ଏବଂ ଲକ୍ଷ୍ୟଣ ଥିବା ବ୍ୟକ୍ତି ମାନଙ୍କୁ ଖୋଜି ବାହାର କରି ସେମାନଙ୍କ ସ୍ୱାବ୍ ଟେଷ୍ଟ୍ କିପରି କରାଯିବ ଏହା ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାରେ ସହରାଞ୍ଚଳ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ବ।ରମ୍ବାର ସଟଡାଉନ୍ ଘୋଷଣା କରାଯାଇ ବିଭିନ୍ନ ନିୟମ ଲାଗୁ କରାଯାଉଛି । ଏହି ସଟଡାଉନ୍ ଚାଲିଥିବା ସମୟରେ ସମସ୍ତ ଅଞ୍ଚଳ ଗୁଡ଼ିକରେ ମୋବାଇଲ୍ ଭ୍ୟାନ୍ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଇ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଉଛି । ଏହାସହ ଜିଲ୍ଲାର ସମସ୍ତ ତଥ୍ୟ ପ୍ରମୁଖ ସଚିବ ସଂଗ୍ରହ କରି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଡ଼େପୁଟି କଲେକ୍ଟର ଡ. ଦିବ୍ୟଲୋଚନ ମହନ୍ତ, ବିଡିଓ ସେକ୍ରେଟାରୀ ସମ୍ବିତ ରାଉତ, ଡ଼ିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା