ସବୁ ପଞ୍ଚାୟତକୁ ମିଳିବ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସବୁ ପଞ୍ଚାୟତକୁ ମିଳିବ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ ଏହି ଅର୍ଥ ପଂଚାୟତକୁ ଯୋଗାଇ ଦିଆଯିବ । କ୍ରୀଡ଼ା ବିଭାଗର ସୁପାରିଶ ଆଧାରରେ ପଂଚାୟତିରାଜ ବିଭାଗ ଗତ ୨ଦିନ ତଳେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛି ।  ଏହି କ୍ରୀଡ଼ା ଓ ଜିମ୍ ଉପକରଣ ବାଂଟି ଶାସକ ବିଜେଡି ରାଜ୍ୟର ଛାତ୍ର ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ସୂଚନା ଅନୁସାରେ, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ସଚିବ ଆର ଭିନିଲକ୍ରିଷ୍ଣା ଚଳିତମାସ ୧୯ତାରିଖରେ ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସୁଶୀଲ କୁମାର ଲୋହାନୀଙ୍କୁ ଚିଠି ଲେଖି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୁବବର୍ଗଙ୍କ ପାଇଁ କ୍ରୀଡ଼ା ସୁବିଧାର ବିକାଶ ଓ କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ପଂଚାୟତସ୍ତରରେ ଯୁବବର୍ଗଙ୍କୁ କ୍ରୀଡ଼ା ଉପକରଣ ଦେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଉନ୍ନତମାନର କ୍ରୀଡ଼ା ଉପକରଣ ମାଧ୍ୟମରେ ଯୁବବର୍ଗଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ଓ ସେମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରାଯାଇପାରିବ । ସେଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ମୋଟ ୨୩ଟି କ୍ରୀଡ଼ାର ବିଭିନ୍ନ ଉପକରଣ ଓ ଗୋଟିଏ ଜିମ୍ କିଟ୍ ପ୍ରଦାନ ନିମନ୍ତେ ତାଲିକା ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ଯୁବବର୍ଗଙ୍କ ମଧ୍ୟରେ ଭିନ୍ନ ଭିନ୍ନ କ୍ରୀଡ଼ାର ଚାହିଦା ଥିବାରୁ ଏହି ତାଲିକା ମଧ୍ୟରୁ ସେମାନଙ୍କୁ ଆବଶ୍ୟକ ଉପକରଣ ଦେବା ନିମନ୍ତେ ପଂଚାୟତସ୍ତରରେ ଏହି କ୍ରୀଡ଼ା ଉପକରଣ କ୍ରୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଉପରେ ତତ୍କାଳ ପଦକ୍ଷେପ ନେଇ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଅରବିନ୍ଦ ଡାକୁଆ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଚିଠି ଲେଖି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଏହି କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ପ୍ରତି ପଂଚାୟତ ପିଛା ଅଢ଼େଇ ଲକ୍ଷ ଟଙ୍କା ଆବଂଟନର ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ କହିଛନ୍ତି ।