ସତରେ କ’ଣ ତୁମ ପାଇଁ ଏତେ ଚିନ୍ତିତ ଏ ସମାଜ ? !!…

ହେ ନିରୀହ ନିର୍ବୋଧ, ତୁମ ଶୋକାକୁଳ ପରିସ୍ଥିତି ଦେଖି ଆମ ମନରେ ଅନେକ ପ୍ରଶ୍ନ ଯାହାର ଉତ୍ତର ନହୁଏ ହୃଦବୋଧ ! ସତରେ କ’ଣ ତୁମ ପାଇଁ ଏତେ ଚିନ୍ତିତ ଏ ସମାଜ ? ଯେତେବେଳେ ପାରିବାରିକ ସମସ୍ୟାରେ ସ୍ୱଗୃହ ସ୍ୱଜନ ହୋଇନଥା\’ନ୍ତି ସହଯୋଗ, ସାହାଯ୍ୟର ଉତ୍ସ ! ସେତେବେଳେ ଅଜ୍ଞାତ କରନ୍ତି ସାହାଯ୍ୟ ରଖି କେଉଁ ଉଦେଶ୍ୟ ? ଜାଣିବା, ବୁଝିବା ଜ୍ଞାନ ଶୂନ୍ୟ ଭାବ ତୁମ ସବୁବେଳେ କରି ରଖିବ ତୁମକୁ ନୀଚ୍ଚ ! ଯେତେଦିନ ଯାଏଁ ନବୁଝିଛ ଦାତାର ମନୋଭାବ, ସେତେଦିନ ପର୍ଯ୍ୟନ୍ତ ବୋଲାଉ ଥିବେ ସେମାନେ ଦାତା ତୁମେ ଗ୍ରହୀତା ନିକୁତ୍ସ!! ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରଙ୍ଗ, ଢଙ୍ଗରେ ଦାନ ଦେବା ଏବଂ ସେଗୁଡିକୁ ଦରିଦ୍ର ମାନସିକତା ପ୍ରବଣ ମଣିଷଙ୍କ ବାଦ ବିବାଦ କରି ଗ୍ରହଣ, ହାସଲ କରିବା ଆମ ଦେଶ ଲୋକଙ୍କର ଏକ ଶୈଖିକ ଚରିତ୍ର ଯାହା ବହୁ ଆବହମାନ କାଳରୁ ପ୍ରଚଳିତ ଆମ ସମାଜର ଏକ ପ୍ରଥା ଭଳି ଦେଖିବାକୁ ମିଳୁଛି । ପୂର୍ବରୁ ରାଜା, ଜମିଦାର କିମ୍ବା ସମ୍ଭ୍ରାନ୍ତ ଧନୀକ ଗୋଷ୍ଠୀ ଏହିଭଳି ଦରିଦ୍ର ମାନସିକତା ପ୍ରବଣ ଲୋକଙ୍କୁ କିଛି ହାତ ମଳି ଦାନ ପୂର୍ବକ ଧର୍ମ ଅର୍ଜନ କରିବାର ପ୍ରୟାସ କରୁଥିଲେ ଯାହା ଅଦ୍ୟାବଧି ଆମ ଦେଶରେ ଦଖିବାକୁ ମିଳୁଛି । କାଳକ୍ରମେ ସମାଜର ଉଚ୍ଚ ସ୍ଥାନରେ ରହିଥିବା ଏକ ସମ୍ପ୍ରଦାୟର କିଛି ପରିବାର ନିଜର ଆଳସ୍ୟକୁ ସାକାର କରିବା ହୀନ ଉଦ୍ଦେଶ୍ୟ ରଖି କାହାଠାରୁ ଦାନ ସ୍ୱରୂପ ବିଭିନ୍ନ ଦ୍ରବ୍ୟ, ଅର୍ଥ ଗ୍ରହଣ କଲେ ଯଦ୍ୱାରା ଦାତାଙ୍କ ଗ୍ରହ ଶାନ୍ତି, ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି କହି ଦାନ ଗ୍ରହଣ କରିବା ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିବାକୁ ଲାଗିଲେ । ଏମିତିକି ସେମାନେହିଁ କହିଥା’ନ୍ତି ଯେ ଦାନ ଠାରୁ ପୁଣ୍ୟ ନାହିଁ, ମାଗିବା ଠାରୁ ହୀନ ନାହିଁ । ତଥାପି ସେମାନେ ମାଗି ମାଗି ଦାନ ଗ୍ରହଣ କରିଥା’ନ୍ତି ସାଧାରଣ ଲୋକଙ୍କ ଠାରୁ । କି ଧନୀ କି ଗରିବ ସମସ୍ତଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରବଚନ ଦେଇ ଦାନ ଦେଲେ ପୁଣ୍ୟ ହେବ ବୋଲି କହି ନିଜସ୍ୱ ସ୍ୱାର୍ଥ ହାସଲ ପୂର୍ବକ କୌଣସି ସ୍ତରର ମଣିଷଙ୍କୁ ଛାଡ଼ନ୍ତି ନାହିଁ ସେମାନେ । ଇତି ମଧ୍ୟରେ କେତେକ ଅଜ୍ଞାନ, ନିର୍ବୋଧ ସେମାନଙ୍କ ଦାନ ଗ୍ରହଣ ପ୍ରକ୍ରିୟାକୁ ଅନୁକରଣ କରି ନିଜର ଦାରିଦ୍ର‌୍ୟ ଦୂର କରିବା ପାଇଁ କେତେବେଳେ କାହାଠାରୁ ବିଭିନ୍ନ ସୂତ୍ରରେ ଦାନ ଗ୍ରହଣ କରିବା ପାଇଁ ପଛାଇଲେ ନାହିଁ । ସମାଜରେ ଦାନ, ଭିକ୍ଷା ଇତ୍ୟାଦି ଅମାନୁଷିକ ଭାବଧାରା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଲା । ପୁଣି କେତେକ ଭଲରେ ଥିବା ପରିବାର ଏହି ଗୋଷ୍ଠୀର କାର୍ଯ୍ୟକଳାପକୁ ଅନୁଧ୍ୟାନ, ଅନୁକରଣ କରି ନିଜର ପ୍ରକୃତ ରୁପକୁ ଲୁଚାଇ ଦରିଦ୍ରର ଅଭିନୟ କରି ଦାନ ଗ୍ରହଣ କରିବାକୁ ପଛାଇଲେ ନାହିଁ ! ଅର୍ଥାତ କହିବାକୁ ଗଲେ ପ୍ରାୟତଃ ଅଧିକାଂଶ ମଣିଷ ଦାନ ଗ୍ରହଣ କରିବା ଏକ ସାମାଜିକ ପ୍ରଥା ଭଳି ଅନୁଭବ କରି ସେଇଥିରୁ ପାଉଥିବା ଲାଭକୁ ନିଜର ଭାଗ୍ୟଫଳ ଭାବେ ବିଚାର କରିବାକୁ ଲାଗିଲେ । ଫଳ ସ୍ୱରୂପ ଆଜି ସମୟରେ କାହାର କେତେ ଧନ, ସମ୍ପତ୍ତି ଥିଲେ ମଧ୍ୟ କୌଣସି ସାହାଯ୍ୟ, ସହାୟତା, ଦାନକୁ ଗ୍ରହଣ କରିବା ଏକ ସାମାଜିକ ଅଧିକାର ସହିତ ନିଜର ସୌଭାଗ୍ୟ ବୋଲି ଅନୁଭବ କରୁଥିବା ଦେଖିବାକୁ ମିଳୁଛି ସର୍ବତ୍ର ! ତେଣୁ ମଣିଷ ମନରେ ସେହି ଦାନ ଗ୍ରହଣ କରି ନିଜକୁ ଭାଗ୍ୟବାନ ବୋଲି ଭାବିବା ଭଳି ଏକ ଦରିଦ୍ର ମାନସିକତା କାଳକ୍ରମେ ଆମ ଜିନ୍‌ଗତ ସ୍ୱଭାବରେ ପରିଣତ ହୋଇଗଲା । ଏହି ମାନସିକତାର ସୁଯୋଗ ନେଇ ପ୍ରଥମେ ବ୍ୟବସାୟୀ ଏବଂ ପରବର୍ତ୍ତୀ ସମୟରେ ଲୋକ ପ୍ରତିନିଧି ମାନେ ଲୋକଙ୍କ ଦୁର୍ବଳତାକୁ ଅନୁଭବ କରି ସାଧାରଣ ଲୋକଙ୍କୁ କିଂଚିତ ସହାୟତା, ଦାନ ପ୍ରଦାନ ପୂର୍ବକ ଯଥେଷ୍ଟ ନିଜସ୍ୱ ସ୍ୱାର୍ଥ ହାସଲ କରିବାକୁ ଲାଗିଲେ । ଏମିତି ପରିସ୍ଥିତି ଦେଖିବାକୁ ମିଳୁଛି ବର୍ତ୍ତମାନ ସମୟରେ ଯେ ତାହାର ଉପଯୁକ୍ତ ସମୀକ୍ଷା କରାଯାଇ ଲୋକଙ୍କୁ ସ୍ୱାବଲମ୍ବୀ କରାଇବା ପରିବର୍ତ୍ତେ ସାମ୍ବିଧାନିକ ବ୍ୟବସ୍ଥାରେ ସାହାଯ୍ୟ, ସହାୟତା, ଦାନକୁ ଅଂଶୀଦାର କରାଯିବା କେତେଦୂର ଯୁକ୍ତିଯୁକ୍ତ ବିଚାର କରାଯିବା କଥା । ହୁଏତ ଏହି ସାମ୍ବିଧାନିକ ବ୍ୟବସ୍ଥା ହେତୁ ତାହାର ସୁଯୋଗ ନେଇ ବିଭିନ୍ନ ସମୟରେ ସମ୍ପ୍ରତି ଶାସକ ଦଳ ସେମାନଙ୍କ ସ୍ୱାର୍ଥ ହାସଲ କରୁନାହାଁନ୍ତିତ ? ଦରିଦ୍ର ହେଉକି ଅସହାୟ କିମ୍ବା କ୍ଷତିଗ୍ରସ୍ଥ କେବଳ ଟଙ୍କାର ସହାୟତା, ସାହାଯ୍ୟ, ଦାନ ମାଧ୍ୟମରେ କ’ଣ ସେମାନଙ୍କ ସବୁ ସମସ୍ୟା ସମାଧାନ କରିପାରିବେ ? ଯଦି ତାହା ସତ୍ୟ, ସମ୍ଭବ ତାହେଲେ ହୁଏତ ଆଜି ଆମ ଦେଶରେ ସବୁ ଲୋକ ସେସବୁ ଗ୍ରହଣ କରିବା ମାନସିକତା ପ୍ରବଣ ନହୋଇ ବରଂ ସ୍ୱତଃ ସ୍ୱାବଲମ୍ବୀ ହୋଇପାରିଥା’ନ୍ତେ, କାରଣ ଭାରତ ବର୍ଷର ସୃଷ୍ଟି ଏଇ ୭୦ ବର୍ଷର ସ୍ୱାଧୀନତା ପରେ ହୋଇନଥିଲା ଯାହା ସେହି ସମୟରୁ ପ୍ରଚଳିତ କରାଯାଇ ଅଦ୍ୟାବଧି ବଳବତ୍ତର ରହିଛି ସେସବୁ ଅମାନୁଷିକ କାର୍ଯ୍ୟଧାରା । ସମ୍ବିଧାନ ସେଗୁଡିକୁ ବାଜ୍ୟାପ୍ତ କରି ସାଧାରଣ ଲୋକଙ୍କୁ ଦାରିଦ୍ର‌୍ୟ ମାନସିକତା ପ୍ରବଣ ନକରି, ସେମାନଙ୍କୁ ଆର୍ଥିକ ସାହାଯ୍ୟ, ସହାୟତା ନଦେଇ ସ୍ଥାଇ ସ୍ୱାବଲମ୍ବୀ କରାଇ ସାରାଜୀବନ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦେଶ୍ୟରେ ସେହି ସହାୟତା ରାଶିକୁ ବିନିଯୋଗ କଲେ ହୁଏତ ଦେଶର ଭାଗ୍ୟ କିଛିଦିନ ପରେ ବଦଳିବା ଆଶା କରାଯାଇ ପାରେ । କିନ୍ତୁ ସହାୟତା, ଦାନ, ଧର୍ମ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ରହିଥିବା ପର୍ଯ୍ୟନ୍ତ ଲୋକଙ୍କ ଆର୍ଥିକ, ସାମାଜିକ ବିକାଶ ଦିଗରେ ଭାବିବା ନିରର୍ଥକ ବୋଲି ଆମ ବିଚାର । ତେଣୁ ସେହି ମାନସିକ ଦରିଦ୍ର ଆଜି ଆଳସ୍ୟର ଚରମ ସୀମାରେ ! ଏହିଭଳି ପରିସ୍ଥିତିରେ ଦେଶର ପ୍ରଗତି କେତେଦୂର ସମ୍ଭବ ବିଚାର ଯୋଗ୍ୟ । ଜାପାନୀ ମାନେ କାହାର ଦାନ ଗ୍ରହଣ କରିବା କିମ୍ବା ଦୟାର ପାତ୍ର ହେବା ପାଇଁ ମନ ନବଳାଇ ସ୍ୱାବଲମ୍ବୀ ହୋଇ ନିଜକୁ ନିଜେ ସମର୍ଥ କରିବା ଲକ୍ଷ ରଖିଥା’ନ୍ତି । ତେଣୁ ସେମାନଙ୍କ ବିକାଶର ପ୍ରଗତି ଆଜି ଆକାଶ ଛୁଆଁ, ଯାହା ଆମ ଦେଶରେ ତାହାର ସମ୍ପୂର୍ଣ୍ଣ ବିପରୀତ ମନୋଭାବ ଦେଖିବାକୁ ମିଳୁଛି । ଏହାଦ୍ୱାରା ଆମ ଦେଶର ଗୌରବ ବଢୁଛି, ବିକାଶଶୀଳ କ୍ଷେତ୍ର ଆଡକୁ ଯାଉଛି କି ନିମ୍ନଗାମୀ ହେଉଛି ସାଧାରଣ ଲୋକେ ବିଚାର କରି ଦେଖିବା କଥା । ପୁନର୍ବାର ଯେଉଁସବୁ ଦାନ ମିଳେ ସେତିକିରେ କ’ଣ ସବୁଦିନ ସଂସାର ଚଳିଯିବ ନା ନିଜକୁ ହୀନ କରି ଦାତାଙ୍କ ପାଖରେ ପ୍ରଣମ୍ୟ ହୋଇ ତାଙ୍କରି କଥାରେ ଚାଲିବାକୁ ପଡିଥାଏ ବିଚାର କରାଯିବା କଥା । କାଳେ କିଂଚିତ ସହାୟତା, ଦାନଦେଇ ଯଥେଷ୍ଟ ସ୍ୱାର୍ଥ ଆଦାୟ କରୁନାହାନ୍ତିତ ଦାତା ? ଅଥବା କ’ଣ ସତରେ ସେମାନେ ଚିନ୍ତିତ ତୁମର ଗରିବୀ ଦେଖି ଯାହାଙ୍କୁ ସ୍ୱାବଲମ୍ବୀ କରାଇବା ବିପରୀତେ ଏମିତି କ୍ଷଣିକ ଦାନଦେଇ ନିଜର ନାଁ ଅର୍ଜନ କରୁଛନ୍ତି ? ଅନେକ ପ୍ରଶ୍ନ ! ଉତ୍ତର ସନ୍ଦିଗ୍ଧ ! ବୁଝିବ କିଏ ? ବୁଝାଇବ କିଏ ? ଦେଖି, ଶୁଣି ଯାହା ଅନୁଭବ ହୁଏ ନିଜ ବିଚାର ନିଜ ପାଖେ ରଖି ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଲିଖିଲେ ମଧ୍ୟ ତାକୁ ପଢିବ କିଏ ? ଆଉ ଯିଏ ପଢିବ ସେଇଥିରୁ ବୁଝିବ କ’ଣ ? ଯଦି କିଛି ବୁଝିଲା କାର୍ଯ୍ୟରେ ଲଗାଇବ କିଏ ? ତେଣୁ ସମାଜର ପରିବର୍ତ୍ତନ, ପ୍ରଗତି ଏକ ତୃଷ୍ଣାତୁରର ମରୀଚିକାରେ ଆର୍ତ୍ତନାଦ ସଦୃଶ୍ୟ ଦଣ୍ଡାୟମାନ ! ଦେଶର ଭବିଷ୍ୟ ପିଢିଙ୍କ ପାଇଁ ବିଚାର ଆପଣ ମାନଙ୍କର ! ଭାରତୀୟ ସମ୍ବିଧାନ ତଥା ନ୍ୟାୟିକ ବ୍ୟବସ୍ଥାରେ ଏହି ସହାୟତା, ଦାନ ଇତ୍ୟାଦି ବ୍ୟବସ୍ଥାକୁ ସଂକୁଚିତ କରି ସେହି ଧନ ରାଶିକୁ ସାଧାରଣ ଲୋକଙ୍କୁ ପ୍ରକୃତ ଜ୍ଞାନ ବିତରଣ ପୂର୍ବକ ସ୍ୱାବଲମ୍ବୀ କରାଗଲେ ଦେଶର ପ୍ରକୃତ ଉନ୍ନତ୍ତି ହୋଇ ପାରିବ ବୋଲି, ସାଧାରଣ ଲୋକଙ୍କ ଅନୁମୋଦନ ବିତରଣ କରାଗଲେ ଦେଶର ସାମୁହିକ ଉନ୍ନତ୍ତି ହେବା ସହିତ ଭବିଷ୍ୟ ପିଢିଙ୍କ ଜୀବନ ଉଜ୍ଜ୍ୱଳ ହୋଇପାରିବ ବୋଲି ଆମ ବିଚାର । ଅନ୍ୟଥା ତୁମର ସଞ୍ଚିତ ରାଶିରୁ ସାହାଯ୍ୟ, ସହାୟତା ରୂପରେ କିଂଚିତ ଗ୍ରହଣ କରି ନିଜପ୍ରତି ସଦୟତା ଭାବର ଅନୁଗ୍ରାହୀ ତୁମେ ବୁଝିବ ଯେବେ ଯେ ପ୍ରକୃତରେ ବିନା ସ୍ୱାର୍ଥରେ କେହି କାହା ପ୍ରତି କୌଣସି ଆନ୍ତରିକ ଭାବ ରଖନ୍ତି ନାହିଁ ଆଜିର ଏହି ମିଥ୍ୟା ଯୁଗରେ, ସେତେଦିନ ପର୍ଯ୍ୟନ୍ତ ସାମାଜିକ ବ୍ୟବସ୍ଥା କ୍ରମ ନିମ୍ନମୁଖୀ ଅବସ୍ଥାରେ ବୋଲି ଆମ ବିଚାରରେ ଆପଣଙ୍କ ମତ କ’ଣ…..??

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ(ଭାରତ)
ଛତ୍ରପୁର, ଗଞ୍ଜାମ