ସଚେତନ ଜ୍ଞାନ…

କୌଣସି କଥା, ବିଷୟ ହେଉକି ସାମାଜିକ ତଥ୍ୟ, ତତ୍ୱକୁ ବିଚାରଶୀଳ ଭାବଧାରା ତଥା ବିଶ୍ଲେଷିତ, ପରିମାର୍ଜିତ ଢଙ୍ଗରେ ଗ୍ରହଣ କରିବା ସଚେତନ ଜ୍ଞାନ । ନିଜର କର୍ତ୍ତବ୍ୟବୋଧତା ତଥା ସାମାଜିକ ବ୍ୟବହାରିକ ମନ୍ତବ୍ୟ ହେଉକି ଆଚରଣ ଗୁଡିକ ମାନବୀୟ ଢଙ୍ଗରେ କରିବା ସଚେତନ ଜ୍ଞାନ ଅନ୍ତର୍ଭୁକ୍ତ ହୋଇଥାଏ । କୌଣସି ବିଷୟର ଆଧାର, ଆଦି, ଅନ୍ତ ନବୁଝି ସେଗୁଡିକୁ ଗ୍ରହଣ କରିବା ତଥା ସମାଜରେ ପ୍ରଚାର, ପ୍ରସାର କରିବା ଜଣେ ଅଜ୍ଞାନର ପରିଭାଷା ମାତ୍ର । ସଚେତନ ସବୁବେଳେ ନିଜର ଜୀବନ ଚର୍ଯ୍ୟାକୁ ସନ୍ତୁଳିତ କରି ମାନବୀୟ ଆଚରଣ କରିଥା’ନ୍ତି । ସଚେତନ ମଣିଷ ଷଡ଼ରିପୁ ଗୁଡିକୁ ମନ ମାନସରେ ଆନ୍ଦୋଳିତ କରି ଭାରସାମ୍ୟ ରକ୍ଷା କରିବାରେ ସମର୍ଥ ହୋଇଥା’ନ୍ତି । ସ୍ଥଳ ବିଶେଷକୁ ନେଇ କାର୍ଯ୍ୟ କରିବା ତଥା ନିଜର ମନ୍ତବ୍ୟ ପ୍ରଦାନ କରିବା ସଚେତନ ମଣିଷର ସର୍ବାଦୌ ଲକ୍ଷ ରହିଥାଏ । ଅଭିଳାଷା ତଥା ଆକୃଷ୍ଠତାଭାବ ହେତୁ କୌଣସି ସାମାଜିକ ବ୍ୟତିକ୍ରମ କରିବାରେ ସବୁବେଳେ କୁଣ୍ଠା ପ୍ରକାଶ କରିଥା’ନ୍ତି ସଚେତନ । ବ୍ୟକ୍ତିଗତ ସ୍ୱାର୍ଥ ଜନିତ ସାମାଜିକ କ୍ଳେଷକୁ ସହଜରେ ଗ୍ରହଣ କରିନଥା’ନ୍ତି ସଚେତନ । କହିବାକୁ ଗଲେ ସଚେତନ ମଣିଷ ପ୍ରାୟତଃ ମାନବୀୟ ଚରିତ୍ର ପ୍ରବାହ ପୂର୍ବକ ସାମାଜିକ ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରୟାସରତ ରହିଥା’ନ୍ତି । ସଚେତନ ଜ୍ଞାନର ସଜ୍ଞାକୁ ବୁଝିବା ମଣିଷଙ୍କ ସଂଖ୍ୟା ଆଜି ସମୟରେ ଅତ୍ୟନ୍ତ କମ୍ । ସଚେତନ ଜ୍ଞାନ ବିତରଣ କରାଯିବା ଭଳି କୌଣସି ସାମାଜିକ ପ୍ରଚାର ପ୍ରସାର ଆଉ ଦେଖିବାକୁ ମିଳୁନାହିଁ ଆଜି ସମୟରେ ଆମ ସମାଜରେ । କେବଳ ଜଣେ ଅନ୍ୟକୁ ଠକି ନିଜସ୍ୱ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ସମସ୍ତେ । ସେମାନେ ବୁଝି ପାରନ୍ତି ନାହିଁ ଯେ ସମସ୍ତେ ଅନ୍ୟକୁ ଠକିବା ଏବଂ କେହି କାହାକୁ ନଠକିବା ବିଷୟ ଏକାଭଳି । କି’ନ୍ତୁ ଅନ୍ୟକୁ ଠକି ଯେତିକି ଆନନ୍ଦ ଉପଲବ୍ଧ ହୋଇପାରିବ, ଯଦି କେହି କାହାକୁ ନଠକି ଭ୍ରାତୃଭାବରେ ବଂଚିବା ଶିକ୍ଷା କରିବା ତାହାଠାରୁ ଅତ୍ୟଧିକ ଆନନ୍ଦିତ କରି ପାରିବା ସମସ୍ତଙ୍କୁ । କେବଳ ସଚେତନ ଜ୍ଞାନର ଅଭାବ ଜନିତ ଅଭାବନୀୟତା ଏହି ଠକ ସମାଜର । ତେଣୁ ସମସ୍ତଙ୍କୁ ସଚେତନ କରି ସମାଜରେ ଭ୍ରାତୃଭାବ ବିତରଣ କରାଗଲେ ଏକ ଶାନ୍ତିପୂର୍ଣ ବାତାବରଣ ସୃଷ୍ଟି ହୋଇ ପାରିବ । ସାଧାରଣ ନିର୍ବୋଧଙ୍କୁ ସଚେତନ କରିବା କିଂଚିତ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ । କି’ନ୍ତୁ ସାମାଜିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ସମସ୍ତ ମଣିଷଙ୍କୁ ସଚେତନ କରିବା ଲକ୍ଷ ରଖାଗଲେ ହୁଏତ କେତେ ଦିନ ପରେ ସମସ୍ତ ମଣିଷ ସଚେତନ ହୋଇ ଏକ ସୁନ୍ଦର ସଭ୍ୟ ସମାଜ ଗଠନରେ ସହଯୋଗୀ ହୋଇ ପାରିବେ ଯାହା କେହି କରୁନାହାନ୍ତି । ଅଧିକନ୍ତୁ ସାମାଜିକ ବ୍ୟବସ୍ଥା ମଧ୍ୟ ତାହାର ପରିପନ୍ଥୀ ହେଉନଥିବା ଅତ୍ୟନ୍ତ ଦୁଖଦଃ ପରିସ୍ଥିତି ଦେଖିବାକୁ ମିଳୁଛି ଆଜି ସମୟରେ । ବାସ୍ତବରେ ଆମେ ସମସ୍ତେ କ’ଣ ଏକ ରୁଗ୍ନ୍ଣ ମାନସିକତା ପ୍ରବଣ ହୋଇ ରହିଛେ ଆମ ସମାଜରେ ?! ଟିକେ ହେଲେ କାହାରି ସଚେତନତା ନାହିଁ ସମାଜକୁ ସୁଧାରିବା ପାଇଁ ?!! ସମସ୍ତେ କ’ଣ ଏକ ପରିସ୍ଥିତି, ପରିବେଶରେ ଜନ୍ମ ହୋଇ ଅମାନୁଷିକ ଆଚରଣ କରୁଛେ ?!! ଏମିତି ଅନେକ ପ୍ରଶ୍ନ ଉଠାନ୍ତେ ଉତ୍ତର ମିଳୁଛି ନା’ !! ଏହା ନିଶ୍ଚିତ ଯେ ଆମେ ସମସ୍ତେ ଏକ ରୁଗ୍ଣ ସାମାଜିକ ବ୍ୟବସ୍ଥା ମଧ୍ୟରେ ବଂଚୁଛେ ! କି’ନ୍ତୁ ତାହାର ଅର୍ଥ ନୁହେଁ ସମସ୍ତେ ରୁଗ୍ଣ, ଅସଚେତନ ମଣିଷ ! ନିଶ୍ଚିତ ଭାବେ କେତେକ ଅସଚେତନ, ରୁଗ୍ଣ ମାନସିକତା ପ୍ରବଣ ମଣିଷ ସମଗ୍ର ସାମଜିକୁ ରୁଗ୍ଣ କରି ରଖିବାରେ ସଫଳ ହୋଇ ଅମାନବୀୟ ଚରିତ୍ର ପ୍ରବାହ କରୁଛନ୍ତି । ସେମାନଙ୍କ ସେହି ଅମାନବୀୟ ଭାବଧାରା ତଥା ସାମାଜିକ କୁପ୍ରଭାବରେ ସଚେତନ ମଧ୍ୟ ରୁଗ୍ଣ ଅବସ୍ଥାରେ ବଂଚୁଥିବା ଜାଣିହେବ ଲକ୍ଷ କଲେ । କିନ୍ତୁ ପରିସ୍ଥିତି ପରିବେଶ ହୁଏତ ଏମିତି ହୋଇ ଯାଇଛି କି ସଚେତନ ଚେଷ୍ଟା କଲେ ମଧ୍ୟ ସାଧାରଣ ଲୋକଙ୍କୁ ତଥା ସମାଜକୁ ସୁଧାରିବା ଭଳି ପରିସ୍ଥିତି ନାହିଁ ଆମ ସମାଜରେ । ତେଣୁ ସମସ୍ତେ ଆଜି ଅସନ୍ତୁଳିତ ଅବସ୍ଥାରେ ବଂଚୁଥିବା ଦେଖିବାକୁ ମିଳୁଛି ।ସାମାଜିକ ସ୍ଥିତିକୁ ସୁଦୃଢ଼ କରି ଉତ୍ତରୋତ୍ତର ଉନ୍ନତି କରିବା ଲକ୍ଷ ରଖାଗଲେ ସମାଜର ସବୁ ବର୍ଗର ମଣିଷ ମାନଙ୍କୁ ସଚେତନ କରାଯିବା ତଥା ସମସ୍ତଙ୍କ ମାନବିକ ଚେତନା ଜ୍ଞାନ ଜାଗରିତ କରାଯିବା ଏକାନ୍ତ ଆବଶ୍ୟକ । ଚେତନା ଜ୍ଞାନ କୌଣସି ବସ୍ତୁ କିମ୍ବା ପଦାର୍ଥ ନୁହେଁ ଯାହା ପ୍ରସ୍ତୁତ କରି ସମସ୍ତଙ୍କୁ ବଣ୍ଟାଯାଇ ପାରିବ ! ଚେତନା ଜ୍ଞାନ ବଜାରରେ ଉପଲବ୍ଧ କୌଣସି ମୂଲ୍ୟଯୁକ୍ତ ଜିନିଷ ନୁହେଁ ଯାହାକୁ କିଣି ବ୍ୟବହାର କରାଯାଇ ପାରିବ ! ଚେତନା ଜ୍ଞାନ ଏକ ମାନସିକ ସ୍ଥିତପ୍ରଜ୍ଞ ଅବସ୍ଥା ଯାହା ଦ୍ୱାରା ମଣିଷ ନିଜର ସ୍ଥିତି ତଥା ସାମାଜିକ ବିକଳ୍ପ ଗୁଡିକର ମୂଲ୍ୟାୟନ କରି ନିଜକୁ ତଥା ସମାଜକୁ କିଛି ପ୍ରଦାନ କରିପାରିବ । ଚେତନା ଜ୍ଞାନ ଏକ ସ୍ଥିର ମାନସିକ ଅନୁଧ୍ୟାନ ଯଦ୍ୱାରା ମନୁଷ୍ୟ ସତ୍ୟ, ଅସତ୍ୟ, କର୍ତ୍ତବ୍ୟ, ଅକର୍ତ୍ତବ୍ୟ, ମାନବୀୟ, ଅମାନବୀୟ, ପ୍ରାକୃତିକ, କୃତ୍ରିମ ଇତ୍ୟାଦି ବିଷୟ ଗୁଡିକର ସମୀକ୍ଷା ପୂର୍ବକ ସେଗୁଡିକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରି ଗ୍ରହଣ, ଅଗ୍ରହଣୀୟ କରିବା ଶିକ୍ଷା ପାଇ ପାରିବ । ସଚେତନ ଜ୍ଞାନ ଯୁକ୍ତ ମଣିଷ ମସ୍ତିଷ୍କ ସବୁବେଳେ ସ୍ଥିର ଚିତ୍ତରେ କାର୍ଯ୍ୟ କରିଥାଏ । ସଚେତନ ମଣିଷଙ୍କ ଆଚରଣ ସବୁବେଳେ ସାମୁହିକ ଚେତନା ଯୁକ୍ତ ହୋଇଥାଏ । ପ୍ରେମମୟ ଚେତନା ସଚେତନ ମଣିଷର ସର୍ବାଦୌ ବିଚାର ରହିଥାଏ । କ୍ରୋଧ, ଅସ୍ଥିରତା, ମାନସିକ ଯନ୍ତ୍ରଣା, ଲାଳସା, ଭଳି ଅନେକ ଦୁଶ୍ଚରିତ୍ର ଠାରୁ ଅନେକ ଦୂରରେ ରହିଥା’ନ୍ତି ସଚେତନ । ଚେତନା ଜ୍ଞାନ ଏକ ପ୍ରାକୃତିକ ପ୍ରତିକ୍ରିୟା ଜନିତ ମାନସିକ ପରିବର୍ତ୍ତିତ ବିଚାରଧାରା ଯାହା ମଣିଷକୁ ସଂସାରର ସମସ୍ତ ଦୁଃଖ, କଷ୍ଟରୁ ଅଚିରେ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ସଚେତନ କେବେ ବିପଦେ କାତର, ସମ୍ପଦେ ଅଧୀର ହୁଅନ୍ତି ନାହିଁ ଯାହା ସାଧାରଣ ମଣିଷଙ୍କ ଏକ ସାଧାରଣ ଚରିତ୍ର ଭଳି ଦେଖିବାକୁ ମିଳେ ସମାଜରେ । ଅର୍ଥାତ ସଚେତନ ସବୁବେଳେ ସ୍ଥିତପ୍ରଜ୍ଞ ଏବଂ ଏକ ସମାନ୍ତରାଳ ଜୀବନ ଯାପନ କରିବାରେ ସିଦ୍ଧହସ୍ତ ହୋଇଥା’ନ୍ତି । ସଚେତନ ଜ୍ଞାନ ଆହରଣ କରି ତାକୁ ଚରିତାର୍ଥ କରିବା ଭଳି ସାମାଜିକ ସ୍ଥିତି ବର୍ତ୍ତମାନ ନାହିଁ ଆମ ସମାଜରେ । କାରଣ କ୍ରୁର ଚକ୍ରାନ୍ତକାରୀ ବ୍ୟବସାୟୀକ ଗୋଷ୍ଠୀ ସମାଜକୁ ଏତେ ଅସ୍ଥିର ପ୍ରବଣ କରି ରଖିଛନ୍ତି ଯେ ସମସ୍ତେ କେବଳ ସମୟ ଧାରାରେ ନିଜକୁ ପ୍ରବାହିତ ନକଲେ ବଂଚିବାର ରାହା ନାହିଁ ବୋଲି ଭାବୁଛନ୍ତି ଯାହା ସବୁ ଏକ ପ୍ରହେଳିକା ମାତ୍ର । କାରଣ ଏହି ଅସ୍ଥିର ପ୍ରବଣ ସାମାଜିକ ସ୍ଥିତି ଠାରୁ ନିଜକୁ ଦୁରେଇ ରଖି ବଂଚିବା କୌଣସି ଅସମ୍ଭବ କଥା ନୁହେଁ । କିମ୍ବା ସେମାନଙ୍କ ଅସ୍ଥିର ପ୍ରବଣ ବକ୍ତବ୍ୟ ଗୁଡିକୁ ଭୂକ୍ଷେପ ନକରି ପ୍ରାକୃତିକ ଉପାୟରେ ବଂଚିବା ପାଇଁ ଚେଷ୍ଟା କଲେ କୌଣସି ବିପଦ ମାଡି ଆସିବା ସମ୍ଭାବନା ଆଦୌ ନାହିଁ । ଏହା କେବଳ ଆମ ଅସଚେତନତାର ସୁଯୋଗ ନେଇ ସେମାନେ ଆମକୁ ଏମିତି ଅସ୍ଥିର ପ୍ରବଣ କରି ନିଜସ୍ୱ ସ୍ୱାର୍ଥ ହାସଲ କରିବା ଛଡା ସାଧାରଣ ଲୋକଙ୍କ କୌଣସି ସେମିତି ଉନ୍ନତି ସାଧିତ ହେଉନାହିଁ କି ହେବ ନାହିଁ । ଅର୍ଥାତ ଏହି ଅସ୍ଥିର ପ୍ରବଣ ସାମାଜିକ ବିଭିଷୀକାରୁ ନିଜକୁ ମୁକୁଳିତ କରି ସ୍ଥିର ଚିତ୍ତରେ ନିରୀକ୍ଷଣ, ଅନୁଧ୍ୟାନ କରି ନିଜର ଚେତନା ଜ୍ଞାନକୁ ଜାଗ୍ରତ କରିପାରିଲେ ଉପସ୍ଥିତ ସମୟର ପ୍ରହେଳିକା ଗୁଡିକୁ ଭେଦ କରିପାରିବ ଏବଂ ନିଜ ଜୀବନକୁ ଶାନ୍ତ ସରଳ କରିପାରିବ ! ଚେତନା ଜ୍ଞାନ ଜାଗ୍ରତ କରିବା କୌଣସି ଜଟିଳ, ଅସମ୍ଭବ ବିଷୟ ନୁହେଁ । ବରଂ ନିଜର ଯଥେଷ୍ଟ ଇଛା ଶକ୍ତି ସହିତ ସ୍ଥିର ଚିତ୍ତ ଭାବଧାରା ଜାଗ୍ରତ କରି ନିଜକୁ ସନ୍ତୁଳିତ ଅବସ୍ଥାରେ ରଖି ସମୟ ସାପେକ୍ଷ ଯଥା କାର୍ଯ୍ୟ କରିବା ଦ୍ୱାରା ସମସ୍ତେ ସଚେତନ ହୋଇ ପାରିବେ । ଏବଂ ନିଜ ପରିବାର ସହିତ ରାଷ୍ଟ୍ରର ଉନ୍ନତି ସାଧନ ଦିଗରେ ନିଜକୁ ନିୟୋଜିତ କରିପାରିବେ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି କିମ୍ବା ସଂଶୟ ବ୍ୟାଖ୍ୟା କରିବେ ବୋଲି ଆଶା…..! 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.