ସକାଳ ୭ରୁ ବ୍ରହ୍ମପୁରରୁ ଛାଡିଲା ଟ୍ରେନ କିନ୍ତୁ କରୋନା ନିୟମ କଡାକଡି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଗତ ମାର୍ଚ୍ଚ ମାସ ଠାରୁ ଲକଡାଉନ ଜାରି କରାଯାଇଛି । ଏଥିପାଇଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ମୋଟର ନ ଚାଲୁ ଥିବାରୁ କେହି ଚାଲି ଚାଲି ତ କେହି ସାଇକେଲରେ ବହୁ ଦୂର ଦୁରାନ୍ତରରୁ ନିଜ ଘରକୁ ଫେରୁଛନ୍ତି । ବର୍ତ୍ତମାନ ୫ମ ପର୍ଯ୍ୟାୟ ଲକଡାଉନ ଅବଧି ଚାଲୁଥିବା ବେଳେ ଯାତ୍ରୀଙ୍କ ଯାତାୟାତ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟ୍ରେନ ଚଳାଚଳ ସ୍ୱାଭାବିକ କରାଯାଉଛି । କରୋନାକୁ ନେଇ ଲକଡାଉନ ଚାଲିଥିବା ବେଳେ ଟ୍ରେନରେ ଯାତ୍ରା କରିବା ସମୟରେ ମଧ୍ୟ ସରକାରଙ୍କ ସତର୍କତା ମୂଳକ ନିୟମ ମାନି ଯାତ୍ରୀ ଯାତ୍ରା କରିପାରିବେ । ବହୁତ ଦିନ ପରେ ଆଜି ବ୍ରହ୍ମପୁର ରେଳ ଷ୍ଟେସନରୁ ପ୍ରଥନ ଟ୍ରେନ ଚାଲିବା ଆରମ୍ଭ କରିଛି । ସକାଳ ୭ ଘଣ୍ଟା ୫ ମିନଟ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନର ୩ ନମ୍ବର ପ୍ଲାଟ ଫର୍ମରୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିଥିଲା । ଟ୍ରେନରେ ମୋଟ ୧୦୭ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ରିଜରଭେସନ କରିଥିବା ବେଳେ ୯୭ ଜଣ ଯାତ୍ରୀ ସମ୍ପୁର୍ଣ ଟ୍ରେନରେ ଭୁବନେଶ୍ୱର ଯାତ୍ରା କରିଥିଲେ । ପ୍ଲାଟଫୋର୍ମରୁ ଟ୍ରେନ ଛାଡିବାର ଦେଢ଼ ଘଣ୍ଟା ପୂର୍ବରୁ ଯାତ୍ରୀ ମାନେ ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତ ଯାତ୍ରୀ ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିଛନ୍ତି କି  ନାହିଁ ଯାଞ୍ଚ କରାଯାଇଥିଲା । ଯେଉଁମାନଙ୍କ ଆରୋଗ୍ୟ ସେତୁ ଆପ ନାହିଁ ସେମାନଙ୍କର ଡାଉନଲୋଡ଼ କରାଯାଇଥିଲା । ଯେଉଁଯାତ୍ରୀ ମାନଙ୍କର ରିଜଭେସନ ଅଛି ସେମାନଙ୍କୁ ହିଁ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ଆର୍ପିଏଫ ଓ ରେଳ ଷ୍ଟେସନ କର୍ମଚାରୀ । ଅନ୍ୟପଟେ ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ଗତ ୩ ତାରିଖରୁ କୋଣାର୍କ ଏକ୍ସପ୍ରେସ ଓ ଗତ ୪ ତାରିଖରୁ ଫାଲକନାମା ସୁପରଫାଷ୍ଟ ଏକ୍ସପ୍ରେସ ଯାତାୟାତ କରୁଛି । ଏହି ଦୁଇଟି ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟ ଫର୍ମରେ ଲାଗୁଥିବା ବେଳେ ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ବାମ ହାତରେ ଷ୍ଟାମ୍ପ ମରାଯାଉଛି । ଏଥିସହ ପ୍ରଶାସନ ପକ୍ଷରୁ ଗାଡି ଯୋଗେ ବ୍ୟବସ୍ଥା କରାଯାଇ ଆସିଥିବା ଯାତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପଠାଯାଇ ସେଠାରେ ଥିବା ସଂଘରୋଧ ଗୃହରେ ରଖାଯାଉଛି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା