ସଂଜୀବ ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ : ସୋମବାରେ ନେବେ ଶପଥ …

କଟକ(ସମୃଦ୍ଧ ଓଡିଶା)ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ଆଜି ଓଡିଶା ହାଇ କୋର୍ଟର ଜର୍ଜ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଆସନ୍ତା ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ୪ ମାସ ତଳେ ସୁପ୍ରିମ କୋର୍ଟ ଦିଲ୍ଲୀସ୍ଥିତ କଲେଜିଅମ ଓଡିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କ ନାମ ସୁପାରିଶ କରିଥିଲା । ତେବେ ରାଜ୍ୟ ବାର କାଉନସିଲ ତାଙ୍କ ନିଯୁକ୍ତିକୁ ବିରୋଧ କରିବାରୁ ସେ ସମୟରେ ଆଉ ଶପଥ ନେଇ ପାରି ନ ଥିଲେ । ତେବେ ଆଜି ତାଙ୍କୁ ପୁଣି ଥରେ ବିଧିବଦ୍ଧ ଭାବେ ନିଯୁକ୍ତି ଦିଆଯାଇଛି । ସଂଜୀବଙ୍କ ପାଣିଗ୍ରାହୀଙ୍କ ଘର ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାରପୁଡଗିଆ ଗାଁରେ । ସେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢିବା ପରେ ବାଙ୍ଗାଲୋରରେ ଆଇନ ପାଠ ପଢିଥିଲେ । ଆଇନ ପାଠପଢ଼ା ସାରିବାପରେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁ ଥିଲେ । ସଂଜୀବ ପ୍ରଥମ ଆଇନଜୀବୀ ଯାହାକି ସିଧାସଳଖ ବାରରେ ଅଭ୍ୟାସ କରି ହାଇକୋର୍ଟର ବିଚାରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି ।ଗତ ମେ’ ମାସରେ ଓଡିଶା ହାଇ କୋର୍ଟ ମୂଖ୍ୟ ବିଚାରପତି ସଞ୍ଜୀବ ପାଣିଗ୍ରାହୀଙ୍କ ସମେତ ୮ ଜଣଙ୍କ ନାମ ଜର୍ଜ ପାଇଁ ସୁପାରିଶ କରିଥିଲେ । ଓଡିଶା ହାଇ କୋର୍ଟ ପାଣିଗ୍ରାହୀଙ୍କ ଜଏନ ପରେ ମୋଟ ଜର୍ଜ ସଂଖ୍ୟା ୧୪ରେ ପହଞ୍ଚିବ ବୋଲି ଜଣା ପଡିଛି ।

ରିପୋର୍ଟ : ସୁଧୀର ପଟ୍ଟନାୟକ