ଶ୍ରୀହୀନ ଶ୍ରୀଲଙ୍କା ବନାମ ମାଗଣା ନିର୍ବାଚନୀ ଊପହାର ଯୋଜନା…

ଭାରତ ମହାସାଗରରେ ଭାରତର ଦକ୍ଷିଣରେ ଏକ ଲୁହ ବିନ୍ଦୁ ଭଳି ଦ୍ଵୀପର ନାମ ଶ୍ରୀଲଙ୍କା, ୧୯୭୨ ପୂର୍ବରୁ ଯାହାର ନାମ ଥିଲା ସିଂହଳ । ଏହି କ୍ଷୁଦ୍ର, ସୁନ୍ଦର, ସମୃଦ୍ଧ ଦ୍ଵୀପଦେଶଟିକୁ ତାର ସୁଷମାମଣ୍ଡିତ ସୋନ୍ଦର୍ଯ୍ୟ ନିମନ୍ତେ “ଭାରତ ମହାସାଗରର ମୁକ୍ତା”, ନାମକରଣ କରାଯାଇଛି । ଏଇ କିଛି ବର୍ଷ ପୂର୍ବେ ଶ୍ରୀଲଙ୍କାର ମୁଣ୍ଡପିଛା ଆୟ ଭାରତଠାରୁ ଅଧିକ ଥିଲା ଓ ଖୁସି(happiness) ଆଧାରରେ ଭାରତଠାରୁ ଆଗରେ ଥିଲା । ମାତ୍ର ବର୍ତ୍ତମାନ ଶ୍ରୀଲଙ୍କାର ଅବସ୍ଥା ଏମିତି ହୋଇଛି ଯେ ସେଠାରେ ଖାଦ୍ୟଦ୍ରବ୍ୟ, ଇନ୍ଧନ, ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ନାହିଁ ନାହିଁର ସ୍ବର, ସବୁକିଛି ବିପର୍ଯ୍ୟସ୍ତ । କୋଭିଡ-୧୯ ପୃଥିବୀର ସବୁ ଦେଶରେ ନିଜର ପ୍ରଭାବ ପକାଇଥିଲା, ତା’ତ ସାଧାରଣ । ସେତେବେଳେ ସବୁ ଦେଶରେ ଉତ୍ପାଦନ, ଆୟ ଆଦି ପ୍ରଭାବିତ ହୋଇଥିଲା, ସର୍ବାଧିକ ପ୍ରଭାବିତ ହୋଇଥିଲା ପର୍ଯ୍ୟଟନ  ଯାହା ଶ୍ରୀଲଙ୍କାର ଜାତୀୟ ଆୟର ଏକ ପ୍ରମୁଖ ଉତ୍ସ । ଏଣେ ୨୦୧୯ରେ ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଅନେକ ଟିକସ ଛାଡ କରିଦେଲେ ଓ କେତେକ କ୍ଷେତ୍ରରେ ରିହାତି ଘୋଷଣା ଫଳରେ ଦେଶରେ ରାଜସ୍ବ ଅନେକ ପରିମାଣରେ କମିଗଲା, ପୁଣି ୨୦୨୧ରେ ଗୋଟଵାୟା ହଠାତ୍ ଶ୍ରୀଲଙ୍କାକୁ ପୃଥିବୀର ପ୍ରଥମ ଓ ଏକମାତ୍ର ସମ୍ପୂର୍ଣ୍ଣ ଜୈବିକ କୃଷିର ଦେଶ ଭାଵେ ଘୋଷଣା କରିଦେଲେ ବିନା କୌଣସି ପ୍ରାକ୍ ପ୍ରସ୍ତୁତିରେ । ଫଳତଃ ଦେଶକୁ କୋୖଣସି ପ୍ରକାର ରାସାୟନିକ ସାର, କୀଟନାଶକ ଆଦି ଆସିଲା ନାହିଁ, ଇଆଡ଼େ ଜୈବିକ ସାର/ଖତର ମଧ୍ୟ ଘୋର ଅଭାବ । ଏତେ ପରିମାଣର ଜୈବିକ ଖତ ମିଳିବ କୁଆଡୁ, ତା’ ପାଇଁ ତ ସମୟ ଦରକାର । ଫଳରେ ଶସ୍ୟ ଅମଳ ବାଧାପ୍ରାପ୍ତ ହେଲା, ଉତ୍ପାଦନ ବହୁତ କମିଗଲା, ଖାଦ୍ୟଶସ୍ୟ ଆମଦାନୀରେ ମଧ୍ୟ ରୋକ ଲାଗିଥିଲା ବୈଦେଶିକ ମୁଦ୍ରା ସଞ୍ଚୟ ଆଳରେ । ଖାଦ୍ୟଶସ୍ୟର ଦର ଦ୍ରୁତ ବୃଦ୍ଧି ପାଇବାକୁ ଲାଗିଲା, ବୈଦେଶିକ ମୁଦ୍ରାପାଣ୍ଠି ମଧ୍ୟ ଦ୍ରୁତ ଅବକ୍ଷୟ ପଥେ । ଯୋଉ ଶ୍ରୀଲଙ୍କା ଚା(ବିଶେଷ କରି ବ୍ଲାକ ଟି), ନଡ଼ିଆ, ଦୁର୍ମୂଲ୍ୟ ପଥର, କୋକୋ, କଫି, ଚାଉଳ, ବିଭିନ୍ନ ମସଲା, ରବର ଆଦି ବିଶେଷ ଭାବେ ରପ୍ତାନୀ କରୁଥିଲା, ସେ ଦେଶ ଆଜି ଖାଦ୍ୟ ପାଇଁ ଅନ୍ୟର ଦ୍ଵାରସ୍ଥ । ଅବଶ୍ୟ ସବୁଠୁ ବଡ଼ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କା ଜନସାଧାରଣଙ୍କ ପ୍ରଵଳ ବିରୋଧପରେ ପ୍ରାକୃତିକ କୃଷିର ଏପରି ଅବମୃଶ୍ୟକାରୀ ଅଧ୍ୟାଦେଶକୁ ଗୋଟବାୟା ପ୍ରତ୍ୟାହାର କରି ନେଇଛନ୍ତି ।ଆସନ୍ତୁ ଶ୍ରୀଲଙ୍କାର ଅଧୁନା ବଜାର ଦର ସମ୍ବନ୍ଧରେ କିଛିଟା ଅବଗତ ହେବା । ବର୍ତ୍ତମାନ ଶ୍ରୀଲଙ୍କାରେ ଚାଉଳ କେଜି-ଟ୫୦୦/-, ଚିନି-ଟ୩୦୦/-, ଲଙ୍କା-ଟ୮୦୦/-, ପିଆଜ-ଟ୨୦୦/- ବିନ୍-ଟ୪୨୦/-, ବାଇଗଣ-ଟ୨୫୦/-, ଆଳୁ-ଟ୧୨୦/-ସେଓ କେଜି-ଟ୧,୦୦୦/-ଗ୍ୟାସ୍ ସିଲିଣ୍ଡର-୩୦୦୦/- ଏ ପରିସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ତା ୦୭-୦୪-୨୦୨୨ ସୁଦ୍ଧା ୨.୭୦ ଲକ୍ଷ ଟନ୍ ଡିଜେଲ ପେଟ୍ରୋଲ, ୪୦,୦୦୦ ଟନ୍ ଚାଉଳ ସହିତ ଅତ୍ୟାବଶ୍ୟକ ଔଷଧପତ୍ର ପଠାଇଛି । ଇତିମଧ୍ୟରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି ଗୋଟବାୟା ଭାରତ ଗସ୍ତ କରି ସାରିଲେଣି ଦ୍ଵୀପ ଦେଶର ମୂମୃଷୁ ଅର୍ଥନୀତିକୁ ସଜାଡ଼ିବା ଉଦ୍ଦେଶ୍ୟରେ । ସାହାଯ୍ୟ ଓ ସହଜ ଋଣ ଆକାରରେ ଭାରତ କିସ୍ତି କିସ୍ତି କରି ବିପୁଳ ଅର୍ଥରାଶି ଦେଇ ସାରିଲାଣି ଶ୍ରୀଲଙ୍କା ଜନସାଧାରଣଙ୍କ ସାହାଯ୍ୟାର୍ଥେ । ଉଲ୍ଲେଖଯୋଗ୍ୟ ଅଧୁନା ଋଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ଅର୍ଥନୀତିକ ବିପଦଗ୍ରସ୍ତ ଶ୍ରୀଲଙ୍କାରେ କିନ୍ତୁ ପେଟ୍ରୋଲ ଦର ବର୍ତ୍ତମାନ ଟ୭୦/-ପାଖାପାଖି, ଶ୍ରୀଲଙ୍କା ମୁଦ୍ରାରେ ଟ୨୬୦/- ହରଣ ୩.୯୨(ଭାରତୀୟ ମୁଦ୍ରା ବିନିମୟ)= ଟ୬୬.୫୦ପ. ଅର୍ଥ ଅନ୍ୟକୁ ଆମେ ଶସ୍ତାରେ ଦେଉଛେ, ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ! ଶ୍ରୀଲଙ୍କାର ଏପରି ଦୁଃସମୟରେ ତାକୁ ଋଣଭାରରେ ବୁଡାଇରଖି, ପରିସ୍ଥିତିରୁ ଫାଇଦା ନେଇ ହମ୍ବନତୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଲିଜ୍(ଋଣର ସୁଧ ଅନାଦାୟେ) ନେଇଥିବା ସୁବିଧାବାଦୀ, ଵିସ୍ତାରବାଦୀ ଚୀନ କିନ୍ତୁ ମୁହଁ ଫେରାଇ ନେଇଛି । ସାହାଯ୍ୟ କରିଛି ସବୁଦିନିଆ, ଅସମୟର ବନ୍ଧୁ ପଡୋଶୀ ଭାରତ । ୟାକୁ କହନ୍ତି ବନ୍ଧୁ ! ଇତିହାସର ଗୋଟିଏ କଥା ମନେପଡେ, ୧୩୨୭ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ମହମ୍ମଦ ଵିନ୍ ତୋଗଲକ ସ୍ବୀୟ ସୁବିଧା ନିମନ୍ତେ ଦିଲ୍ଲୀରୁ ଦୌଲତାଵାଦ ଓ ପୁନଶ୍ଚ ଦୌଲତାଵାଦରୁ ଦିଲ୍ଲୀକୁ ରାଜଧାନୀ ବଦଳ କରିବା ସକାଶେ ଜନସାଧାରଣଙ୍କୁ ଅଶେଷ କଷ୍ଟ ଦେଇଥିଲେ, ପ୍ରାୟ ୯୦୦ ବର୍ଷପରେ ଇତିହାସର ପୁନରାବୃତ୍ତି ଘଟିଛି ଶ୍ରୀଲଙ୍କାରେ । ସେତେବେଳେ ତୋଗଲକଙ୍କୁ କୁହାଯାଇଥିଲା ଆଡବାୟା ବା ଅର୍ଦ୍ଧପାଗଳ, ଏବେ ଇଏ ତ ଗୋଟାଯାକ ବାୟା ଵା ଗୋଟବାୟା । କେତେ ସମାନତା ଅଛି ଏଇ ଦୁଇ ଘଟଣାରେ ! ଖୁସିର ଆଧାରରେ ଅନେକ ଦେଶଠୁ ଆଗରେ ଥିବାରୁ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ଦେଶ ଶ୍ରୀଲଙ୍କା ଅଧିବାସୀଙ୍କୂ ହସକୁରା(land of smiling people) ମଣିଷ କୁହାଯାଉଥିଲା, ସେଇ ହସକୁରା ମୁହଁରେ ଏବେ ଅଶାନ୍ତିର ଲୁହ । ଏ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ, ଗତ ଏପ୍ରିଲ ତା୨ରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଅନୌପଚାରିକ ବୈଠକରେ କେନ୍ଦ୍ରର ଅନେକ ସଚିବ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ ନିର୍ବାଚନରେ ଯେପରି ସବୁ ମାଗଣା ଉପହାର ଯୋଜନାର ଘୋଷଣା କରାଯାଉଛି ତା’ ଦିନେ ଶ୍ରୀଲଙ୍କାଭଳି ପରିସ୍ଥିତିକୁ ଡାକିଆଣିବା ଅବଶ୍ୟମ୍ଭାଵୀ । ସଦ୍ୟ ସମାପ୍ତ ୫ଟି ରାଜ୍ୟରେ ନିର୍ବାଚନ ପରିପ୍ରେକ୍ଷୀରେ ସଚିବମାନେ ନିର୍ଦ୍ଦିଷ୍ଟଭାବେ ଦୁଇଟି ରାଜ୍ୟ ବିଷୟରେ କହିଛନ୍ତି । ଏହି ୨ଟି ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ଗତ ନିର୍ବାଚନରେ ଲୋଭନୀୟ ପ୍ରତିଶ୍ରୁତି ବଳରେ ଗାଦୀନସୀନ ହୋଇଛନ୍ତି । ଏତଦବ୍ୟତୀତ ସଚିଵମାନେ ବିଶେଷ କରି ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ଦୃଷ୍ଟାନ୍ତ ଦେଇଥିଲେ । ଏଠାରେ ପଞ୍ଜାବର କଥା କୁହାଯାଉଛି ଯିଏ କି ଭାରତର ୨ୟ ସର୍ବବୃହତ ଋଣକାରୀ ରାଜ୍ୟ ହେଲେ ମଧ୍ୟ ମାଗଣା ପାଣି, ବିଜୁଳି, ସବୁ ପରିବାରକୁ ଚାକିରୀ, ପ୍ରତ୍ୟେକ ମହିଳାଙ୍କୁ ମାସିକ ଟ୧,୦୦୦/- ଲେଖାଏଁ ଭତ୍ତା ପ୍ରଦାନର ପ୍ରତିଶ୍ରୁତି ଦେଇ ସେଠାରେ ଆପ୍ ସରକାର ଗଢିଛି ରାଜ୍ୟର ଆୟର କିଛି ଉତ୍ସ୍ ନଥାଇ ଏପରି ପ୍ରତିଶ୍ରୁତି କେତେଦୂର ଯୁକ୍ତିସଙ୍ଗତ ଚିନ୍ତାକରନ୍ତୁ । ଚୂନାକୁ ଦେଖି ପିଠା କରାଯାଏ ନାଁ ପିଠାକୁ ଦେଖି……..। ଅବଶ୍ୟ ଚାର୍ଵାକ୍ କହିଛନ୍ତି, “ଯାବତ୍ ଯିଵେତ୍ ସୁଖମ୍ ଜିଵେତ୍, ଋଣମ କୃତ୍ୱା ଘୃତମ୍ ପିବେତ୍ ।”, କିନ୍ତୁ ଋଣ କରିବ କୋଉଠୁ? ନିର୍ବାଚନର କିଛି ଦିନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ ପ୍ରଧାନମନ୍ତ୍ରୀଙ୍କଠାରେ ଏକଲକ୍ଷ କୋଟି ଟଙ୍କାର ଦାବୀ କରିଛନ୍ତି । ଯଦି କେନ୍ଦ୍ର ନଦେଲା କିମ୍ବା ଟାଳଟୁଳ କଲା, ଦୋଷ ଢାଳିଦେଵେ କେନ୍ଦ୍ର ମୁଣ୍ଡରେ । କେନ୍ଦ୍ରର ତ ପୁଣି କିଛି ସୀମା ଅଛି, ବାଧ୍ୟବାଧକତା ଅଛି, ଅନ୍ୟ ସଵୁ ରାଜ୍ୟକୁ ସମାନୁପାତିକ ଭାଵେ ଦେବାର ଅଛି ! ମୁଁ ଏଠି କାହା ସପକ୍ଷରେ କହୁନାହି, କିଏ ପାଞ୍ଚ ହେଲେ କିଏ ପଚିଶ । ସଭିଏଁ ଏଇ ରୋଗରେ ରୋଗୀ । କେବଳ ଆପ୍ ନୁହେଁ, ସରକାରୀ, ବିରୋଧୀ, ଆଞ୍ଚଳିକ, ଜାତୀୟ ସଵୁ ଦଳର ଏ ପ୍ରକାର ଵେମାରୀ ଅଛି, ପୁଣି ବେଳକୁ ବେଳ ବଢୁଛି । ଏପ୍ରିଲ ୨ରେ କେନ୍ଦ୍ରୀୟ ସଚିବମାନେ ଏକଥା ସ୍ପଷ୍ଟ ଭାବେ ସୂଚାଇ ଦେଇଛନ୍ତି ଯେ ଏ ପ୍ରକାର ଅଭ୍ୟାସର ପରିବର୍ତ୍ତନ ନ ହେଲେ ଅଚିରେ ଶ୍ରୀଲଙ୍କା ଅବସ୍ଥା ଭୋଗିବାକୁ ପଡ଼ିବ, କିନ୍ତୁ ସେତେବେଳକୁ ଭାରତକୁ ସାହାଯ୍ୟ ଦେବାକୁ ଆଉ କେହି ନଥିବେ, କାରଣ ସୁବିଧାବାଦୀ, ଚାଲବାଜ ଚୀନ ଛଡ଼ା ଆଉ ସଵୁ ଛୋଟ ଦେଶ । ଗତ ନିର୍ବାଚନରେ ଭାରତର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ବିଜେପି ସ୍କୁଟି, ଲାପଟପ୍, ଟାବଲେଟ(ଅନ୍ୟାନ୍ୟ ପାରମ୍ପରିକ ପୂର୍ବ ପ୍ରତିଶ୍ରୁତ ଜିନିଷ ଅତିରିକ୍ତ) ଆଦି ପ୍ରଦାନର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଛି, ରାଜ୍ୟରେ ଏତେ ସମ୍ବଳ ଆସିବ କୁଆଡୁ, ଏତେ ସପନକୁ ରାତି କାହିଁ ! ୧୯୬୭ରେ ତାମିଲନାଡୁରେ ପ୍ରଥମେ ଡିଏମକେର ଆନ୍ନାଦୁରାଇ ସରକାର ଦ୍ଵାରା ଆରମ୍ଭ କରାଯାଇଥିବା ନିର୍ଵାଚନୀ ମାଗଣା ଯୋଜନା ସବୁଧୀରେଧୀରେ ଆକରପ୍ରକାରରେ ବଢି ବଢି ଚାଲିଲା, ସର୍ବାଧିକ ଭୂମିହୀନଙ୍କୁ ୨ଏକର ଜମି ଦେବା ପର୍ଯ୍ୟନ୍ତ । ମାତ୍ର ଆଶ୍ଚର୍ଯ୍ୟର କଥା ପ୍ରତି ଥର(ନିର୍ବାଚନ) ଏ ସବୁ ମାଗଣା ଉପହାର ଯୋଜନାର ବୃଦ୍ଧି ଘଟୁଥିଲେ ମଧ୍ୟ ତାମିଲନାଡୁରେ ସରକାରୀ ଦଳ ବଦଳିଯାଏ !ଏ ମାଗଣା  ଘଟଣାରଦୁରୁପଯୋଗ ମଧ୍ୟ ହେଲା, ଏପ୍ରକାର ମାଗଣା ଯୋଜନା ବିରୁଦ୍ଧରେ ଅଦାଲତି ଆଶ୍ରୟ ମଧ୍ୟ ନିଆଗଲା ଏବଂ ଏ ବାବଦରେ କିଛି ନିୟମ/କାନୁନ ମଧ୍ୟ କରାଗଲା । ସମୟକ୍ରମେ ସବୁ ଦଳ ଓ ସବୁ ରାଜ୍ୟ ସରକାରମାନେ ମଧ୍ୟ ଏହାର ସୁଫଳ ସାଉଁଟିବାରେ ଲାଗିଲେ । ଦିଲ୍ଲୀର ଆପ୍ ସରକାର ଜଳ, ବିଦ୍ୟୁତ୍, ଵସସେଵା, ଶିକ୍ଷା, ସ୍ବାସ୍ଥ୍ୟ (ମୋହଲା  କ୍ଲିନିକ୍) ସବୁ ମାଗଣା କରି ଦେଇଛନ୍ତି, ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ ହୋଇଗଲା ନାହିଁ ! ଆମ ରାଜ୍ୟକୁ ଆସିବା, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ(from womb to tomb) କିଛି ନା କିଛି ଯୋଜନା ସମସ୍ତଙ୍କ ପାଇଁ ଉପଲବ୍ଧ । ମାତ୍ର  ୟାଦ୍ଵାର ଅନେକ କ୍ଷେତ୍ରରେ ସାମାଜିକ ଅସମାନତା ସୃଷ୍ଟି ହେଉଛି । ଆସନ୍ତୁ ଆର୍ଥିକ ଅନଗ୍ରସର ବର୍ଗ(economically weaker group)ଙ୍କ କଥା ଦେଖିବା, ମଧ୍ୟବିତ୍ତ ଗୋଷ୍ଠୀ ମଧ୍ୟରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯୋଉ ମାନେ ଏଇ ଆର୍ଥିକ ଅନଗ୍ରସର ବର୍ଗ ନିମନ୍ତେ ସମ୍ପୂର୍ଣ୍ଣ ଉପଯୁକ୍ତ ମାତ୍ର ସେମାନେ ସେ ପ୍ରକା୍ର ସୁବିଧା, ସୁଯୋଗ ନେବାକୁ ସଙ୍କୋଚ କରନ୍ତି, ମୁଖଲଜ୍ଜା, ଲୋକଲଜ୍ଜା ବା ସାମାଜିକ ପ୍ରତିପତ୍ତି ଦୃଷ୍ଟିରୁ । ତା’ପରେ  ଏସବୁ ଯୋଜନା ସକାଶେ ହିତାଧିକାରୀ ଚୟନ ହୁଅନ୍ତି ରାଜନୀତିକ ଭାବେ, ଯେତେ ଅସ୍ବୀକାର କଲେ ମଧ୍ୟ ଏହା ଦିଵାସତ୍ୟ । ଯଦି ପ୍ରକୃତ ହିତାଧିକାରୀ ସବୁ ଠିକଭାବେ ଉପକୃତ ହେଉଥାନ୍ତେ ଟିଭିରେ, ସମ୍ବାଦପତ୍ରରେ, ସାମାଜିକ ଗଣମାଧ୍ୟମଗୁଡିକରେ ଏ ସମ୍ବନ୍ଧୀୟ ସମ୍ବାଦସଵୁ ସବିସ୍ତୃତ ବାହାରୁ ନଥାନ୍ତା ଆବାସ ଯୋଜନା, ବିପିଏଲ କାର୍ଡ, ବାର୍ଦ୍ଧକ୍ୟ/ବିଧବା ଭତ୍ତା ଆଦି ବିଷୟରେ, କେବେଠୁ ରାମରାଜ୍ୟ ସତ ହୋଇ ସାରିଥାଆନ୍ତା ! ଯୋଜନା ପ୍ରଣୟନରେ କୋୖଣସି ଅସୁବିଧା ନାହିଁ, ଅସୁବିଧା ଅଛି କାର୍ଯ୍ୟାନ୍ଵୟନରେ । ସେଇଠି ବିପିଏଲ ଅନୁପଯୁକ୍ତ ବ୍ୟକ୍ତିଟିଏ ନିଜର ପ୍ରଭାବ ବଳରେ ବସ୍ତା ବସ୍ତା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବୋହି ଆଣୁଥିବ(ଏମିତିକି ଚାରିଚକିଆରେ ଯାଇ), ମାତ୍ର ପ୍ରକୃତ ଗରୀବଲୋକଟିଏ ଦେଖୁଥିବ, କହି ପାରୁନଥିବ, ସହି ପାରୁନଥିଵ ଏମିତିରେ ତ ସାମାଜିକ ଅସହନୀୟତା ସୃଷ୍ଟି ହେବ ହଁ ହେବ ! ଆଉ ଗୋଟିଏ କଥା ଏସବୁ ଯେତେ ମାଗଣା ଯୋଜନା ମଧ୍ୟବିତ୍ତ ବର୍ଗଙ୍କ ବିନିମୟରେ ହିଁ ହୁଏ ଅଥଚ ସେମାନେ ଏହାର ଲାଭ ପାଆନ୍ତି ନାହିଁ, କେବଳ ସେଇମାନଙ୍କ ପ୍ରଦତ୍ତ ଟିକସ ଅର୍ଥରେ ଏସବୁ ଯୋଜନା ପରିପୁଷ୍ଟ ହୁଏ ଓ ସରକାରୀ ଦଳର ପତିଆରା ବୃଦ୍ଧିପାଏ । ଏସବୁ ଯେ ଦିନେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ନ କରିବ କିଏ କହିବ ? ଏଇସବୁ ଯୋଜନା ଫଳରେ ଆମ ରାଜ୍ୟରେ ଲୋକ ଆଉ କାମ କରିବାକୁ ରାଜି ନୁହଁନ୍ତି,ସହଜେ ତ ଓଡ଼ିଆ ଅଳସୁଆ, କର୍ମଠ ନୁହଁନ୍ତି ବୋଲି ଅପବାଦ ଅଛି, ତହିଁରେ ଏ ଯୋଜନା ସବୁ ଆହୁରି ସୁବିଧା କରିଦେଉଛି ଏ ଦିଗରେ । ସବୁ ଯଦି ମାଗଣା  ମିଳିଲା ହାତପାହାନ୍ତାରେ କିଏ କାମ କରିବ କାହିଁକି ? ମାତ୍ର ଏ ସବୁର ସୁଦୂରପ୍ରସାରୀ କୁପ୍ରଭାବ ସବୁ ଜଳଜଳ ଦେଖାଗଲାଣି ସୁସମୃଦ୍ଧ ରାଷ୍ଟ୍ର ଭେନେଜୁଏଲା, ଗ୍ରୀସ୍ ଏବଂ ସଦ୍ୟ ଶ୍ରୀଲଙ୍କାରେ । ପୃଥିବୀର ଅନ୍ୟତମ ବିତ୍ତଶାଳୀ ଦେଶ ଭେନେଜୁଏଲା ଏମିତି ସବୁକିଛି ମାଗଣା ଦେବା ଫଳରେ ତଳିତଳାନ୍ତ ହୋଇଗଲା, ସବୁ ସୁଖ ସୁବିଧା ଛାଡି ଜନତା ଏବେ ଖାଦ୍ୟାଭାବ ସଙ୍ଗେ ଲଢ଼ୁଛନ୍ତି । ଭୂମଧ୍ୟସାଗରୀୟ ସମୃଦ୍ଧ ଦେଶ ଗ୍ରୀସର ଅବସ୍ଥା ତତୋଧିକ । ପଡୋଶୀ ଶ୍ରୀଲଙ୍କା କଥାତ ଦାଣ୍ଡରେ ପଡି ହାଟରେ ଗଡଗଡୋଉଛି । ଏକଦା ସ୍ବର୍ଣ୍ଣପ୍ରସୂ, ମୁକ୍ତା ଦ୍ଵୀପ ଶ୍ରୀଲଙ୍କା ଆଜି ଶ୍ରୀହୀନ । ଶ୍ରୀଲଙ୍କାରେ ବିଦ୍ୟୁତକାଟ ହେଉଛି ଦୈନିକ ପ୍ରାୟ କୋଡିଏ ଘଣ୍ଟା, ଖାଦ୍ୟ/ଇନ୍ଧନ ଅଭାବ କଥା ନ କହିଲେ ଚଳେ । ବିକ୍ଷୁବ୍ଧ ଜନତାର କ୍ରୋଧ ଶାନ୍ତ ତଥା ସମସ୍ୟାର ସମାଧାନ ସକାଶେ ୨୬ ଜଣିଆ ମନ୍ତ୍ରୀମଣ୍ଡଳ ସମ୍ପୂର୍ଣ୍ଣଭାବେ ଇସ୍ତଫା ଦେଇଛନ୍ତି, ଉଲ୍ଲେଖଯୋଗ୍ୟ ୨୬ଜଣିଆ ମନ୍ତ୍ରୀମଣ୍ଡଳରେ କେବଳ ରାଜପକ୍ଷ ପରିବାରର ଥିଲେ ୧୫ ଜଣ । ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ସହିତ ପ୍ରାୟ ପରିବାର ଇସ୍ତଫା ଦେଇ ସାରିଥିଲେ ମଧ୍ୟ ରାଷ୍ଟ୍ରପତି ଗୋଟଵାୟା ରାଜପକ୍ଷ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି, ଦେଶକୁ ଉଦ୍ଧାର କରି ଦେଇଛନ୍ତି ତ ସେଇ ଖୁସିରେ । ପରିସ୍ଥିତି ଦୃଷ୍ଟିରୁ ଉପଲବ୍ଧ ଖାଦ୍ୟଦ୍ରବ୍ୟ/ଇନ୍ଧନ/ଶକ୍ତି ଆଦି କ୍ଷେତ୍ରର ସୁପରିଚାଳନା ନିମନ୍ତେ ଜଣେ ସେନାଧ୍ୟକ୍ଷଙ୍କୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଛି । ପ୍ରଣିଧାନଯୋଗ୍ୟ ଜାପାନ ଓ ଅନେକ ୟୁରୋପୀୟ ଦେଶରେ ମାଗଣା ଯୋଜନା ଏବଂ ଉପହାରକୁ ପ୍ରାୟ ସମସ୍ତେ ଘୃଣା କରନ୍ତି, ସହଜରେ କେହି ଗ୍ରହଣ କରନ୍ତି ନାହିଁ । ସେଇଥିପାଇଁ ପାଇଁ ସେମାନେ ଏତେ ଉନ୍ନତ, ଆମେ ଯୋଉ ତିମିରେ ସେଇ ତିମିରେ । ଆମର ମଧ୍ୟ ଧ୍ୟାନ ରଖିବା ଉଚିତ୍ ଯେ,”ନ-କର୍ମ ବିତ୍ତ ଦିଏ ଖୁସି ବହୁତ, ଅନ୍ତିମେ କରାଏ କେତେ ହନ୍ତସନ୍ତ ।”

ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯