ଶ୍ରୀକ୍ଷେତ୍ରରେ କାର୍ତ୍ତିକ ପୁର୍ଣିମା:ରାଜାଧିରାଜ ବେଶରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ …

ପୁରୀ(ସମୃଦ୍ଧ ଓଡିଶା )ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା। କାର୍ତିକର ଶେଷ ଦିନରେ ମହାପ୍ରଭୁ ଦୁର୍ଲଭ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ବୋଇତ ବନ୍ଦାଣ ପାଇଁ ମଧ୍ୟ ପ୍ରବଳ ଭିଡ଼କୁ  ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତକରାଯାଇଛି । ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣରେ ୨୦୩ ଅଫିସର ଓ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । କାର୍ତିକ ପୂର୍ଣ୍ଣିମାର ଦିନକ ପୂର୍ବରୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ  ସ୍ଥିତି ଅନୁଧ୍ୟାନ କରିବା ପରେ  ବଡ଼ି ଭୋରରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଜମିଛି । ଭିଡ଼ ନିୟନ୍ତ୍ରଣ ତଥା ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ କାଠ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦେଖି ଚାରିଥାକିଆ ଦର୍ଶନ ବ୍ୟବସ୍ଥା କରାଯାଇଥିବାବେଳେ ସୁରକ୍ଷା ଦାୟିତ୍ବରେ ଜଣେ କମାଣ୍ଡାଣ୍ଡଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ୧୧ ଜଣ ଏଏସ୍‌ପି, ୨୨ ଜଣ ଡିଏସ୍‌ପି, ୩୦ ଜଣ ଇନ୍ସପେକ୍ଟର, ୧୩୯ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୦୦ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି। ଜେଟିପିଙ୍କ ସହ ଶ୍ରୀମନ୍ଦିର ଭିତରେ ଓ ବାହାରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି।