ଶେରଗଡ଼ ତିନି ଛକରେ ବର୍ଷା ପାଣି ୬ଫୁଟ ଜମି ୧୦୦ଚାଷୀଙ୍କ ଚାଷ କାର୍ଯ୍ୟ ବାଧାପ୍ରାପ୍ତ : ତୁରନ୍ତ ସମାଧାନ ପାଇଁ ଦାବୀ…

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକରେ ବୁଧବାର ଠାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଗତ ୪ଦିନ ମଧ୍ୟରେ ୩୦୦ମିମି ବର୍ଷା ହୋଇଛି । ଶନିବାର ସନ୍ଧ୍ୟା ଠାାରୁ ବର୍ଷା ଲାଗି ରହିଛି । ଫଳରେ ଶେରଗଡ଼ ତିନି ଛକକୁ ଲାଗି ୫୦୦ଭରଣ ଜମିରେ ପାଣି ପଶିବା ସହ ପାଟପଲ୍ଲୀ, ଶେରଗଡ଼ ଗ୍ରାମର ଶତାଧିକ ଚାଷୀଙ୍କ ଜମିରେ ପାଣି ଜମି ରହିଛି । ଚାଷୀମାନଙ୍କ ପାଇଁ ଧାନ ବୁଣିବାରେ ବାଧକ ସାଜିଛି ଏହି ବର୍ଷା ଜଳ । ଏହି ପାଣି ନିଷ୍କାସନ ନ ହୋଇ ଜମି ରହିଛି । ଶନିବାର ସନ୍ଧ୍ୟା ସୁଧା ୬ଫୁଟ ପାଣି ଜମି ରହିଛି । ଫଳରେ ଶେରଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ପାଣି ଜମି ରହିବା ଫଳରେ ଶେରଗଡ଼ ବଡ଼ଦାଣ୍ଡ ସାହି, ବାଲିସାହି, ମୁଣିସାହି, ତୋଟାସାହି, ବ୍ଲକ ନିକଟ ସାହିରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି । ଏହି ବର୍ଷା ପାଣି ଜମି ରହିବା ବେଳେ ନିଷ୍କାସନ ପାଇଁ ଶେରଗଡ଼ର କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିବା ସହ ପ୍ରତିବର୍ଷ ଲଗାଣ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏ ସମ୍ପର୍କରେ ଜିଲ୍ଲାପ୍ରଶାସନ ଓ ନାଳ ନର୍ଦ୍ଧମା, ପୂର୍ତ୍ତ ବିଭାଗ ଜଣା କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଶେରଗଡ଼ ଓ ପାଟପଲ୍ଲୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶନିବାର ସନ୍ଧ୍ୟାରେ ପାଟପଲ୍ଲୀ ଗ୍ରାମର ଚାଷୀମାନେ ପାଣି ନିଷ୍କାସନ ନିମନ୍ତେ ଏକ ଅଭିଯୋଗ ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଓ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶେରଗଡ଼ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ : ବିପ୍ଳବ ସେଠୀ