ଶିଶୁ ସାହିତ୍ୟ ବିକାଶ ପରିଷଦର ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହ ଠାରେ ଶିଶୁ ସାହିତ୍ୟ ବିକାଶ ପରିଷଦର ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏବଂ ସମ୍ପାଦିକା ପ୍ରାଧ୍ୟାପିକା ଡ଼ ଜୟନ୍ତୀରାଣୀ ପଣ୍ଡା ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏବଂ ପରେ ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପାଠକରି ଅନୁଷ୍ଠାନର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ତତ୍ ସହିତ ଶିଶୁ ସାହିତ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଯେ ବିଶିଷ୍ଟ ଶିଶୁ ସାହିତ୍ୟିକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ କବିଶ୍ରୀ ଅଭିରାମ ପଣ୍ଡାଙ୍କ ମତ ତଥା ଅନ୍ୟ ଶିଶୁ ସାହିତ୍ୟିକ ଏବଂ ଆଲୋଚକ ଓ ଗବେଷକ ମାନଙ୍କର ମତ ଅନୁସାରେ ଶିଶୁ ସାହିତ୍ୟ କବିତା ଗଳ୍ପ ଗୁଡ଼ିକୁ ଶିଶୁ ମନଲାଖି ଏବଂ ସାଧାରଣ ଲୋକଙ୍କ ଦ୍ୱାରା ଆଦୃତ ହେଲା ଭଳି ଲେଖା ରଚନା କରିବାକୁ ହୁଏ ଯଦ୍ୱାରା ଉକ୍ତ ଲେଖା ଦୀର୍ଘ ଦିନ ଧରି ଜନମାନସରେ ତାହା ଅବିସ୍ମରଣୀୟ ହୋଇ ରହି ଯାଇଥାଏ । ସଭାପତି ଡ଼.ମିଶ୍ର ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ସ୍ୱର୍ଗତ ପଣ୍ଡା ଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ଶିଶୁ ସାହିତ୍ୟ ରଚନା କରିବା ସହ ଏହି ଅନୁଷ୍ଠାନକୁ ଗଠନ କରି ଅନେକ ଶିଶୁ ସାହିତ୍ୟିକ ସୃଷ୍ଟି କରିଯାଇଛନ୍ତି । ଯେଉଁମାନେ ଆଜି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଶିଶୁ ସାହିତ୍ୟ ପ୍ରତି ସ୍ୱର୍ଗତ ପଣ୍ଡାଙ୍କ ଅବଦାନ ଅତୁଳନୀୟ । ଅନୁଷ୍ଠିତ ଏହି ଶିଶୁ ସାହିତ୍ୟ ଆସରେ ସମ୍ପାଦିକା ଡ଼ଃ. ଜୟନ୍ତୀ ରାଣୀ ପଣ୍ଡା ପଠିତ ଶିଶୁ ଗଳ୍ପ କବିତା ଗୁଡ଼ିକୁ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଉପସଭାପତି ହାଡିବନ୍ଧୁ ମାଳି ଓ ବିଜୟଚନ୍ଦ୍ର ନନ୍ଦଙ୍କ ସମେତ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଶ୍ରୀମତୀ ପ୍ରେମଶିଳା ନନ୍ଦ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ଶତପଥୀ, ଡ଼.ସନ୍ତୋଷ କୁମାର ବକ୍ସି, ଦେବୀପ୍ରସାଦ ମହାପାତ୍ର, ସୁଦାମ ପାଣିଗ୍ରାହୀ, ଇଂ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସ୍ୱରଚିତ ଶିଶୁ ଗଳ୍ପ କବିତା ପାଠ କରିଥିଲେ ଶେଷରେ ଉପସଭାପତି ବିଜୟଚନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଜଣାଇଛନ୍ତି ।