ଶିଶୁ ଅଧିକାରକୁ ସୁନିଶ୍ଚିତ ପାଇଁ ଶିଶୁ ସମ୍ପର୍କ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସାମ୍ପ୍ରତିକ ମହାମାରୀ କରୋନା ସମୟରେ ଶିଶୁ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଯତ୍ନ ଓ ସୁରକ୍ଷା ତଥା ଶିଶୁ ଅଧିକାର ସୁନିଶ୍ଚିତ ପାଇଁ ଶିଶୁ ସମ୍ପର୍କ ଯାତ୍ରା ଆରମ୍ଭ କରାଯାଇଛି । ଆଜିର ଏହି ଶିଶୁ ସମ୍ପର୍କ ଯାତ୍ରା ରଥକୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼.ସିଦ୍ଧେଶ୍ୱର ବଳିରାମ ବନ୍ଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏବଂ ତାଙ୍କ ସହିତ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ନେଇଥିବା ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଏକ ଶିଶୁ ସମ୍ପର୍କ ରଥ ସପ୍ତାହେ ବ୍ୟାପି ଜିଲ୍ଲାରେ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ପୌରପାଳିକା ଏନ.ଏ.ସି ଓ ଗ୍ରାମରେ ରାଲି, ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ସମନ୍ୱୟ ବୈଠକ କରିବାକୁ ସ୍ଥିର କରାଯାଇଛି । କରୋନା ଲକଡାଉନ ସମୟରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ବହୁ ଶିଶୁ ଓ ତାଙ୍କ ପରିବାର ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ଶିଶୁର ବଞ୍ଚିବାର ବିକାଶ ହେବା, ସହଭାଗିତା ଓ ସୁରକ୍ଷା ଦେବା ଅଧିକାର ଗୁଡିକ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି ଶିଶୁ ଓ ତାର ପରିବାରକୁ କ୍ଷେତ୍ରୀୟ ସ୍ତରରୁ ଚିହ୍ନଟ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଶିଶୁ ସମ୍ପର୍କ ଯାତ୍ରାର ମୂଳ ଲକ୍ଷ । ଏଥି ନିମନ୍ତେ କିଛି ଟୋଲ ଫ୍ରି ନମ୍ବର ଓ କିଛି ଯୋଗାଯୋଗ ନମ୍ବର ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ ବିଭାଗ ତରଫରୁ ଜଣାଇଛନ୍ତି । ଏହି ଶିଶୁ ସମ୍ପର୍କ ପଦଯାତ୍ରାରେ ଶିଶୁ ମଙ୍ଗଳ କମିଟିର ଅଧକ୍ଷ ରଞ୍ଜିତ କୁମାର ବାନାର୍ଜୀ, ସଦସ୍ୟ ହରିହର ପାଢ଼ୀ, ମିନତୀ ପ୍ରଧାନ, ଶ୍ୟାମାକାନ୍ତ ଜେନା, ଜ୍ୟୋତି କୁମାରୀ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଅମୀୟ ତ୍ରିପାଠୀ, ବିଭୁ ପ୍ରସାଦ, ସରିତ୍ରି ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, ଶରତ ମହାରଣା, ସୁଶାନ୍ତ ସାହୁ, ସୁଦାମ ପାଣିଗ୍ରାହୀ, ଅରୁଣା ଅନୁଷ୍ଠାନର ଲୋକନାଥ ମିଶ୍ର, ଦେବୀଦତ୍ତ ରଥ, ଚାଇଲଡ ଲାଇନ ସୁଧୀର ସାବତ, ପ୍ରଭୁପ୍ରସାଦ ପାତ୍ର ଓ ସଂଯୋଜକ ସାଇ ପ୍ରସାଦ ସାମଲ YSDର ବିଭୁ ପ୍ରସାଦ ସାହୁ, ତାପସ କୁମାର ପାତ୍ର, ମଧୁସ୍ମିତା ଓ ପୁର୍ଣ୍ଣିମା ଦେ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିଶୁ ସମ୍ପର୍କ ରଥ ବ୍ରହ୍ମପୁର ସହରର ଧୋବାବନ୍ଧ ସାହି, ମାଥୁରା ଓ ସୋମନାଥ ନଗର ବସ୍ତି ଅଞ୍ଚଳରେ ବୁଲିବା ପାଇଁ ସ୍ଥିର କରାଯାଇଛି ବୋଲି ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା