ଶିଶୁଙ୍କ ପ୍ରସ୍ତାବକୁ ଇସ୍ତାହାରରେ ସ୍ଥାନ ଦେବାକୁ ରାଜନୈତିକ ଦଳ ପ୍ରତିନିଧିଙ୍କ ପ୍ରତିଶ୍ରୁତି : ଓଏସିଆର ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଶିଶୁମାନେ ନିଜର ସୁରକ୍ଷା, ଶିକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରସ୍ତାବ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ । ଏ ନେଇ ନିଜ ନିଜ ଦଳ ନିକଟରେ ପ୍ରସ୍ତାବଗୁଡିକ ଉପସ୍ଥାପନ କରିବେ ବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଓଡିଶା ଆଲାଏନ୍ସ ଫର ଚାଇଲ୍ଡ ରାଇଟ୍‍ସ (ଓଏସିଆର) ପକ୍ଷରୁ ରାଜନୈତିକ ନେତାମାନଙ୍କୁ ନେଇ ଆୟୋଜିତ ଏକ ରାଜ୍ୟରୀୟ ଆଲୋଚନାଚକ୍ରରେ ଏଭଳି ମତପ୍ରକାଶ ପାଇଛି । ଏଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଜୁ ଜନତା ଦଳର ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି, ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା କସ୍ତୁରୀ ମହାପାତ୍ର, ଭାରତୀୟ ଜନତା ପାର୍ଟିର ଡକ୍ଟର ପ୍ରୀତି ପ୍ରତିମା ଭୋଳ ଓ ସ୍ମିତା ସାମନ୍ତ, ଭାରତୀୟ ଜାତୀୟ କଂଗ୍ରେସର ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲର ରାଜ୍ୟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପାଢୀ , ସମ୍ପାଦକ ନାରାୟଣ ଡାକୁଆ, ସିପିଆଇଏମ୍‍ର ପୁଷ୍ପା ଦାସ, ଆମ୍‍ ଆଦ୍‍ମୀ ପାର୍ଟିର ଜୟସୂର୍ଯ୍ୟ କାନୁନ୍‍ଗୋ, ସିପିଆଇ ଏମଏଲର ମହେନ୍ଦ୍ର ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଏସିଆର ର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ ଶିଶୁମାନେ ପ୍ରସ୍ତୁତ କରିଥିବା ପ୍ରସ୍ତାବ ଉପରେ ଆଲୋକପାତ କରିବା ସହିତ ଏହା କିଭଳି ରାଜନୈତିକ ଦଳର ଇସ୍ତାହାରରେ ସ୍ଥାନ ପାଇବ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ପିଲାମାନେ ପ୍ରସ୍ତୁତ କରିଥିବା ଦଶଟି ପ୍ରସ୍ତାବକୁ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରିଥିଲେ । ଏଥିସହିତ ଶିଶୁ ଅଧିକାର ପାଇଁ କାର୍ଯ୍ୟରତ ସାମାଜିକ ସଂଗଠନମାନେ ପ୍ରସ୍ତୁତ କରିଥିବା ପ୍ରସ୍ତାବମାନ ମଧ୍ୟ ରାଜନୈତିକଳ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରିଥିଲେ । ପିଲାମାନେ ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବଗୁଡିକ ମଧ୍ୟରେ ଅସମାନତା ପ୍ରତି ଧ୍ୟାନ ଦେବା ଓ ଶିଶୁ ଏବଂ ଯୁବକ-ଯୁବତୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ଯୋଜନା ଓ ନୀତି ସୁନିଶ୍ଚିତ କରିବା ଏବଂ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କ ପାଇଁ ମାଗଣା, ବାଧ୍ୟତାମୂଳକ, ନିରାପଦ ଓ ଗୁଣାତ୍ମକ ମାନର ଶିକ୍ଷା ସୁନିଶ୍ଚିତ କରାଯିବାକୁ କୁହାଯାଇଛି । ସମସ୍ତ ବିଦ୍ୟାଳୟରେ ସବୁ ଶ୍ରେଣୀ ଓ ସବୁ ବିଷୟ ପାଇଁ ଆବଶ୍ୟକ ଅନୁସାରେ ଶିକ୍ଷକ ଯୋଗାଇ ଦିଆଯାଉ ଓ ଆଦିବାସୀ ବିଦ୍ୟାଳୟମାନଙ୍କରେ ବହୁଭାଷୀ ଶିକ୍ଷାର ବ୍ୟବସ୍ଥା କରାଯାଉ । ୧୮ ବର୍ଷ ତଳକୁ କୌଣସି ଶିଶୁ ଯେପରି କୌଣସି ପ୍ରକାରର ଶ୍ରମ କାର୍ଯ୍ୟରେ ନିୟୋଜିତ ନ ହେବେ, ତାହା ସୁନିଶ୍ଚିତ କରାଯାଉ ଏବଂ ଉଦ୍ଧାର ହୋଇଥିବା ଶିଶୁଙ୍କ ପାଇଁ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରାଯାଉ । ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଧନ୍ଦାମୂଳକ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ । ସମସ୍ତ ପରିବାର, ଗୋଷ୍ଠୀ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଶିଶୁମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରାଯାଉ । ଶିଶୁ ସୁରକ୍ଷା ଆଇନ ଓ ନୀତିକୁ ଲାଗୁ କରିବା ପାଇଁ ଉପଯୁକ୍ତ ସାଧନ ଯୋଗାଇ ଦିଆଯାଉ ଓ ଫଳପ୍ରଦ ଭାବେ ତଦାରଖ କରାଯାଉ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ, ପରେ ଓ ବିପର୍ଯ୍ୟୟ ସମୟରେ ଶିଶୁ ଓ ଯୁବ ପିଢ଼ି ମାନଙ୍କ ପ୍ରତି ଥିବା ବିପଦ କୁ ଚିହ୍ନଟ କରାଯାଉ ଏବଂ ତାହାର ସମାଧାନ କରାଯାଉ । ସମସ୍ତ ବିଦ୍ୟାଳୟ, ଗ୍ରାମ, ବସ୍ତି ଓ ସହରକୁ ପରିଷ୍କାର ରଖିବା ସହ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ସହ ପାଣିର ବନ୍ଦୋବସ୍ତ ଏବଂ ମଇଳା ପାଣିର ନିଷ୍କାସନର ବ୍ୟବସ୍ଥା କରାଯାଉ । ସମସ୍ତ ଅନୁଷ୍ଠାନରେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଶୌଚାଳୟ ଓ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରାଯାଉ । ଶିଶୁମାନଙ୍କ ପାଇଁ କୌଣସି ନୀତି ବା କାର୍ଯ୍ୟକ୍ରମ ଯୋଜନା କରିବା ସମୟରେ ସେମାନଙ୍କର ମଧ୍ୟ ମତ ନିଆଯାଉ ଏବଂ ମିଳିତ ଭାବରେ ନିଷ୍ପତି ନେବାର ବ୍ୟବସ୍ଥା କରାଯାଉ । ପିଲାମାନଙ୍କୁ ତମାଖୁର କୁପ୍ରଭାବରୁ ରକ୍ଷା କରିବାପାଇଁ ରାଜ୍ୟରେ ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏତ୍‍ଦବ୍ୟତିତ ବିଭିନ୍ନ ସ୍ତରରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନକୁ ଅଧିକ ସୁଦୃଢ କରିବା ତଥା ଶିଶୁ ସୁରକ୍ଷାପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର କ୍ୟାଡର ପାଇଁ ପ୍ରସ୍ତାବ ଦିଆଯାଇଛି । ଆଜି ପୂର୍ବାହ୍ନରେ ଓଏସିଆର ପକ୍ଷରୁ ଶିଶୁମାନଙ୍କ ଅଧିକାର ଏବଂ କଲ୍ୟାଣକୁ ପ୍ରାଥମିକତା ଦେବାପାଇଁ ଏକ ରାଉଣ୍ଡ ଟେବୁଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୭୦ରୁ ଅଧିକ ପ୍ରତିନିଧି ଶିଶୁ ଅଧିକାର କର୍ମୀ ଯୋଗ ଦେଇଥିଲେ । ଓଏସସିପିଏସ୍‍ର ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ପ୍ରୀତିକାନ୍ତ ପଣ୍ଡା ଏବଂ ୟୁନିସେଫ୍‍ର ସୁଗତ ରାୟ ଓ ଅଜୟ ସିଂହ, ଆକ୍ସନ ଏଡ୍‍ର ଘାସିରାମ ପଣ୍ଡା, ଓଏସିଆର ଉପାଧ୍ୟକ୍ଷ ପ୍ରକାଶ ରଥ, ପିକକର ଅନୁରାଧା ମହାନ୍ତି, ଶିଶୁ ଅଧିକାର କର୍ମୀ ସ୍ମୃତି ରଞ୍ଜନ ଜେନା, ଉବାଚକ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଜିଭିଏସ୍‍ର ସମ୍ପାଦିକା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର