ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଛାତ୍ର ଗୁରୁତର

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଜଣେ ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଜନୈକ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଜଣାପଡିଛି I ସ୍କୁଲ ପରିସରରେ ଛାତ୍ରମାନଙ୍କୁ ମାରିବା ପାଇଁ ବାରଣ ଥିବା ସତ୍ୱେ ଶିକ୍ଷକମାନେ ଏଭଳି କାହିଁକି ନିରୀହ ଛାତ୍ରଙ୍କୁ ନିର୍ଯାତନା ଦେଉଛନ୍ତି ସେନେଇ ଉଦବେଗ ପ୍ରକାଶ ପାଇଛି । ଆଜି ପ୍ରାର୍ଥନା ସଭାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଜଣେ ଛାତ୍ର ଗୁରୁତର ଭାବେ ଆଘାତ ପାଇଛି। ଏପରିକି ଛାତ୍ର ଜଣଙ୍କ ଅଚେତ ହୋଇ ପଡ଼ିବାରୁ ଏହା ଏକ ସାଂଘାତିକ ଘଟଣା ବୋଲି ସମସ୍ତେ ଅଥୟ ହୋଇଗଲେ ଓ ତୁରନ୍ତ ଅଭିଭାବକଙ୍କୁ ଡାକିବାକୁ ପଡିଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା । ଗୁରୁତର ହୋଇ ପଡ଼ିଥିବା ଛାତ୍ରଜଣକ ହେଉଛନ୍ତି ଗଣପତି ମହାନ୍ତ । ତାଙ୍କ ଘର କାମାକ୍ଷାନଗର ବ୍ଲକ ଗୋପପୁର ଗ୍ରାମର ବୋଲି ଜଣାପଡିଛି । ଆଜି ସକାଳେ ବିଦ୍ୟାଳୟରେ ପ୍ରାର୍ଥନା ସଭା ଚାଲିଥିବା ସମୟରେ ଶିକ୍ଷୟିତ୍ରୀ ଜଣକ କୌଣସି କାରଣରୁ ଛାତ୍ର ଗଣପତିଙ୍କ ଛାତିକୁ ମୁଥ ମାରିଥିଲେ । ଫଳରେ ସେ ତଳେ ପଡ଼ି ଯାଇ ଯନ୍ତ୍ରଣାରେ ଛଟପଟ ହେଲେ। ଏହାପରେ ସ୍କୁଲରୁ ତୁରନ୍ତ ଗଣପତିଙ୍କ ମା’ଙ୍କୁ ଫୋନ୍‌ କରାଯାଇ ପୁଅ ଅସୁସ୍ଥ ହୋଇ ପଡ଼ିଛି, ନେଇ ଯିବାକୁ କହିଥିଲେ। ମାତ୍ର ସ୍କୁଲରେ ଆସିଲା ବେଳେ ମୋ ପୁଅର ଭଲରେ ଥିଲା ହଠାତ୍‌ ଏପରି କିପରି ହେଲା ବୋଲି ଗଣପତିଙ୍କ ମା’ ପଚାରିବାରୁ କେହି କିଛି କହି ନ ଥିଲେ। ସେ ତୁରନ୍ତ ପୁଅକୁ କଙ୍କଡାହାଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଗଣପତିଙ୍କୁ କାମାକ୍ଷାନଗରକୁ ରେଫର କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।ଏହି ଘଟଣା ନେଇ ବିଇଓ ସୂଚନା ପାଇ ସାରିଲେଣି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବାରୁ ଏପରି ଘଟଣା କେବେ ବି ଗ୍ରହଣୀୟ ନୁହେଁ ।