ଶିକ୍ଷାର ଆଦର୍ଶ ଦେଖାଇଲେ ବିଦ୍ୟାର୍ଥୀ : ସରକାରଙ୍କୁ ନିର୍ଭର ନ କରି ରାସ୍ତା ମରାମତି କଲେ

ସୋରଡ଼ା(ସମୃଦ୍ଧ ଓଡିଶା) ଆମେ ସମସ୍ତେ ଡ଼ଃ. ଜଗନ୍ନାଥ ମହାନ୍ତି ଙ୍କ ‘ ତୁମ ପରି ଛୋଟ ପିଲାଟିଏ ‘ କବିତା ତୃତୀୟ ଶ୍ରେଣୀରେ ପଢ଼ିଛନ୍ତି, ଯେ କିପରି ମଧୁ ବାବୁ ବିଦ୍ୟାଳୟ ଗଲାବେଳେ କାଦୁଅରେ ଗୋଡ଼ ଖସିଯାଇଥିଲା ଓ ପରବର୍ତ୍ତୀ ସମୟରେ ଦଶହରା ଛୁଟିରେ ସେ କିପରି ସାଥୀ ପିଲାଙ୍କୁ ଡାକି ସେ ଗାଁ ଦାଣ୍ଡକୁ ବାଲି, ଗୁଡ଼ି ଓ ମାଟି ପକେଇ ଠିକ କରିଥିଲେ |ଠିକ୍ ଏପରି ଏକ ସଦ୍ୟ ଘଟଣା ଦେଖିବାକୁ ମିଳିଛି ସୋରଡ଼ା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ପଦ୍ମପୁର ଗ୍ରାମ ରେ । ଯାହାକି ପ୍ରଶାସନ ର ଖୋଲାଖୋଲି ଅବହେଳା ର ନଗ୍ନ ଚିତ୍ର ଓ ବିଦ୍ୟାର୍ଥୀ ମାନେ ଶ୍ରମିକ ହୋଇ ରାସ୍ତା କାମ କରିବା ଭଳି ଖବର ବେଶ୍ ଚର୍ଚା ଧରିଛି । ପ୍ରକାଶ ଥାଉକି, ଏହି ପଞ୍ଚାୟତ ରୁ ତିନି ଥର ବ୍ଳକ ଅଧ୍ୟକ୍ଷା ନିର୍ବାଚିତ ହୋଇ ଆସୁଥିଲେ ସୁଦ୍ଧା ଏହି ଗାଁ ଗୁଡ଼ିକ ଆଜି ବି ସମସ୍ତ ମୌଳିକ ସୁବିଧା ପାଇବାରୁ ବଞ୍ଚିତ | ଏହି ଗାଁରେ ଆନୁମାନିକ ୨000 ଲୋକ ବସବାସ କରୁଥିଲେ ସୁଦ୍ଧା ପିଇବା ପାଣି ଠାରୁ ଆରମ୍ଭ କରି ଯାତାୟାତ ଯାଏଁ ସବୁଥିରେ ସମସ୍ୟା ଲାଗିରହିଛି । କିଛିଦିନ ତଳେ ଏହି ଗାଁର ନୀଳମାଧବ ୟୁଥ କ୍ଳବ ନାମକ ଏକ ସାମାଜିକ ଅନୁଷ୍ଠାନ ଦ୍ୱାରା ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ କୌଣସି ସମସ୍ୟାର କିଞ୍ଚିତ ମାତ୍ର ସମାଧାନ ହୋଇପାରିଲା ନାହିଁ । ବର୍ତ୍ତମାନ ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ଗାଁର ମୁଖ୍ୟରାସ୍ତା ପୁରା ବେହାଲ । ଏଥି ସହ ବଡ଼ କଷ୍ଟରେ ତିନି ତିନୋଟି ବସ ଦୈନିକ ଏହି ଗାଁ ଦେଇ ବ୍ରହ୍ମପୁର କୁ ଯା ଆସ କରେ । ଏହି ଦୁଇଦିନ ତଳେ ରାସ୍ତା ବହୁତ୍ ଖରାପ ଯୋଗୁଁ ଏକ ମାଲବାହି ଅଟୋ ନିଜର ଭାରସାମ୍ୟ ହରାଇ ଗାଁ ମଝିରେ ହିଁ ଓଲଟି ପଡିଥିଲା । ବିଦ୍ୟାଳୟରୁ ଆସୁଥିବା ଛାତ୍ରଛାତ୍ରୀ ଏହିପରି ଏକ ଘଟଣା ଦେଖି ରବିବାର ଦିନ କିଛି ଛାତ୍ର ଗାଁର କିଛି ଲୋକଙ୍କ ସାହାଯ୍ୟ ନେଇ ରାସ୍ତାରେ କାଦୁଅ କୁ ସଫା କରି ବାଲି ଓ ଡଷ୍ଟ ପକାଇ ଠିକ କରିଥିଲେ । ଏହାପରେ ଛାତ୍ର ମାନେ ଗାଁର ଗୁରୁଜନ ମାନଙ୍କ ପ୍ରଶଂସାର ପାତ୍ର ହେବା ସହ ସେମାନେ ମଧୁ ବାବୁଙ୍କ ଜୀବନୀ ର ପ୍ରେରଣା ରେ ଏପରି କରିଥିବା କହିଛନ୍ତି । ବର୍ତ୍ତମାନ କେବଳ ଦେଖିବାକୁ ବାକି ରହିଲା ଜିଲ୍ଲା ତଥା ସୋରଡ଼ା ପ୍ରଶାସନ ର କେବେ ନିଦ ଭାଙ୍ଗୁଛି ଏଥିପ୍ରତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ