ଶିକ୍ଷାବିତ ବରିଷ୍ଠ ସଂସ୍କୃତ ପ୍ରାଧ୍ୟାପକ ଡ଼ଃ. ନିର୍ମଳ ସୁନ୍ଦର ମିଶ୍ରଙ୍କୁ ଢେଙ୍କାନାଳରେ ଭବ୍ୟ ସ୍ୱାଗତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶିକ୍ଷାବିତ ବରିଷ୍ଠ ସଂସ୍କୃତ ପ୍ରାଧ୍ୟାପକ ଡ଼ଃ. ନିର୍ମଳ ସୁନ୍ଦର ମିଶ୍ରଙ୍କୁ ଢେଙ୍କାନାଳରେ ଭବ୍ୟ ସ୍ୱାଗତ କରାଯାଇଛି । ଗତକାଲି ଅପରାହ୍ନରେ କୁଞ୍ଜ କାନ୍ତସ୍ଥ ‘ରଘୁବଂଶମ’ ପାଠାଗାର ତଥା ‘ଅଲଟରନେଟ ରିଦିମ ଥିଏଟର’ ପରିସରରେ ସରକାରଙ୍କ କରୋନା ନିୟମ ମାନି ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଜନ୍ମିତ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତଃ ରଘୁନାଥ ମିଶ୍ରଙ୍କ ସୁପୁତ୍ର ତଥା ସେହି ଅନୁଷ୍ଠାନର ପ୍ରାକ୍ତନ ଶିକ୍ଷକ ନନ୍ଦ କିଶୋର ଶତପଥୀଙ୍କ ଜାମାତା, ସେହି ଶତାୟୁ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ସଂସ୍କୃତ ପ୍ରାଧ୍ୟାପକ ଡ଼ଃ ନିର୍ମଳ ସୁନ୍ଦର ମିଶ୍ରଙ୍କୁ ତାଙ୍କର ପ୍ରିୟ ପରିବାର ବର୍ଗ, ବନ୍ଧୁ ପରିଜନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଭବ୍ୟ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ତାଙ୍କର ଅବସରକାଳୀନ ଦୀର୍ଘ ନିରାମୟ ସଫଳ ଜୀବନ କାମନା କରି ଦୂରଭାଷ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି । ଡ଼ଃ. ନିର୍ମଳ ସୁନ୍ଦର ମିଶ୍ର ମହର୍ଷି ମହାବିଦ୍ୟାଳୟ, ଭୁବନେଶ୍ୱରରେ ଦୀର୍ଘ ୮ ବର୍ଷ ସଂସ୍କୃତ ଅଧ୍ୟାପକ ଭାବରେ ଓ ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘ ୨୪ ବର୍ଷ ଧରି ସଂସ୍କୃତ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଭାବରେ ପ୍ରାୟ ସୁଦୀର୍ଘ ୩୨ ବର୍ଷ କାଳ ନିଜର କର୍ମମୟ ସଫଳ ସରକାରୀ ଚାକିରୀ ଜୀବନ ଶେଷ କରି ଜୁଲାଇ ମାସ ଅନ୍ତିମ ଦିବସରେ ଅବସର ଗ୍ରହଣ କରିଛନ୍ତି।ତାଙ୍କ ଦ୍ୱାରା ରଚିତ ଓ ସମ୍ପାଦିତ ୧୮ ଗୋଟି ପୁସ୍ତକ,ଅନେକ ନିବନ୍ଧ, ଅନେକ ସନ୍ଦର୍ଭ ବିଭିନ୍ନ ପାଠଚକ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସଙ୍ଗେ ସଙ୍ଗେ ସେ ଆମ ଢେଙ୍କାନାଳର ଗର୍ବ ଗୌରବର ବର୍ତ୍ତାବହ ହୋଇପାରିଛନ୍ତି । ଢେଙ୍କାନାଳର ଗର୍ବ ଓ ଗୌରବ ଶୈବପୀଠ କପିଳାସ ଉପରେ ଏକ ଲଘୁଶୋଧ ପ୍ରକଳ୍ପ (Minor Research Project) ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ପ୍ରାୟୋଜନରେ ସେ ପ୍ରସ୍ତୁତ କରିଛନ୍ତି, ଯାହାର ଭିତ୍ତିରେ କପିଳାସ ଉପରେ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ତାଙ୍କର ଗୁରୁ ଡ଼ଃ ରାମଚନ୍ଦ୍ର ଦାସଙ୍କ ସହିତ ପ୍ରକାଶ କରିବାକୁ ଯାଉଛନ୍ତି ବୋଲି କୁହାଯାଇଛି l ଏହାସହ ସେଠାରେ ବିଦାୟ ସମ୍ବର୍ଦ୍ଧନା ଗ୍ରହଣ କରି ସ୍ଵ ଢେଙ୍କାନାଳର ପ୍ରିୟ ଜନ୍ମଭୂମିକୁ ପ୍ରତ୍ୟାବର୍ତ୍ତନ କରି ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ସଙ୍ଗେ ସଙ୍ଗେ, ବିଭିନ୍ନ କ୍ଷେତ୍ରରେ ଢେଙ୍କାନାଳର ସର୍ବାଙ୍ଗୀନ ବିକାଶ ତଥା ସୁନାମ ବୃଦ୍ଧି କରିବାକୁ ସେ ବଜ୍ର ଶପଥ ନେଇଛନ୍ତି । ଏହି ଅବସରରେ ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ରାମଚନ୍ଦ୍ର ଦାସ, ଡ଼ଃ ବିଶ୍ଵନାଥ ମହାପାତ୍ର, ଡ଼ଃ ପ୍ରଦୀପ କୁମାର ମିଶ୍ର, ଡ଼ଃ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ, ପ୍ରାଧ୍ୟାପକ ଜିତେନ୍ଦ୍ରିୟ ଶତପଥୀ, ପ୍ରାଧ୍ୟାପକ ମନୋଜ କୁମାର ରାଉତ, ଇ-ଟେକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେଶ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ଼ଃ ପୁଷ୍ପଲତା ରଥ, ମହାନ ନାଟ୍ୟକାର ଦୀନେଶ ଦାସ, ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ସଭାପତି ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ପ୍ରାକ୍ତନ ସଭାପତି, ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୌସୁମୀ ସାହୁ, ବରିଷ୍ଠ ଶିକ୍ଷିକା ତଥା ତାଙ୍କର ସହଧର୍ମିଣୀ ସ୍ଵର୍ଣମୟୀ ଶତପଥୀ, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ସଂସ୍କୃତ ଶିକ୍ଷିକା ଡ଼ଃ ଅନୁପମା ମିଶ୍ର, କବିଭୂଷଣ ସ୍ମୃତି ସଂସଦର ପ୍ରତିଷ୍ଠାତା ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଡ଼ଃ ମିଶ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କର ନିରଳସ, ଦୀର୍ଘ, ନିରାମୟ ସଫଳ ଅବସର ଜୀବନ କାମନା କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟା ଜାରି ରଖି ଢେଙ୍କାନାଳର ସୁନାମ ବୃଦ୍ଧି କରିବା ପାଇଁ ଦୃଢ଼ ଅଶାପୋଷଣ କରିଛନ୍ତି ବୋଲି ଜଣାଯାଇଛି ।

ରିପୋର୍ଟ : ଶୁଭମ ପାଣି