ଶାଳିକୋଠା ବାଣଗୋଦାମ ଚଢାଉରେ ୫ ଗିରଫ :୫ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ୫୦ ପ୍ରକାରର ବାଣ ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବେଆଇନ୍ ଭାବେ ବିଭିନ୍ନ ସ୍ଥାନରେ ବାଣ ଓ ବାଣ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁର ଅକ୍ଷୟ ବେହେରାଙ୍କ ଘରେ ରହୁଥିବା ଅରବିନ୍ଦ ପ୍ରଧାନଙ୍କ ଭଡାଘରେ ଶୁକ୍ରବାର ରାତିରେ ଜଳେଶ୍ୱର ପୋଲିସ୍ ଚଢାଉ କରିଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଚଢାଉକାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପୋଲିସ୍ ସେହି ଘଟଣାରେ ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୋଟ ୫୦ ପ୍ରକାରର ବିଭିନ୍ନ କିସମର ବାଣ ଜବତ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ ରୁ ୬ଲକ୍ଷ ହେବ ବୋଲି ଆଜି ପୋଲିସ୍ ପ୍ରକାଶ କରିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରେ ଶାଳିକୋଠା ଗ୍ରାମର ଅକ୍ଷୟ କୁମାର ବେହେରା, ସୁଦର୍ଶନ ପ୍ରଧାନ, ଅରବିନ୍ଦ ପ୍ରଧାନ, ମଧୁସୂଦନ ପ୍ରଧାନ ଓ ଅଜୟ କୁମାର ପ୍ରଧାନ ପ୍ରମୁଖଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣା ପରେ ଜଳେଶ୍ୱରର ବହୁ ବଡବଡ ବାଣ ବ୍ୟବସାୟୀ ମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଜଳେଶ୍ୱରର ୪ଟି ସ୍ଥାନରେ କୋଟି କୋଟି ଟଙ୍କାର ମୂଲ୍ୟର ବାଣ ମହଯୁଦ୍ ରଖାଯାଇ ଏଠାରୁ ଭୋଗରାଇ, କମର୍ଦ୍ଦା, ରାଇବଣିଆ, ବାଲିଆପାଳ, ସିଂଲା, ବସ୍ତା, ରାସଗୋବିନ୍ଦପୁର, ରୂପ୍ସା, ତାଳସାରୀ ସାମୁଦ୍ରିକ ଥାନା, ଦାନ୍ତୁନ, ନୟାଗ୍ରାମ, ମୋହନପୁର, ଏଗ୍ରା ଓ ରାମନଗର ଥାନା ଇଲାକାରେ ଥିବା ଗ୍ରାମମାନଙ୍କୁ ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ଚାଲାଣ କରିବା ମସୁଧାରେ ବ୍ୟବସାୟୀମାନେ ଅଛନ୍ତି । ତେଣୁ ସେଥିପାଇଁ ପୋଲିସ୍ ପ୍ରଶାସନ ସେଥିପ୍ରତି ସତର୍କ ରହିବା ପାଇଁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା