ଶପଥ ଗ୍ରହଣ କଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର…

କଟକ (ସମୃଦ୍ଧ ଓଡିଶା) ଆଜି ଶପଥ ଗ୍ରହଣ କରିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର । ତାଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର । ଶ୍ରୀ ମହାପାତ୍ର ପ୍ରତିଷ୍ଠିତ ପବ୍ଲିକେସନ୍ ହାଉସ ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ତଥା ବିଶିଷ୍ଟ ପ୍ରକାଶକ ସ୍ୱର୍ଗତ ଶ୍ରୀଧର ମହାପାତ୍ରଙ୍କ ନାତି ତଥା ପ୍ରକାଶକ ସ୍ୱର୍ଗତ ଅଭିରାମ ମହାପାତ୍ରଙ୍କ ପୁଅ । ସେ ୧୯୬୯, ଫେବ୍ରୁଆରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୪ରେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୫ରେ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ଜଷ୍ଟିସ୍ ପି.କେ. ମିଶ୍ରଙ୍କ ସହଯୋଗୀ ଭାବେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ଭାରତର ନିର୍ବାଚନ କମିସନ୍, ରାଜ୍ୟ ମାନବାଧିକାର କମିସନ୍, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଭ‌ଳି ବହୁ ଅନୁଷ୍ଠାନ ପକ୍ଷରୁ ହାଇକୋର୍ଟରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ । ଦୀର୍ଘ ୨୬ ବର୍ଷ ଭିତରେ ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ ।