ଲୁନାକୁ ଧକ୍କା ଦେଲା ଟ୍ରକ ସ୍ୱାମୀ-ସ୍ତ୍ରୀ ମୃତ…

ପାତ୍ରପୁର (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ-ଓଡ଼ିଶା ସୀମାନ୍ତରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏଥିରେ ଏକ ଦମ୍ପତି ପ୍ରାଣ ହରାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡା ଗ୍ରାମର ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି ଗୁରୁବାର ସକାଳୁ ଆନ୍ଧ୍ରର ଭେସି ଗ୍ରାମରେ ଥିବା ଦାଦା ପୁଅ ଭାଇଙ୍କ ପୁଅର ବ୍ରତଘରରେ ଯୋଗ ଦେବାକୁ ଘରୁ ବାହାରିଥିଲେ । ସେଦୁହେଁ ନିଜର ଲୁନା ଏକସେଲ ଗାଡ଼ିରେ ପାଖାପାଖି ୭ଟା ବେଳେ ଯାତ୍ରା ଆରମ୍ଭ କରିଥିଲେ । ଗୁଣ୍ଡା ଗ୍ରାମରୁ ଭେସି ପ୍ରାୟ ୪୦ କିଲୋମିଟର । ଏହି ଦମ୍ପତି ଯାଉଥିବା ବେଳେ କୁଲାମ ଓ ଭେସି ନିକଟରେ ଥିବା ଜାତୀୟ ରାଜପଥ-୧୬ ରେ ଟ୍ରକ ସେମାନଙ୍କ ଲୁନାକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ଉଭୟ ଭଗବାନ ଓ ଭାରତୀଙ୍କର ମୃତ୍ୟୁ ହୋଇଥିଲା । ମୃତ ଭଗବାନଙ୍କ ବୟସ ୫୫ ଓ ଭାରତୀଙ୍କର ୫୦ ବର୍ଷ ବୋଲି ଜଣାଯାଇଛି । ଭଗବାନଙ୍କ ମୂଳ ଘର ଆନ୍ଧ୍ରର ଭେସି ଗ୍ରାମରେ । କିନ୍ତୁ ତାଙ୍କ ବାପା ପାଖାପାଖି ୫୦ ବର୍ଷ ହେଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡା ଗ୍ରାମରେ ରହିଆସୁଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ଆନ୍ଧ୍ର ପ୍ରଦେଶର ସୋମପେଣ୍ଠ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି । ଏହି ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଉଭୟ ଗୁଣ୍ଡା ଓ ଭେସି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା