ଲିଙ୍ଗଡୋ କମିଶନ ନିୟମ କୁ ବେଖାତିର ଦଳୀୟ ପ୍ୟାଡ଼ରେ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର ( ଆକାଶ ମିଶ୍ର ) : ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ଠୁ କ୍ୟାମ୍ପସ୍ ଚଳଚଞ୍ଚଳ ହୋଇସାରିଛି। ସୂଚନା ଅନୁଯାୟୀ ଅକ୍ଟୋବର ୧୨ ରେ ରାଜ୍ୟ ରେ ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। ତେବେ ଏବେଠୁ କିଛି କଲେଜ ରେ ପ୍ରାକ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି। ରାଜଧାନୀ ର ବିଜେବି କଲେଜ, ରାଜଧାନୀ କଲେଜ, ଦେବରାୟ ଓ କିଛି ପ୍ରମୁଖ କଲେଜ ରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଛି। କିନ୍ତୁ ସବୁଥର ପରି ଏଥର ମଧ୍ୟ ଲିଙ୍ଗଡ଼ୋ କମିଶନଙ୍କ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଉଥିବା ଦେଖିବାକୁ ମିଳିଛି। ଖୁଲାମଖୁଲା ଏହାକୁ ଉଲ୍ଲଂଘନ କରିଛି ଖୋଦ ଶାସକ ଦଳ । ଏକଥା ଆମେ କହୁନୁ , ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ହିଁ ଏହାକୁ ସ୍ପଷ୍ଟ କରିଛି । କିଛି ଦିନ ତଳେ ବିଜେବି କଲେଜ ର ସଭାପତି ପଦ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଥିଲା ବିଜୁ ଛାତ୍ର ଜନତା ଦଳ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅନୁମୋଦନ କ୍ରମେ ସୌମିତ୍ରୀ ବତ୍ସଳ ଦାସ ଙ୍କୁ ସଭାପତି ପ୍ରାର୍ଥୀ ଓ ବିଶ୍ଵଜିତ ବିଶ୍ୱାଳ ଙ୍କୁ ସାଧାରଣ ସମ୍ପାଦକ ଭାବେ ବାଛିଥିଲା ଦଳ । ଏହାପରେ ଛାତ୍ରଛାତ୍ରୀ ମାନେ ବିଜେଡି ର ପ୍ରାର୍ଥୀ ଚିହ୍ନିବାରେ ଯେପରି କିଛି ଭ୍ରମ ନହେବ ସେଥିପାଇଁ ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ଙ୍କ ଦସ୍ତଖତ ଥିବା ଦଳୀୟ ପ୍ୟାଡ଼ କୁ ସାର୍ବଜନୀନ କରାଯାଇଥିଲା । ଏହାର ଏକ କପି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଙ୍କୁ ମଧ୍ୟ ପଠାଯାଇଥିଲା । ଲିଙ୍ଗଡୋ କମିଶନ ନିୟମ ଏହିଥିରୁ ହିଁ ସ୍ପଷ୍ଟ ଅନୁମେୟ । କଲେଜ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ ହେଉଥିବା ନିର୍ବାଚନ କୋୖଣସି ସାଧାରଣ ନିର୍ବାଚନ ଠାରୁ କମ ନୁହେଁ ବୋଲି କିଛି ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।ଏଥର ମଧ୍ୟ ତିନୋଟି ରାଜନୈତିକ ଦଳ ର ଛାତ୍ର ସଂଗଠନ ନିଜ ନିଜ ର ପତିଆରା ବିସ୍ତାର ପାଇଁ କଲେଜ ନିର୍ବାଚନରେ ନିଜ ପ୍ରାଥୀ ଦେବା ସହ କ୍ୟାମ୍ପସ୍ କୁ ଦଖଲ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସବୁଥର ର ନିର୍ବାଚନ ପରି ଏଥର ମଧ୍ୟ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେବା ଆଶା କରାଯାଉଛି। କମିଶନ ଙ୍କ ନିୟମ ଅନୁଯାୟୀ ଜଣେ ପ୍ରାଥୀ ସର୍ବାଧିକ ପାଞ୍ଚ ହଜାର ଖର୍ଚ୍ଚ କରିପାରିବେ ବୋଲି ସ୍ଥିର ହୋଇଥାଏ। କିନ୍ତୁ ଖର୍ଚ୍ଚ ହଜାର ରେ ନୁହେଁ ଲକ୍ଷାଧିକ ଟଙ୍କା ହୋଇଥାଏ। ଯେପରି ଭାବେ ପୋଷ୍ଟର ଓ ବ୍ୟାନର କଲେଜ କ୍ୟାମ୍ପସ୍ ରେ ମରାଯାଇଥାଏ ତାହା ଯେ ୫ହଜାର ଟଙ୍କା ମଧ୍ୟରେ ସୀମିତ ରୁହେ ତାହା କହିବା ଭୁଲ। ଆଉ ମଧ୍ୟ ଆଗକୁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଅଛି। ସାଧାରଣ ନିର୍ବାଚନରେ ଯେପରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତା ମାନେ ଉଦ୍ୟମ କରିଥାନ୍ତି, ସେହିଭଳି ଉଦ୍ୟମ କରିଥାନ୍ତି ଛାତ୍ରନେତା ମାନେ। ତେବେ କଲେଜ ମାନଙ୍କରେ ରାଜନୈତିକ ଦଳ ବିନା କଣ ନିର୍ବାଚନ ହୋଇପାରିବନାହିଁ ବୋଲି ଅନେକ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କିଭଳି ନିର୍ବାଚନ ହେଉଛି । ନିର୍ବାଚନ ନହେଉ ପଛେ ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳ ଯୋଗୁଁ ପୂର୍ବ ବର୍ଷ ପରି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସାଇନ ଡାଏ କରାନଯାଉ ବୋଲି କିଛି ଅଭିଭାବକ ଓ ଶିକ୍ଷାବିତ ପ୍ରତିକ୍ରିୟା ରଖିଛନ୍ତି ।