ଲାଞ୍ଚ- ଅତିରିକ୍ତ ଲାଭାଂଶର କ୍ଷୀଣ, କ୍ଷଣ ଆତ୍ମତୃପ୍ତି !…

ଭ୍ରଷ୍ଟାଚାର, ଅତିରିକ୍ତ ଲାଭ, ଲାଞ୍ଚ ଇତ୍ୟାଦି ମଣିଷ ମନର ଏକ କ୍ଷୀଣ ଓ କ୍ଷଣ
ତୃପ୍ତିଦାୟୀ ଅନୁଭବ ଯାହା ଚେତନାଜ୍ଞାନ ବହିର୍ଭୁତ ଏକ ଅମାନୁଷିକ ଆଚରଣ !
ଏହା ଅଧିକାଂଶ ଶିକ୍ଷିତଙ୍କ ପାଖରେ ଦେଖିବାକୁ ମିଳୁଥିବା
ବେଳେ ଅଶିକ୍ଷିତ ସେମାନଙ୍କ ଜ୍ୱାଳାରେ ପୀଡିତ !!

ଆଜିର ଏହି ସଭ୍ୟ ମଣିଷ ସମାଜରେ ସାଧାରଣତଃ ଅଧିକାଂଶ ଶିକ୍ଷିତ, ଉଚ୍ଚ ଶିକ୍ଷିତ ଭ୍ରଷ୍ଟାଚାର, ଦୁର୍ନୀତି, ଲାଞ୍ଚ ଇତ୍ୟାଦି କୁକର୍ମରେ ଯଥେଷ୍ଟ ମାତ୍ରାରେ ଲିପ୍ତ ରହିଥିବା ଆମେ ଜାଣୁ । ଅଶିକ୍ଷିତ, ଗଂଠମୂର୍ଖ ଏହି କାର୍ଯ୍ୟ କରିବାରେ ଦୁର୍ବଳ । କାରଣ ଶିକ୍ଷା ମଣିଷକୁ ବିଭିନ୍ନ କୌଶଳ ପ୍ରୟୋଗର ରାସ୍ତା ଦେଖାଇଥାଏ ଯାହାର ବ୍ୟବହାର ପୂର୍ବକ ମଣିଷ ଅନେକ କର୍ମ, କୁକର୍ମ କରିବାରେ ସିଦ୍ଧହସ୍ତ ହୋଇପାରେ ଯାହା ଅଶିକ୍ଷିତଙ୍କ ଦ୍ୱାରା ସହଜରେ ସମ୍ଭବ ହୋଇନଥାଏ । ତେଣୁ ଅଧିକାଂଶ ଶିକ୍ଷିତ ଆଜି ସାମାଜିକ ଦୂରାଚାର ତଥା ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ଦେଖିବାକୁ ମିଳୁଛି । ଜ୍ଞାନ ମାନବୀୟ ଧର୍ମ ତଥା ଜୀବନଚର୍ଯ୍ୟାକୁ ସଫଳିତ କରି ମଣିଷକୁ ଆନନ୍ଦରେ ବଞ୍ଚିବାରେ ସାହାଯ୍ୟ କରିଥାଏ । ଶିକ୍ଷାରୁ ଜ୍ଞାନ ବୃଦ୍ଧି ହେବା ସମ୍ଭାବନା ଖୁବ୍ କମ୍ ରହିଥିବା ବେଳେ କୌଶଳ ଶିକ୍ଷା କରିବା ତାହାର ମୁଖ୍ୟ ଉପାଦାନ ହୋଇଥାଏ । ବିଭିନ୍ନ କୌଶଳର ଶିକ୍ଷା ସ୍ତରରୁ ମଣିଷ ଭିନ୍ନ ଭିନ୍ନ କୌଶଳ ଶିକ୍ଷା ଲାଭ କରି ତତ୍ ଜନିତ ନିଜ କର୍ମ କ୍ଷେତ୍ର ସୃଷ୍ଟି କରିବା ସହିତ ଅନେକ ଅନୈତିକ କୌଶଳ ବ୍ୟବହାର କରି ସାମାଜିକ ଭ୍ରଷ୍ଟାଚାର କରିଥାଏ । ଜ୍ଞାନ କି’ନ୍ତୁ ଏକ ଜନ୍ମଜ ଲକ୍ଷଣ ହୋଇଥିବା ବେଳେ ନିଜସ୍ୱ ମାନସ ମନ୍ଥନ ବଳରେ ତାହାର ଅଭିବୃଦ୍ଧି ସମ୍ଭବ ହୋଇଥାଏ । କୌଣସି ମଣିଷ ଆଜି ସମୟରେ ନିଜସ୍ୱ ମାନସ ମନ୍ଥନ ମାଧ୍ୟମରେ ଜ୍ଞାନ ଅର୍ଜନ କରି ଜୀବନକୁ ମାନବୀୟ ଢଙ୍ଗରେ ସଜାଇବା ବିପରୀତେ ବିଭିନ୍ନ କୌଶଳ ଶିକ୍ଷା ଲାଭ କରି ଅନୈତିକ, ଅଯୌକ୍ତିକ ଉପାୟରେ ସାମାଜିକ ଭ୍ରଷ୍ଟାଚାର କରି ଅତିରିକ୍ତ ଲାଭ ମାଧ୍ୟମରେ ନିଜ ଜୀବନକୁ ଅପ୍ରାକୃତିକ ଆତ୍ମତୃପ୍ତି ପ୍ରଦାନ ପୂର୍ବକ ବଞ୍ଚୁଥିବା ଦେଖିବାକୁ ମିଳୁଛି । ଅତଏବ ଏହି ସାମାଜିକ ଭ୍ରଷ୍ଟାଚାର, ଲାଞ୍ଚ, ଅତିରିକ୍ତ ଲାଭାଂଶ ପ୍ରକୃତରେ ମଣିଷକୁ ଆନନ୍ଦ, ଉଲ୍ଲାସ ଦେଇଥଏ କି ଅମାନବୀୟ ଢଙ୍ଗରେ ବଞ୍ଚିବାରେ ସାହାଯ୍ୟ କରିଥାଏ ବିଚାର କରିବା…… ଶିକ୍ଷିତଙ୍କ କୌଶଳ ପ୍ରୟୋଗ ସାମାଜିକ ଭ୍ରଷ୍ଟାଚାର ପ୍ରସାର କରିବାରେ ଯଥେଷ୍ଟ ପରିଲକ୍ଷିତ ହୋଇଥାଏ, ଯାହା ମଣିଷ ମନର ଏକ କ୍ରୁର, ଅଜ୍ଞାନ ଭାବାବେଗ । କେତେ ଶିକ୍ଷାର ଅଧିକାରୀ ହୋଇଥିଲେ ମଧ୍ୟ ସେଗୁଡିକ କାହାର ଗବେଷିତ ତଥ୍ୟ, ତତ୍ୱ ଉପରେ ଆଧାରିତ ହୋଇଥିବା ବେଳେ ବ୍ୟକ୍ତିଗତ ଜ୍ଞାନ ଏକ ବଂଶଜ ଜିନ୍ ଗତ ଗୁଣ, ଚରିତ୍ର ଯାହା ଭ୍ରଷ୍ଟାଚାରୀଙ୍କ ପୂର୍ବଜଙ୍କ ଦରିଦ୍ର/ଦରିଦ୍ର ମାନଷିକତା ପ୍ରବଣତାର ପରିଚୟ ପ୍ରଦାନ କରିଥାଏ । ଅତଏବ ସବୁ ମଣିଷ ଜ୍ଞାନ ପାଇବାର ନିଶ୍ଚିତ ପ୍ରାବଧାନ ନାହିଁ । କିନ୍ତୁ ନିଜସ୍ୱ ଅନୁସନ୍ଧିତ୍ସୁ ଅନୁଧ୍ୟାନ ଦ୍ୱାରା ଜ୍ଞାନ ଆହରଣ କରିବା ସମ୍ଭବ ହୋଇଥାଏ ଯାହା କେହି କରନ୍ତି ନାହିଁ । ବରଂ ସମାଜରେ ପ୍ରଚଳିତ କ୍ଷଣ, କ୍ଷୀଣ ଆଶା ଜନିତ ପ୍ରଚାର, ପ୍ରସାରରେ ନିଜକୁ ସମାନ୍ତରାଳ ଭାବେ ପରିଚାଳିତ କରିବା ତଥା ନିଜକୁ ଉଚ୍ଚାସିନ କରିବା ଲକ୍ଷ ରଖି ଅନେକ ଭ୍ରଷ୍ଟାଚାର କରୁଥିବା ଲୋକଙ୍କ ସଂଖ୍ୟା କେତେ ସମସ୍ତେ ଜାଣନ୍ତି । ହେଲେ ସେହି ଭ୍ରଷ୍ଟାଚାର କରୁଥିବା ଲୋକଙ୍କୁ ଅନୁସରଣ କରି ପିଢ଼ିକୁ ପିଢ଼ି ନୂତନ ଭ୍ରଷ୍ଟାଚାରୀ ସୃଷ୍ଟି ହେଉଥିବା, କରାଯାଉଥିବା ଏକ ଦୁର୍ବଳ ମାନସିକତା ପ୍ରବଣ ଗୋଷ୍ଠୀ ଯେ ସୁନ୍ଦର, ସରସମୟ ସାଧାରଣ ଜୀବନ ଗୁଡିକୁ ଦୟନୀୟ ଅବସ୍ଥାରେ ରଖି ଏକ କଳୁଷିତ ମଣିଷ ସମାଜ ପ୍ରତିଷ୍ଠା ପୂର୍ବକ ନିଜ ସହିତ ସମସ୍ତଙ୍କୁ ଦୁଖୀ କରି ରଖିଛନ୍ତି ସେଥିପ୍ରତି ହୁଏତ କାହାର ତୀକ୍ଷ୍ଣ ନଜର ରହୁନାହିଁ । କିନ୍ତୁ ଭଲଭାବେ ଅନୁଧ୍ୟାନ କଲେ ଜାଣିହେବଯେ ଯାହାଙ୍କୁ ଆମେ ସମାଜର ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଚୟ ଦେଇଥାଉ ବାସ୍ତବରେ ସେମାନେହିଁ ସମାଜରେ ଭ୍ରଷ୍ଟାଚାର ପ୍ରସାର କରି ସମସ୍ତଙ୍କୁ ପ୍ରତାରିତ କରିଥା’ନ୍ତି ! ସେହିଭଳି ପରିସ୍ଥିତିରେ ସେମାନଙ୍କୁ କୌଣସି ସାମାଜିକ ମାନ୍ୟତା ଦିଆଯିବା ଅଯୌକ୍ତିକ ମନେ ହଉଥିଲେ ମଧ୍ୟ ବିଭିନ୍ନ ସାମାଜିକ ପରିସ୍ଥିତି ତଥା ଚାପ ଜନିତ ମଣିଷ ମନରେ ଆନ୍ଦୋଳିତ ସମସ୍ତ ବିଚାରଧାରା ଗୁଡିକ ସାର୍ବଜନୀନ କରି ହେଉନଥିବା ଅନୁଭୂତି ପ୍ରାୟତଃ ସମସ୍ତଙ୍କର ଥିବ । କିନ୍ତୁ ନିସ୍ୱାର୍ଥ, ନିର୍ବିକାର ସେମାନଙ୍କୁ କୌଣସି ମାନସିକ ମାନ୍ୟତା ଦେଉନଥିବା ବେଳେ ସେମାନଙ୍କ ପ୍ରହେଳିକା ପ୍ରତି କାହାର ଧ୍ୟାନ ରହୁନଥିବା ହେତୁ ସାମାଜିକ ଭ୍ରଷ୍ଟାଚାର କରିବାରେ ସିଦ୍ଧହସ୍ତ ଶିକ୍ଷିତଙ୍କ ଦ୍ୱାରା ଆଜି ସମଗ୍ର ମାନବ ସମାଜ ପ୍ରତାରିତ ହେଉଥିବା ଏକ ଅତ୍ୟନ୍ତ ଦୁଖଦଃ ପରିସ୍ଥିତି । ଲୋଭ ଏକ ମାନସିକ ବିକାର ଯାହା ମଣିଷର ଷଡ଼ରିପୁ ଗୁଡିକୁ ଅତ୍ୟନ୍ତ ପ୍ରଖରିତ କରିବାରେ ସାହାଯ୍ୟ କରିଥାଏ । ମାନବୀୟ ଚେତନା ଶକ୍ତିକୁ ସଂକୁଚିତ କରି ଅମିମାଂସିତ ସମୟ ଧାରାରେ ପ୍ରଚଳିତ କରି ମଣିଷକୁ ଅନୈତିକ କାର୍ଯ୍ୟ କରିବା ପ୍ରେରଣା ଦେଇଥଏ । ଅନୈତିକ କାର୍ଯ୍ୟ କରି ଯେତିକି କ୍ଷୀଣ, କ୍ଷଣ ସୁଖ ମିଳିଥାଏ ତାହାଠାରୁ ଶତଗୁଣ ଶାରୀରିକ, ମାନସିକ କ୍ଳେଶ ସହିତ ସାମାଜିକ ଘୃଣାଭାବ ଗୁଡିଏ ପ୍ରାପ୍ତି ହୋଇଥାଏ ଯାହାପ୍ରତି କୌଣସି ବିଚାରଶୀଳ ଚେତନା ଜାଗ୍ରତ ହୋଇନଥାଏ ଭ୍ରଷ୍ଟାଚାରୀଙ୍କ ମନରେ । ତେଣୁ ସେମାନେ ସମାଜରେ କେତେ ପ୍ରତିପତ୍ତି ବିସ୍ତାର ଲାଭ କଲେ ମଧ୍ୟ ଚିର ସ୍ମରଣୀୟ, ଅମର ହୋଇ ରହିବା କୌଣସି ସମ୍ଭାବନା ରହିନଥାଏ ସଭ୍ୟ ସମାଜରେ । ଏହି ପ୍ରସଙ୍ଗରେ ବିଚାର କରି ଦେଖିଲେ ଜାଣିହେବଯେ ଆଜି ପର୍ଯ୍ୟନ୍ତ ଅନେକ ମଣିଷ ସେମାନଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସାମାଜିକ ଉଚ୍ଚାସୀନ ହୋଇମଧ୍ୟ କୌଣସି ସାମାଜିକ ମାନ୍ୟତା ହାସଲ କରିନଥିବା କିମ୍ବା ସାଧାରଣ ଲୋକଙ୍କ ସ୍ମରଣୀୟ ହୋଇ ରହିନାହାନ୍ତି ସେମାନଙ୍କ ସମୟ ଶେଷରେ । ବଞ୍ଚିଥିବା ମଧ୍ୟରେ ନିଜର ପ୍ରତିପତ୍ତି, ବିଳାସ ବ୍ୟସନକୁ ସତେଜ କରି ରଖି ପାରିଥିଲେ ମଧ୍ୟ ସାଧାରଣ ଲୋକଙ୍କ କୌଣସି ସାମାଜିକ ମାନ୍ୟତା ରହିନଥାଏ ସେମାନଙ୍କ ପ୍ରତି । ତେଣୁ ଭ୍ରଷ୍ଟାଚାର କ୍ଷଣ, କ୍ଷୀଣ ସୁଖ ଦେବାରେ ସାହାଯ୍ୟ କରୁଥିବା ବେଳେ ସଚ୍ଚୋଟ ସେମାନଙ୍କ ଠାରୁ ଯଥେଷ୍ଟ ଆନନ୍ଦରେ ରହୁଥିବା ଆକଳନ ବହିର୍ଭୁତ ସେମାନଙ୍କର ଯେ କିପରି, ବିଚାର କରିବା……..?! ସଚ୍ଚୋଟ ଉପାୟରେ ପ୍ରାପ୍ୟ ଧନର ଉପଯୁକ୍ତ ମୂଲ୍ୟାଙ୍କନ ହୋଇଥାଏ ଏବଂ ସେଗୁଡିକୁ ଅତ୍ୟନ୍ତ ମାନବୀୟ ଢଙ୍ଗରେ ବ୍ୟବହାର କରାଯାଇ ଥାଏ । କି’ନ୍ତୁ ଅତିରିକ୍ତ ଲାଭାଂଶ ପ୍ରାପ୍ତି ମଣିଷର ମାନବିକତାକୁ ସଂକୁଚିତ କରି ଅନୈତିକ କାର୍ଯ୍ୟ ପ୍ରବାହ ଦିଗରେ ସଞ୍ଚାଳିତ କରି ସାମାଜିକ, ମାନସିକ ଏବଂ ଶାରୀରିକ କ୍ଳେଶ ଦେଇଥାଏ । କେମିତି ? ନିଜେହିଁ ସମୀକ୍ଷା କରି ନିଜକୁ ପଚାରି ବୁଝିବାକୁ ଚେଷ୍ଟା କଲେ ଜାଣି ପାରିବେ ଭ୍ରଷ୍ଟାଚାରୀ ଯାହା କେହି କେବେ କରନ୍ତି ନାହିଁ । କିମ୍ବା କୌଣସି ମାନବୀୟ ଉପଦେଶାତ୍ମକ ବାଣୀ ସେମାନଙ୍କୁ କଠିନ ହୋଇଥାଏ ଗ୍ରହଣ କରିବା ପାଇଁ ଯାହା କେବଳ ଏକ ଦୁସ୍ଥ ମାନସିକତା ଜନିତ ହୋଇଥାଏ । ସେମାନଙ୍କ କୁପ୍ରଭାବରେ ପୀଡିତ ପରିପାଶ୍ୱର୍ିକ ମଣିଷ ଗୁଡିକ ମଧ୍ୟ ଅନୁରୂପ ବିଚାରଧାରା ପ୍ରବାହିତ କରି ଆଜି ସର୍ବଦିଗ ବ୍ୟାପ୍ତ ଭ୍ରଷ୍ଟାଚାରିତ ସମାଜର ପୁନରୁଦ୍ଧାର ହେବା ସମ୍ଭାବନା କେତେ ସମସ୍ତେ ବୁଝୁଥିବେ । ତଥାପି ସମୟ ଅଛି ଆମରି ପାଖରେ ସେହି ଛଳନାତ୍ମକ ବିଚାରଧାରାରୁ ନିଜକୁ ବିମୁକ୍ତ କରି ଜୀବନ ସରଳ, ସୁନ୍ଦର. ଆନନ୍ଦମୟ କରିବା ସହିତ ଭବିଷ୍ୟ ପିଢିଙ୍କୁ ଆନନ୍ଦିତ କରି ବଂଚିବା ସୁଯୋଗ ସୃଷ୍ଟି କରିବା ପାଇଁ । କିନ୍ତୁ ଯଥେଷ୍ଟ ଇଛା ଶକ୍ତି ସହିତ ପ୍ରକାଣ୍ଡ ମନୋନିବେଶ କରି ସାଧାରଣ ଲୋକେ ସେଗୁଡିକୁ ପ୍ରତିବାଦ ପୂର୍ବକ ଭ୍ରଷ୍ଟାଚାରୀଙ୍କୁ ସାମାଜିକ ସାର୍ବଜନୀନ କ୍ଷେତ୍ରରୁ ବହିସ୍କୃତ କରିବାକୁ ହେବ । ନତୁବା ମଣିଷ ସମାଜ ଏକ ଅମାନୁଷିକ ରାକ୍ଷସ ସମାଜରେ ପରିଣତ ଆମର ଭବିଷ୍ୟ ପିଢ଼ି ନିଜ ନିଜ ମଧ୍ୟରେ ରଣକ୍ଷେତ୍ର ପ୍ରସ୍ତୁତ ପୂର୍ବକ ପଶୁଭଳି ବଂଚିବା ସହିତ ଅସମୟରେ ବିଲୁପ୍ତ ପ୍ରଜାତି ଭାବେ ପୃଥିବୀ ପୃଷ୍ଠ ବିମଣ୍ଡିତ କରିବେ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି……..??!! 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.