ଲକଡାଉନ ନ ମାନିଲେ ବାଇକ ସହ ମୋବାଇଲ ବି ଜବତ ହେବ….

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନାକୁ ପ୍ରତିହତ କରିବା ପାଇଁ ଲକ ଡାଉନକୁ ଯେଉଁମାନେ ହାଲକା ଭାବରେ ଗ୍ରହଣ କରି ବାଇକରେ ଖୁସି ବ୍ୟକ୍ତ କରିବାକୁ ଚକ୍କର କାଟୁଛନ୍ତି ସେମାନଙ୍କ ବାଇକ ସହ ମୋବାଇଲ ଫୋନ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି । ଅଧିକ ମାତ୍ରାରେ ରୋଡ଼ ବ୍ୟାରିକେଡ଼ିଙ୍ଗ କରାଯିବ । ବିଡ଼ିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀମାନେ ସମ୍ପୂର୍ଣ୍ଣ ବ୍ଲକ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ । ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ୱାସ୍ଥ୍ୟବସ୍ଥା ତଦାରଖ କରାଯିବ । ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲୀ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ କରୋନା ଆଇସୋଲେଟେଡ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ । ଅନ୍ୟୁନ୍ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡ଼ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ବେଡ଼ ଗୁଡିକର ସୁବ୍ୟବସ୍ଥା ସ୍ୱଳ୍ପ ସମୟ ମଧ୍ୟରେ କରାଯିବ । ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଏହାକୁ ତଦାରଖ କରୁଛନ୍ତି । ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ପରିବାରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଶପଥ ପାଠ କରିବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ଗ୍ରାମ ସ୍ତରରେ ୫ ଜଣ ସ୍ୱେଚ୍ଛାସେବୀ ଏବଂ ପଞ୍ଚାୟତ ସ୍ତରରେ ୨୦ଜଣ ସ୍ୱେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ ଜିଲ୍ଲାପାଳ କରିଛନ୍ତି । ଯେଉଁ ମାନଙ୍କର କ୍ଵାରେଣ୍ଟୀଇନ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । କେହି ଯେପରି ଭୋକିଲା ନ ରହେ ତାକୁ ସମ୍ପୃକ୍ତ ବିଡ଼ିଓ ତଦାରଖ କରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଚାରି ଚକିଆ ଏବଂ ତିନି ଚକିଆ ଯାନକୁ ସମ୍ପୃକ୍ତ ଉପଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ । କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ ବ୍ୟବହାର କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ ଲାଗୁ କରାଯିବ । ସାହି ବସ୍ତିରେ ସ୍ୱୟଂ ସହାୟିକା ଗୋଷ୍ଟି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ । ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାରେ ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ଦୂରତ୍ୱ ରକ୍ଷା କରି ପରିବା ବିକ୍ରୟ କରିବାକୁ କୁହାଯିବ । ଜିଲ୍ଲାପାଳ ସମସ୍ତଙ୍କୁ ଅତି ନିଷ୍ଠାର ସହିତ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମସ୍ତ ନିୟମକୁ ମାନି ଚାଲିବାକୁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା